Sunday, September 13, 2026
27.6 C
Odisha

    ମହାକାଶ ଆବର୍ଜନା ବଢ଼ୁଥିବାରୁ ଚିନ୍ତା ପ୍ରକଟ କଲେ ରାଷ୍ଟ୍ରପତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ପ୍ରଥମ ଜାତୀୟ ମହାକାଶ ଦିବସ ଅବସରରେ ଭାରତ ମଣ୍ଡପମ୍‌ଠାରେ ମହାକାଶ ଜ୍ଞାନକୌଶଳ ଓ ଉପଲବ୍ଧି ପ୍ରଦର୍ଶନ ପାଇଁ ଆୟୋଜିତ ପ୍ରଦର୍ଶନୀ ପରିଦର୍ଶନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ଏବଂ ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ ମଧ୍ୟ ଉପସ୍ଥିତ ଥିଲେ। ଅନେକ ଉପଗ୍ରହ କକ୍ଷପଥରେ ଅବସ୍ଥାପିତ ହେବା ଫଳରେ ମହାକାଶ ଆବର୍ଜନା ବୃଦ୍ଧିକୁ ନେଇ ରାଷ୍ଟ୍ରପତି ଉଦ୍‌ବେଗ ପ୍ରକାଶ କରିବା ସହ ୨୦୩୦ ସୁଦ୍ଧା ଭବିଷ୍ୟତର ମହାକାଶ ଅଭିଯାନକୁ ଆବର୍ଜନାମୁକ୍ତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବାରୁ ଇସ୍ରୋକୁ ପ୍ରଶଂସା କରିଛନ୍ତି।

    ୨୩ ଅଗଷ୍ଟ ୨୦୨୩ରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରକୁ ଚନ୍ଦ୍ରରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରାଇ ଭାରତ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଥିଲା। ଏହା ଭାରତ ପାଇଁ ଏକ ଗୌରବାବହ ଦିନ। ଭାରତର ଚନ୍ଦ୍ରଯାନ-୩ର ଚନ୍ଦ୍ରପୃଷ୍ଠରେ ଏହି ସଫଳ ଅବତରଣ ଦିବସକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯାଉଛି। ପ୍ରଥମ ଜାତୀୟ ମହାକାଶ ଦିବସ ଅବସରରେ ରାଷ୍ଟ୍ରପତି ମୁର୍ମୁ ଶୁଭେଚ୍ଛା ଜଣାଇବା ସହ ଚନ୍ଦ୍ରଯାନ ଚନ୍ଦ୍ରରେ ଅବତରଣ କରିଥିବା ଦିନ ମହାକାଶ ଦିବସ ପାଳନ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଚନ୍ଦ୍ରଯାନ-୩ ଅବତରଣର ପ୍ରଥମ ବାର୍ଷିକୀ ତଥା ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ ଅବସରରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ମହାକାଶ ଆବର୍ଜନା ଭବିଷ୍ୟତ ମହାକାଶ ଅଭିଯାନ ପାଇଁ ସମସ୍ୟା ସୃଷ୍ଟି କରିପାରେ। ମହାକାଶ ଗବେଷଣା କାର୍ଯ୍ୟକଳାପର ନିରନ୍ତର ଅଗ୍ରଗତିକୁ ସୁନିଶ୍ଚିତ କରୁଥିବା ଇସ୍ରୋର ପରିବେଶ ଅନୁକୂଳ ପ୍ରୟାସକୁ ରାଷ୍ଟ୍ରପତି ପ୍ରଶଂସା କରିଥିଲେ। ୨୦୩୦ ସୁଦ୍ଧା ଭାରତ ନିଜର ସମସ୍ତ ମହାକାଶ ଅଭିଯାନକୁ ଆବର୍ଜନାମୁକ୍ତ କରିବା ଦିଗରେ ଆଗେଇ ଚାଲିଛି ବୋଲି ମୁର୍ମୁ କହିଛନ୍ତି।

    ଏହି ଅବସରରେ ରାଷ୍ଟ୍ରପତି ରୋବୋଟିକ୍ସ ଚ୍ୟାଲେଞ୍ଜ ଓ ଭାରତୀୟ ଅନ୍ତରୀକ୍ଷ ହ୍ୟାକାଥନ୍‌ର ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ମହାକାଶ କ୍ଷେତ୍ରରେ ଇସ୍ରୋ ଉଲ୍ଲେଖନୀୟ ସଫଳତା ହାସଲ କରିବା ସହ ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶରେ ଅମୂଲ୍ୟ ଅବଦାନ ରଖିଛି ବୋଲି ରାଷ୍ଟ୍ରପତି କହିଥିଲେ। ସର୍ବନିମ୍ନ ସମ୍ବଳ ବ୍ୟବହାର କରି ଭାରତର ମହାକାଶ କାର୍ଯ୍ୟକ୍ରମକୁ ବିଶ୍ୱର ଶ୍ରେଷ୍ଠମାନଙ୍କ ମଧ୍ୟରେ ସ୍ଥାନିତ କରିଥିବା ସମର୍ପିତ ବୈଜ୍ଞାନିକମାନଙ୍କୁ ସେ ପ୍ରଶଂସା କରିଥିଲେ। ସୀମିତ ସମ୍ବଳରେ ସଫଳତାର ସହ ଶେଷ ହୋଇଥିବା ମଙ୍ଗଳ ଅଭିଯାନ ହେଉ କିମ୍ବା ଏକାଥରକେ ଶହେରୁ ଅଧିକ ଉପଗ୍ରହର ସଫଳ ଉତ୍‌କ୍ଷେପଣ ହେଉ, ଆମେ ଅନେକ ପ୍ରଭାବଶାଳୀ ସଫଳତା ହାସଲ କରିଛୁ ବୋଲି ମୁର୍ମୁ କହିଛନ୍ତି। ସ୍ୱାସ୍ଥ୍ୟ ଓ ଔଷଧ, ପରିବହନ, ନିରାପତ୍ତା, ଶକ୍ତି, ପରିବେଶ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ସମେତ ଅନେକ କ୍ଷେତ୍ର ମହାକାଶ କ୍ଷେତ୍ରର ବିକାଶଦ୍ୱାରା ଉପକୃତ ହୋଇଛନ୍ତି। ମହାକାଶ କ୍ଷେତ୍ରକୁ ଘରୋଇ ସଂସ୍ଥାମାନଙ୍କ ପାଇଁ ଉନ୍ମୁକ୍ତ କରାଯିବା ପରେ ଷ୍ଟାର୍ଟଅପ୍ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇଛି। ଏହା କେବଳ ମହାକାଶ ଗବେଷଣାକ୍ଷେତ୍ରରେ ଅଗ୍ରଗତି ଆଣିନାହିଁ ବରଂ ଯୁବପିଢ଼ିଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ଓ ଉନ୍ନତି ପାଇଁ ନୂଆ ସୁଯୋଗ ଦେଇଛି ବୋଲି ମୁର୍ମୁ କହିଛନ୍ତି। କିଛି ମାସ ତଳେ ଏକ ଭାରତୀୟ କମ୍ପାନି ସିଙ୍ଗଲ ପିସ୍ ଥ୍ରୀଡି ପ୍ରିଣ୍ଟେଡ୍ ସେମି କ୍ରାୟୋଜେନିକ୍ ଇଞ୍ଜିନ୍ ଚାଳିତ ରକେଟ୍‌କୁ ସଫଳତାର ସହ ଉତ୍‌କ୍ଷେପଣ କରିଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ