Monday, March 30, 2026
25.1 C
Odisha

    ଅଣହିନ୍ଦୁ ପ୍ରବେଶ ପରେ ଚେତା ପଶିଲା: ୧୪ରୁ ସିଂହଦ୍ବାର ଜଗିବେ ପ୍ରତିହାରୀ

    ଆଗକୁ ପଢନ୍ତୁ

    ପୁରୀ: ଶ୍ରୀମନ୍ଦିରରେ ବାରମ୍ବାର ଅଣହିନ୍ଦୁ ପ୍ରବେଶ ପରେ ଶ୍ରୀମନ୍ଦିର ପ୍ରଶାସନର ଚେତା ପଶିଛି। ସିଂହଦ୍ବାରରେ ଜେଟିପିଙ୍କ ସହ ପ୍ରତିହାରୀ ସେବକଙ୍କୁ ବି ଜଗାଇବାକୁ ଅନୁମତି ପ୍ରଦାନ କରିଛି। ଆସନ୍ତା ୧୪ ତାରିଖଠାରୁ ଏମାନେ ସିଂହଦ୍ବାରରେ ପହରା ଦେବେ ଏବଂ ଅଣହିନ୍ଦୁଙ୍କୁ ଜଗିବେ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର ଏ ସମ୍ପର୍କରେ ଗଣମାଧ୍ୟମକୁ କହିଛନ୍ତି, ପୂର୍ବରୁ ସିଂହଦ୍ବାର ପ୍ରତିହାରୀ ସେବା ରହିଥିଲା। ଶ୍ରୀମନ୍ଦିର ସ୍ବତ୍ବଲିପିର ପାରା-୧୯ରେ ଏହି ସେବା ସଂପର୍କରେ ଉଲ୍ଲେଖ ରହିଛି। କିନ୍ତୁ, ବହୁଦିନରୁ ଏହି ସେବା ବନ୍ଦ ରହିଥିଲା। ଏବେ ଅଣହିନ୍ଦୁ ପ୍ରବେଶ ଘଟଣା ବାରମ୍ବାର ଘଟିବା ପରେ ଗତ ପରିଚାଳନା କମିଟି ବୈଠକରେ ଏହା ଉପରେ ଆଲୋଚନା ହୋଇଥିଲା। ସିଂହଦ୍ବାର ପ୍ରତିହାରୀ ସେବା ପୁଣିଥରେ ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ବି ଏଥିରେ ସମ୍ମତି ଜଣାଇଛି। ଆସନ୍ତା ୧୪ ତାରିଖରୁ ସିଂହଦ୍ବାରରେ ପ୍ରତିହାରୀମାନେ ଜଗିବେ। ପ୍ରାଥମିକ ପର୍ଯ୍ୟାୟରେ ୪ଜଣ ପ୍ରତିହାରୀ ସିଂହଦ୍ବାରରେ ଜଗିବେ। ପରବର୍ତ୍ତୀ ସମୟରେ ଅନ୍ୟ ଦ୍ବାରରେ ପ୍ରତିହାରୀମାନେ ଜଗିବା ବ୍ୟବସ୍ଥା କରାଯିବ।

    ସୂଚନାଯୋଗ୍ୟ, ଗତ ଦୁଇମାସ ଭିତରେ ୩ରୁ ଅଧିକ ଅଣହିନ୍ଦୁ ଶ୍ରୀମନ୍ଦିରରେ ପଶି ଧରାପଡ଼ିଛନ୍ତି। ଜଣେ ବିଦେଶୀ ମହିଳା ଶ୍ରୀମନ୍ଦିରରେ ପଶି ବାଇଶିପାହାଚ ଦେଇ ଯାଉଥିବା ବେଳେ ସେବାୟତଙ୍କ ହାତରେ ଧରାପଡ଼ିଥିଲେ। ପରେ ପୁଲିସ ସଂପୃକ୍ତ ବିଦେଶୀଙ୍କୁ ଥାନାକୁ ଆଣି ପଚରାଉଚରା ଓ କାଗଜପତ୍ର ଯାଞ୍ଚ ପରେ ଛାଡ଼ି ଦେଇଥିଲା। ଏହାର କିଛିଦିନ ପରେ କିଛି ବାଂଲାଦେଶୀ ଶ୍ରୀମନ୍ଦିରରେ ପଶିଥିଲେ। ସେମାନଙ୍କୁ ବି ପୁଲିସ ଥାନାକୁ ଆଣି ପଚରାଉଚରା କରି ଛାଡ଼ିଥିଲା। ସେହିପରି, ଇଂଲଣ୍ଡର ଜଣେ ଯୁବକ ଶ୍ରୀମନ୍ଦିରରେ ପଶି ଉନ୍ମତ୍ତକାଣ୍ଡ ଭିଆଇଥିଲା। ବେହେରଣ ଦ୍ବାର ନିକଟକୁ ଯାଇ ଶ୍ରୀମନ୍ଦିର ଭିତରକାଠକୁ ପଶିବାକୁ ଚେଷ୍ଟା କରୁଥିଲା। ଏହିସମୟରେ ପୁଲିସ ଓ ସେବାୟତମାନେ ଅଟକାଇବାକୁ ଚେଷ୍ଟା କରିବାରୁ ସେ ସେବାୟତ ଓ ପୁଲିସଙ୍କୁ ଆକ୍ରମଣ କରିଥିଲା। ବାରମ୍ବାର ଏଭଳି ଘଟଣା ଘଟିବାପରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ପ୍ରତିହାରୀ ନିଯୋଗର ପ୍ରସ୍ତାବକ୍ରମେ ପୁଣିଥରେ ସିଂହଦ୍ବାର ପ୍ରତିହାରୀ ସେବା ଆରମ୍ଭ ହେବାକୁ ଯାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    47 %
    0.4kmh
    0 %
    Mon
    41 °
    Tue
    38 °
    Wed
    39 °
    Thu
    40 °
    Fri
    40 °

    ସମ୍ବନ୍ଧିତ