Friday, March 20, 2026
31 C
Odisha

    ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କ ସୁନ୍ଦରଗଡ ଗସ୍ତର ଦ୍ୱିତୀୟ ଦିନ: ସଶକ୍ତ ଓଡ଼ିଶା ଗଠନ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ

    ଆଗକୁ ପଢନ୍ତୁ

    ରାଉରକେଲା : ମୁଖ୍ୟମନ୍ତ୍ରୀ କଥା କମ୍ କହନ୍ତି, କାମ ବେଶୀ କରନ୍ତି । ମୁଁ ବି ଭାଷଣ ଦେବାକୁ ଆସିନି, କାମରେ କରି ଦେଖାଇବାକୁ ଆସିଛି । ଆପଣମାନେ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି, ମୋତେ ଏବେ ଯାଇ କାମରେ ଲାଗି ପଡ଼ିବାରେ ଅଛି । ମାତ୍ର ୧୦ ଦିନ ଭିତରେ ମୁଖ୍ୟମନ୍ତ୍ରୀ ଦେବେ ଖୁସି ଖବର । ଏମିତି କିଛି ଭରସାଯୋଗ୍ୟ ବକ୍ତବ୍ୟ ରଖିଛନ୍ତି ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ସୁନ୍ଦରଗଡ଼ ଜିଲ୍ଲା ଦୁଇ ଦିନିଆ ଗସ୍ତର ୨ୟ ଦିନରେ ଶ୍ରୀ ପାଣ୍ଡିଆନ ଗୁରୁବାର ସୁନ୍ଦରଗଡ଼ଠାରେ ସମଲେଇ ମନ୍ଦିର ପରିଦର୍ଶନ କରିବା ସିଧାସଳଖ ହେଲିକପ୍ଟର ଯୋଗେ ରାଜଗାଙ୍ଗପୁରର ଜାମପାଲି ପଡ଼ିଆଠାରେ ଆୟୋଜିତ ଏକ ବିରାଟ ଜନ ସମାଗମରେ ଯୋଗ ଦେଇଥିଲେ । ସେ ପହଞ୍ଚି ସିଧାସଳଖ ଉପସ୍ଥିତ ଜନତାଙ୍କ ନିକଟକୁ ଯାଇ ସେମାନଙ୍କ ସହ ହାତ ମିଳାଇ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଠାରୁ ବିଭିନ୍ନ ସମସ୍ୟାର ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଏହାପରେ ଶ୍ରୀ ପାଣ୍ଡିଆନ୍ ମଞ୍ଚକୁ ଯାଇ ‘ଜୟ ଜଗନ୍ନାଥ\’ ବୋଲି ସମ୍ୱୋଧନ କରି ରାଜଗାଙ୍ଗପୁର ବାସୀନ୍ଦାଙ୍କୁ ସ୍ୱାଗତ କରିଥିଲେ । ସେ କହିଲେ ମୁଖ୍ୟମନ୍ତ୍ରୀ ସବୁବେଳେ କହନ୍ତି ଏହି ସରକାର ନବୀନ ପଟ୍ଟନାୟକଙ୍କ ସରକାର ନୁହେଁ, ଏହା ହେଉଛି ଆପଣଙ୍କର ସରକାର । ଓଡ଼ିଶାକୁ ସଶକ୍ତ କରିବା ହିଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ । ଏଥିପାଇଁ ମୁଖ୍ୟମନ୍ତ୍ରୀ ମା’ମାନଙ୍କୁ ବିଶେଷ ଗୁରୁତ୍ୱ ଦେଉଛନ୍ତି । ମା’ମାନେ ଆଗେଇ ଆସିଲେ ଓଡ଼ିଶା ଦୌଡ଼ିବ । ଓଡ଼ିଶା ସଶକ୍ତ ହେବ । ସେ କହିଲେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗତ ମାର୍ଚ୍ଚ ମାସ ୧୨ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାକୁ ଆସିଥିଲେ । ସେତେବେଳେ ସେ ରାଜଗାଙ୍ଗପୁର ବାସୀଙ୍କ ପାଖରୁ ୪୦୦ଟି ଅଭିଯୋଗ ପତ୍ର, ଦରଖାସ୍ତ ନେଇ ସମାଧାନ ପାଇଁ ଏଠାରୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ନେଇ ଯାଇଥିଲେ । ଯାହାର କି ମୁଖ୍ୟମନ୍ତ୍ରୀ ସମାଧାନ କରି ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ଆଦିର ବିକାଶ ପାଇଁ ୯୦ ପ୍ରତିଶତ ପ୍ରକଳ୍ପ ପାଇଁ ଟଙ୍କା ମଞ୍ଜୁର କରିଛନ୍ତି । ସେ କହିଲେ ରାଜଗାଙ୍ଗପୁରବାସୀଙ୍କ ସବୁଠାରୁ ବଡ଼ ଦୁଃଖ ରାଜଗାଙ୍ଗପୁରର ରେଲୱେ ଓଭର ବ୍ରିଜ ସମସ୍ୟା ବିଷୟରେ ସେତେବେଳେ ଅବଗତ ହୋଇଥିଲେ । ଯାହାକି ୧୫ ବର୍ଷ ଧରି ସମାଧାନ ନ ହୋଇ ପଡ଼ି ରହିଥିଲା । ମୁଖ୍ୟମନ୍ତ୍ରୀ ଏହି ଦୀର୍ଘ ଦିନର ସମସ୍ୟାକୁ ସମାଧାନ କରିଛନ୍ତି । ସେହି ରେଲୱେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏତଦ୍‌ବ୍ୟତୀତ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବେଦବ୍ୟାସ ମନ୍ଦିରର ରୂପାନ୍ତରଣ ତଥା ସର୍ବାଙ୍ଗୀନ ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ୧୪ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ସେହିପରି ସରବତିଦେବୀ ମହାବିଦ୍ୟାଳୟର, ଡାଲମିଆ ମହାବିଦ୍ୟାଳୟ ଓ ବେଦବ୍ୟାସ ମହାବିଦ୍ୟାଳୟ ପାଇଁ ୧ କୋଟି ୨୫ ଲକ୍ଷ ଲେଖାଏଁ ୩ କୋଟି ୭୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏତଦ୍‌ବ୍ୟତୀତ ଭିତ୍ତିଭୂମି ତଥା ଗୁଣାତ୍ମକ ଶିକ୍ଷା ନିମନ୍ତେ ରାଜଗାଙ୍ଗପୁରରେ ଥିବା ସମସ୍ତ ସ୍କୁଲ କଲେଜକୁ ୫-ଟି ରୂପାନ୍ତରଣ ଯୋଜନାରେ ସାମିଲ କରାଯାଇଛି । ସେଗୁଡ଼ିକରେ ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସ, ସାଇନ୍ସ କ୍ଲାସ୍ ଆଦି ରୂପାନ୍ତୀକରଣ କାର୍ଯ୍ୟ ଚାଲିଛି । ଏହିମାସ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ସମାପ୍ତ ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ସେ ପୁଣି ଦୋହରାଇ କହିଲେ ଗତ ମାର୍ଚ୍ଚ ୧୨ ତାରିଖରୁ ଏପର୍ଯ୍ୟନ୍ତ ମାତ୍ର ୮ ମାସ ଭିତରେ ବିଭିନ୍ନ ଅଭିଯୋଗ ପତ୍ରର ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ବିକାଶମୂଳକ ପାଇଁ ମୋଟ୍ ୧୦୦ କୋଟି ଟଙ୍କା ମଢ୍‌ଜୁର କରିନ୍ତି । ଆଜି ବି ଯେଉଁ ଦରଖାସ୍ତ ତଥା ଅଭିଯୋଗ ପତ୍ର ମିଳିଛି ସମସ୍ତ ଦରଖାସ୍ତଗୁଡ଼ିକୁ ନେଇକି ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିବେ । ମନ୍ଦିର, ମସଜିଦ୍ ଚର୍ଚ୍ଚ ଏବଂ କମ୍ୟୁନିଟି ହଲ୍ ନିର୍ମାଣ ବା ରୂପାନ୍ତରଣ ପାଇଁ ଯେଉଁ ଦରଖାସ୍ତ ଆସିଛି, ସେ ବିଷୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନ୍ତା ୧୦ ଦିନ ଭିତରେ ଖୁସି ଖବର ଘୋଷଣା କରିବେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଟଙ୍କା ଦେବେ ତାହା ଆପଣଙ୍କ ଟଙ୍କା ଓଡ଼ିଶାବାସୀଙ୍କ ଟଙ୍କା । ତାକୁ ଉଚିତ ମାର୍ଗରେ ଖର୍ଚ୍ଚ କରିବେ, ଯେଉଁଥିରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରହିବ ବୋଲି ସେ କହିଥିଲେ । ନିଜ ଘର କାମ ପରି ଅତି ଯତ୍ନ ତଥା ସ୍ୱଚ୍ଛତାର ସହ କାମ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହା ହେଉଛି ପ୍ରଥମ କିସ୍ତି । ଭଲ କାମ କଲେ ଏହାପରେ ଦ୍ୱିତୀୟ, ତୃତୀୟ କିସ୍ତି ଟଙ୍କା ବି ମିଳିବ ସେ କହିଥିଲେ । ସେ ଆହୁରି କହିଲେ ସମସ୍ତଙ୍କ ସ୍ୱାସ୍ଥ୍ୟ ନିରୋଗ ରହୁ । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ପାଇଁ ବିଜୁ ସ୍ୱାସ୍ଥ୍ୟ ଯୋଜନା କରିଛନ୍ତି । ଏଥିରେ ପୁରୁଷଙ୍କ ଚିକିତ୍ସା ପାଇଁ ୫ ଲକ୍ଷ, ମହିଳାଙ୍କ ପାଇଁ ୧୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଗ୍ରାମାଞ୍ଚଳରେ ସବୁ ଲୋକେ ଯେପରି ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସିତ ହୋଇପାରିବେ, ସେଥିପାଇଁ ମୁଖ୍ୟ ମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରଣୟନ କରିଛନ୍ତି । ଗ୍ରାମାଞ୍ଚଳରେ ଯେଉଁମାନଙ୍କର ବିଜୁ ସ୍ୱାସ୍ଥ୍ୟ କାର୍ଡ ନାହିଁ ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହି ମାସ ୬ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ନିଜ ନିଜ ନାମ ପଞ୍ଜିକରଣ କରିବାକୁ ଘୋଷଣା କରିଛନ୍ତି । ଶ୍ରୀ ପାଣ୍ଡିଆନ୍ ଆହୁରି କହିଲେ ଯେ ଲକ୍ଷ୍ମୀ ଯୋଜନାରେ ଆସନ୍ତା ଫେବୃୟାରୀ ମାସରୁ ପ୍ରତି ପଞ୍ଚାୟତରୁ ବ୍ଲକ୍ ପର୍ଯ୍ୟନ୍ତ ଲକ୍ଷ୍ମୀ ବସ୍ ଗଡ଼ିବ । ମାତ୍ର ୫ ଟଙ୍କାରେ ଏହି ବସ୍‌ରେ ସମସ୍ତେ ଯାତ୍ରା କରିପାରିବେ । ସୁନ୍ଦରଗଡ଼ ଜିଲ୍ଲାର ବହୁ ପଞ୍ଚାୟତରେ ବ୍ୟାଙ୍କିଂ ସୁବିଧା ନାହିଁ । ମୁଖ୍ୟମନ୍ତ୍ରୀ ଏବେ ସବୁ ପଞ୍ଚାୟତରେ ବ୍ୟାଙ୍କିଂ ସୁବିଧା କରିବାକୁ ‘ଆମ ବ୍ୟାଙ୍କ\’ ଯୋଜନା ଘୋଷଣା କରିଛନ୍ତି । ସେଠାରେ ଆପଣ ବିଭିନ୍ନ ଭତ୍ତାଠାରୁ ଆରମ୍ଭ କରି ଋଣ ଆଦି ସୁବିଧା ନେଇପାରିବେ ବୋଲି ସେ କହିଥିଲେ ।
    ସେ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲାକୁ ବହୁତ ଭଲ ପାଆନ୍ତି । ତାର ବାସ୍ତବ ନିଦର୍ଶନ ହେଉଛି ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଠାରେ ବିଶ୍ୱର ସର୍ବ ଶ୍ରେଷ୍ଠ ହକି ଷ୍ଟାଡିୟମ୍ ନିର୍ମାଣ । ଏହାଦ୍ୱାରା ସୁନ୍ଦରଗଡ଼କୁ ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର ନୂଆ ପରିଚୟ ଦେଇ ଓଡ଼ିଶାରେ ଇତିହାସ ସୃଷ୍ଟି କରିଛନ୍ତି । ଶ୍ରୀ ପାଣ୍ଡିଆନ କହିଲେ ଯେ ସୁନ୍ଦରଗଡ଼ ହେଉଛି ହକିର ଏନ୍ତୁଡ଼ିଶାଳ, ଯେଉଁଠାରୁ ବହୁ ସଂଖ୍ୟାରେ ଯୁବ କ୍ରୀଡାବିତ୍ ହକିରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରି ଓଡ଼ିଶା ପାଇଁ ଗୌରବ ସାଉଁଟିଛନ୍ତି । ଏହାକୁ ଉପଲବ୍ଧ କରି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପରିବର୍ତ୍ତେ ସୁନ୍ଦରଗଡ଼ର ରାଉରକେଲା ଠାରେ ଏକ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ନିର୍ମାଣ କରିବା ସହ ବିଶ୍ୱ କପ୍ ପୁରୁଷ ହକି ଆୟୋଜନ ପାଇଁ ୨୦୧୯ ମସିହାରେ ନିଷ୍ପତ୍ତି ନେଇଥିଲେ । ମାତ୍ର ସେ ସମୟରେ ହକି ବିଶ୍ୱକପ୍ ଆୟୋଜନ ପାଇଁ ସୁନ୍ଦରଗଡରେ ଆବଶ୍ୟକ ଭିତ୍ତିଭୂମି ନ ଥିଲା । ବିଶ୍ୱସ୍ତରୀୟ ଖେଳାଳିଙ୍କ ପାଇଁ ହକି ଗ୍ରାଉଣ୍ଡ ନ ଥିଲା, ବିମାନବନ୍ଦର ନ ଥିଲା କି ଭଲ ହୋଟେଲ ନଥିଲା । ମାତ୍ର ୪ ବର୍ଷ ମଧ୍ୟରେ ଏତେବଡ଼ ଭିତ୍ତିଭୂମି ବିକାଶ କରାଯାଇ ପାରିବ କି ନାହିଁ ସେ ନେଇ ଏଫଆଇଏଚ୍ ସନ୍ଦେହ ପ୍ରକାଶ କରିଥିଲା । କିନ୍ତୁ ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ରେ ବିଶ୍ୱକପର ଆୟୋଜନ ଏକ ସମ୍ମାନର ପ୍ରଶ୍ନ ହୋଇଥିବାରୁ ମାତ୍ର ୧୫ ମାସ ମଧ୍ୟରେ ରାଉରକେଲାରେ ଏହି ବିଶ୍ୱସ୍ତରୀୟ ସର୍ବଶ୍ରେଷ୍ଠ ହକି ଷ୍ଟାଡିୟମ୍ ନିର୍ମାଣ ସମ୍ପୂର୍ଣ୍ଣ ହେବା ସହ ବିଶ୍ୱକପ୍ ପୁରୁଷ ହକି ୨୦୨୩ ଅତ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇଥିଲା । ଏହା ହିଁ କଥା କମ୍ ଏବଂ କାମ ଅଧିକ କରିବାରେ ବିଶ୍ୱାସ ରଖୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନ୍ଦରଗଡ ଜିଲ୍ଲାବାସୀଙ୍କୁ ଭଲ ପାଇବା ଏବଂ ଜିଲ୍ଲା ପ୍ରତି ପ୍ରତିବଦ୍ଧତାର ଜ୍ୱଳନ୍ତ ଉଦାହରଣ ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31 ° C
    31 °
    31 °
    32 %
    3.4kmh
    68 %
    Fri
    32 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ