Wednesday, September 30, 2026
29.4 C
Odisha

    ଶିକାର ଆରମ୍ଭ କଲା ବାଘୁଣୀ ‘ଜୀନତ୍‌’: ନିରାପଦ ସ୍ଥାନ ସନ୍ଧାନରେ ‘ଯମୁନା’

    ଆଗକୁ ପଢନ୍ତୁ

    ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ସଫ୍ଟ ଏନ୍‌କ୍ଲୋଜର ମଧ୍ୟରେ ବନ ବିଭାଗର ନିରୀକ୍ଷଣରେ ଥିବା ମହାବଳ ବାଘୁଣୀ ‘ଜୀନତ୍‌’ ଆଜି ଏଠାରେ ନିଜର ପ୍ରଥମ ଶିକାର କରିଛି। ଶିକାର ପାଇଁ ଏନ୍‌କ୍ଲୋଜର ମଧ୍ୟରେ ଛଡ଼ା ଯାଇଥିବା ଏକ ବାର୍‌ହାକୁ ଆଜି ପୂର୍ବାହ୍ନ ୧୦ଟା ବେଳେ ମାରି ଖାଇଥିଲା ଜୀନତ୍‌। ମହାରାଷ୍ଟ୍ର ତାଡ଼ବା ଅନ୍ଧାରୀ ଟାଇଗର ରିଜର୍ଭରେ ରହିବା ବେଳେ ନିଜ ମା’ (ଟି-୪୭) ପାଖରୁ ଏହା ଶିକାର ଶିଖିଥିଲା। ଏବେ ଜୀନତ୍‌କୁ ୩ ବର୍ଷ ହୋଇଗଲାଣି। ‌ତେଣୁ ଜଙ୍ଗଲ‌ରେ ଶିକାର କରିବାରେ ସେ ପାରଙ୍ଗମ ହୋଇଯାଇଛି। ଆଜି ନିଜ ପ୍ରଥମ ଶିକାର ପରେ ପାଣି ପିଇ ବେଶ୍‌ କିଛି ସମୟ ବିଶ୍ରାମ ନେଇଛି। ଜୀନତ୍‌ର ସ୍ବାସ୍ଥ୍ୟ ଠିକ୍‌ ରହିଛି ଓ ଏହା ସ୍ବାଭାବିକ ଭାବେ ନିଜ ଶିକାରକୁ ଗୋଡ଼ାଇ ଗୋଡ଼ାଇ ମାରିବା ସହ ଏହାକୁ ଖାଇଛି। ‌ତେବେ ଶିମିଳିପାଳ ପରିବେଶ ସହ ଖାପ ଖୁଆଇବା ପାଇଁ ଆଉ ୨ରୁ ୩ ସପ୍ତାହ ଲାଗିପାରେ। ଏହାପରେ ସଫ୍ଟ ଏନ୍‌କ୍ଲୋଜରରୁ ମୁକ୍ତ କରି ଏହାକୁ ଶିମିଳିପାଳର ଘଞ୍ଚ ଜଙ୍ଗଲରେ ଛଡ଼ାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ; ତାଡ଼ବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ୨ଟି ମାଈ ମହାବଳଙ୍କୁ ଶିମିଳିପାଳ ଆଣିବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ପକ୍ଷରୁ ଅନୁମତି ମିଳିବା ପରେ ପ୍ରଥମ ପର୍ଯ୍ୟାୟରେ, ଗତମାସ ୨୭ ତାରିଖରେ ଆସିଥିଲା ଅଢ଼େଇ ବର୍ଷୀୟ ବାଘୁଣୀ ଯମୁନା। ଦ୍ବିତୀୟ ପର୍ଯ୍ୟାୟରେ, ଗତ ୧୪ ତାରିଖ ଗୁରୁବାର ସନ୍ଧ୍ୟାରେ ଆସି ଶିମିଳିପାଳରେ ପହଞ୍ଚିଥିଲା ଜୀନତ୍।
    ନିରାପଦ ସ୍ଥାନ ସନ୍ଧାନରେ ‘ଯମୁନା’
    ଏପଟେ ଗତ ୯ ତାରିଖ ଦିନ ଏନ୍‌କ୍ଲୋଜର୍‌ରୁ ମୁକ୍ତ ହୋଇଥିବା ବାଘୁଣୀ ‘ଯମୁନା’ ଏବେ ଶିମିଳିପାଳର ଘଞ୍ଚ ଅରଣ୍ୟରେ ଘୂରିବାରେ ଲାଗିଛି। ଦିନକୁ ସେ ୮ରୁ ୯ କିମି ବାଟ ଯାଉଛି। ୨ଦିନ ତଳେ ଏହା ଡୁକୁରା ପଟେ ରହିଥିଲା। ଗତକାଲି ଶିମିଳିପାଳର ଖୁଣ୍ଟା ଅଞ୍ଚଳରେ ଥିବାବେଳେ ଆଜି ଖୁଣ୍ଟାଠାରୁ କୋର୍‌ ମଧ୍ୟକୁ ପ୍ରାୟ ୨୩ କିମି ଜଙ୍ଗଲ ଭିତରେ ରହିଥିବା ଜଣାପଡ଼ିଛି। ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ଯମୁନା ନିଜ ପାଇଁ ଶିକାର ବି କରିଛି। ତେବେ ଅଢ଼େଇ ବର୍ଷର ଯମୁନା ଶିକାର କରିବାରେ ଏତେଟା ପାରଙ୍ଗମ ନୁହେଁ ବୋଲି ଏହା ବେକରେ ଲାଗିଥିବା କ୍ୟାମେରାରୁ ଜଣାପଡ଼ିଛି। ମୁକ୍ତ ଜଙ୍ଗଲରେ ଶିକାର କରିବାର ଅଭିଜ୍ଞତା ବଢ଼ିଲେ ଯମୁନା ମଧ୍ୟ ଜୀନତ୍‌ ଭଳି ଶିକାରରେ ପାରଙ୍ଗମ ହୋଇଯିବ ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ କହିଛନ୍ତି। ଯମୁନା ଏବେ ଜଙ୍ଗଲକୁ ଭଲ ଭାବେ ପରଖୁଛି। ପୁରା ଜଙ୍ଗଲକୁ ବୁଲିବା ସହ ତା’ ପାଇଁ ନିରାପଦ ସ୍ଥାନ ଅନ୍ବେଷଣ କରୁଛି। ସେହିପରି କୋର୍‌ ଏରିଆରେ ତା’ପାଇଁ ଖାଦ୍ୟର ଅଭାବ ନାହିଁ। ତେଣୁ ସେ ଘଞ୍ଚ ଅରଣ୍ୟରୁ ଜନବସତିମୁହାଁ ହେବାର ଆଶଙ୍କା ନାହିଁ। ତଥାପି ତା’ର ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ସେ ଗାଁ ମୁହାଁ ହେଲାମାତ୍ରେ ଆଗୁଆ ସତର୍କକାମୂଳକ ପଦକ୍ଷେପ ନିଆଯିବ ବୋଲି ଆର୍‌ସିସିଏଫ ପ୍ରକାଶ ଚାନ୍ଦ ଗୋଗିନାନୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.4 ° C
    29.4 °
    29.4 °
    69 %
    2.9kmh
    100 %
    Wed
    29 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ