Monday, September 14, 2026
29.6 C
Odisha

    ବିବାହ ବାର୍ଷିକୀରେ କାଳିଆ ଦର୍ଶନ ପାଇଁ ଯାଉଥିଲେ ଦଂପତି: ଭୁବନେଶ୍ବରରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ୍‌

    ଆଗକୁ ପଢନ୍ତୁ

    ଭୁବନେଶ୍ବର/ବୀରମହାରାଜପୁର: ରାଜଧାନୀ ଭୁବନେଶ୍ବରର ମଞ୍ଚେଶ୍ବର ଥାନା ଅଧୀନ ପଳାଶୁଣୀ ଛକ ନିକଟରେ ଆଜି ସକାଳୁ ଟ୍ରକ୍‌ ଧକ୍କାରେ ମୃତ୍ୟୁ ହୋଇଥିବା ଦଂପତିଙ୍କର ପରିଚୟ ମିଳିଛି। ମୃତ ଦଂପତି ହେଲେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଧୀନ ଆନନ୍ଦପୁର ନିବାସୀ ତଥା ଅବସରପ୍ରାପ୍ତ ଉମେଶ ପାଣିଗ୍ରାହୀ (୬୬) ଓ ତାଙ୍କ ସ୍ତ୍ରୀ ନଳିନୀ ପାଣିଗ୍ରାହୀ (୬୨)। ଉଭୟ ସ୍ବାମୀ-ସ୍ତ୍ରୀ ଉମେଶ ଓ ନଳିନୀ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାରେ ରୁହନ୍ତି। ପ୍ରତିବର୍ଷ ଭଳି ଏଥର ମଧ୍ୟ ନିଜର ୩୯ତମ ବିବାହ ବାର୍ଷିକୀ ପାଳନ ପାଇଁ ଶ୍ରୀକ୍ଷେତ୍ର ବାହାରି ଥିଲେ। ସେଥିପାଇଁ ଗତକାଲି ବୀରମହାରାଜପୁରରୁ ଏକ ଘରୋଇ ବସ୍‌ରେ ଚଢ଼ିଥିଲେ ଏବଂ ଆଜି ଭୋର ସକାଳୁ ପଳାଶୁଣୀ ଛକରେ ପହଞ୍ଚି ଥିଲେ। ବସ୍‌ରୁ ଓହ୍ଲାଇବା ପରେ କଟକ ପାର୍ଶ୍ବରୁ ପୁରୀ ଅଭିମୁଖେ ଯାଉଥିବା କୌଣସି ବସ୍‌ରେ ଶ୍ରୀକ୍ଷେତ୍ର ଯିବା ପାଇଁ ଯୋଜନା କରିଥିଲେ। ସେଥି ପାଇଁ ସେମାନେ ପଳାଶୁଣୀ ଛକ ନିକଟ ବସ୍‌ଷ୍ଟପ୍‌ରେ ୫୫ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରୁଥିଲେ। ଏହି ସମୟରେ ଭୁବନେଶ୍ବର ପାର୍ଶ୍ବରୁ କଟକ ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ପଳାଶୁଣୀରୁ ସତ୍ୟବିହାର ଯାଏଁ ଦଂପତିଙ୍କୁ ଘୋଷାଡ଼ି ନେଇଥିଲା। ଫଳରେ ଦୁହିଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

    ଉମେଶ ଓ ନଳିନୀ ପାଣିଗ୍ରାହୀ ପ୍ରତିବର୍ଷ ଭଳି ଏଥର ମଧ୍ୟ ସେମାନଙ୍କର ବିବାହ ବାର୍ଷିକୀରେ କାଳିଆ ଦର୍ଶନ କରିବାକୁ ମନ କରିଥିଲେ। ତେବେ ଏଥର ଶ୍ରୀକ୍ଷେତ୍ରରେ ପହଞ୍ଚି କାଳିଆ ଦର୍ଶନ କରିବା ପୂର୍ବରୁ ଦୁର୍ଘଟଣାର ସାମ୍ନା କରିଥିଲେ। ସଡ଼କ ଦୁର୍ଘଟଣାରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ଶବବ୍ୟବଚ୍ଛେଦ ‌ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମୃତଦେହ ଭୁବନେଶ୍ବରରୁ ବୀରମହାରାଜପୁର ଅଭିମୁଖେ ବାହାରିଛି। ଆସନ୍ତାକାଲି (ଗୁରୁବାର) ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯିବ।

    ସ୍ବର୍ଗତଃ ଉମେଶ ଓ ନଳିନୀଙ୍କ ଦୁଇ ପୁଅ ଅଛନ୍ତି। ବଡ଼ପୁଅ ସୁଦୀପ ସମ୍ବଲପୁରସ୍ଥିତ ଏକ ବ୍ୟାଙ୍କରେ କାର୍ଯ୍ୟରତ ଅଛନ୍ତି। ତାଙ୍କର ସାନପୁଅ ସନ୍ଦୀପ ଏବେ ସ୍ବୀଡେନ୍‌ରେ ଚାକିରି କରନ୍ତି। ବାପା-ମା’ଙ୍କ ମୃତ୍ୟୁ ଖବର ପାଇ ସାନପୁଅ ସ୍ବୀଡେନରୁ ବାହାରି ଜନ୍ମବାଟି ଅଭିମୁଖେ ବାହାରିଛନ୍ତି। ଆସନ୍ତାକାଲି ସେ ବାପା-ମା’ଙ୍କ ଅନ୍ତିମ ସଂସ୍କାର ବେଳେ ଉପସ୍ଥିତ ରହିବେ ବୋଲି ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି। ଘଟଣାଟି ବୀରମହାରାଜପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.6 ° C
    29.6 °
    29.6 °
    65 %
    2.1kmh
    11 %
    Mon
    29 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ