Tuesday, September 22, 2026
25.8 C
Odisha

    କାଠପୋଲ ପୁଣି ବିପଦସଙ୍କୁଳ: କାଠ ଗଣ୍ଡି ଉପରେ ପୋଲ ଭାର

    ଆଗକୁ ପଢନ୍ତୁ

    ପୁରୀ: କାଠ ଗଣ୍ଡି ଉପରେ ରହିଛି ପୋଲ ଭାର! ବିପଦସଙ୍କୁଳ ହୋଇପଡ଼ିଛି କାଠପୋଲରେ ଯାତାୟାତ। ରାସ୍ତା ସଂଲଗ୍ନ ସେତୁର ପ୍ରଥମ ଫେଜ୍‌ ଯୋଡ଼େଇର କିଛି ଅଂଶ କାଠ ଗଣ୍ଡି ଉପରେ ସବାର ହୋଇଥିବା ବେଳେ ଘସି ହୋଇ କାଠଗଣ୍ଡିରେ ଗର୍ତ୍ତ ସୃଷ୍ଟି ହୋଇଗଲାଣି। ଏଣେ କାଠରେ ଘସି ହେଉଥିବା ପୋଲର ଏକ ପାର୍ଶ୍ବ କଂକ୍ରିଟ ଅଂଶ ମଧ୍ୟ ଭାଙ୍ଗିରୁଜି ଗଲାଣି। ଫଳରେ ଏବେ ଭାରୀଯାନ ପୋଲ ଉପର ଦେଇ ଯିବା ବେଳେ ଅପେକ୍ଷାକୃତ ଦବି ଯାଉଛି। ବିପଦ ଥିବା ଜାଣିବା ପରେ ଭୁବନେଶ୍ବର ଦିଗରୁ କାଠପୋଲ ସେତୁ ଆରମ୍ଭରୁ ପ୍ରଶାସନ ପକ୍ଷରୁ ଲୁହା ବାଡ଼ ପକାଯାଇଛି। ନାଲି ଷ୍ଟିକର ଲଗାଇ ଆପାତତଃ ଯାତାୟାତ ବିପଦ ଥିବା ସଙ୍କେତ ଦିଆଯାଇଛି। ଗାଡ଼ିଗୁଡ଼ିକୁ ଧୀରେ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଥଚ ଏହାକୁ ମରାମତି କରିବା ନେଇ ତତ୍ପରତା ପ୍ରକାଶ ପାଉନାହିଁ।
    କାଠପୋଲ ବ୍ରିଜ ବହୁ ପୁରୁଣା ହୋଇଥିବା ବେଳେ ପୁରୀ ପ୍ରବେଶ ପଥକୁ ସଂଯୋଗ କରୁଥିବା ୩୧୬ ନମ୍ବର ଜାତୀୟ ରାଜପଥ ସବୁଠୁ ବ୍ୟସ୍ତବହୁଳ ରାସ୍ତା। ମାତ୍ର ଏଇ କିଛି ବର୍ଷ ହେବ ଏହା ଉପରେ ଯାତାୟାତ ବିପଦ ପାଲଟିଛି। କାଠପୋଲର ରିଟେନିଂ ୱାଲ୍‌ ମଧ୍ୟ ଭୁଶୁଡ଼ି ପଡ଼ି ନଦୀ ଭିତରକୁ ଝୁଲି ରହିଛି। ଏହି ସ୍ଥାନରେ ବାଉଁଶ ବାଡ଼ ବନ୍ଧାଯାଇଛି। ନିକଟରେ ଏହି ରିଟେନିଂ ୱାଲ୍‌ କାମ କରାଯାଇଥିଲେ ହେଁ କିଛିଦିନ ଭିତରେ ଏହା ପୁଣି ଫାଟି ଆଁ କରିବା ସହ ଭାଙ୍ଗିରୁଜିଗଲାଣି। କାଠପୋଲ ସେତୁ ଯାତାୟାତ ବେଳେ ବେଶି ଦବିଯାଉଥିବାରୁ ରାସ୍ତାରେ ମଧ୍ୟ ଗର୍ତ୍ତ ସୃଷ୍ଟି ହୋଇଛି।

    ଗୁରୁତ୍ବପୂର୍ଣ୍ଣ କଥା ହେଲା, ୨୦୧୮ ମସିହା‌ରେ ଏହାକୁ ଅସୁରକ୍ଷିତ ଘୋଷଣା କରି ନୋଟିସ୍‌ ବୋର୍ଡ ଝୁଲାଯାଇଥିଲା। ବ୍ରିଜ୍‌କୁ ଯୋଡ଼ୁଥିବା ବେରିଂ ଭାଙ୍ଗି ଯିବାରୁ ପୋଲ ଗୋଟିଏ କଡ଼କୁ ଢଳି ରହିଥିଲା। ବ୍ରିଜ୍‌ରୁ ଖଣ୍ଡଖଣ୍ଡ ହୋଇ ଅତଡ଼ା ଖସୁଥିଲା। ରିଟେନିଂ ୱାଲ୍‌ ଫାଟି ଆଁ କରିଥିଲା। ଲୁହା ରଡ୍ ବାହାରକୁ ବାହାରି ପଡ଼ିଥିଲା। ବ୍ରିଜ୍‌ ମଧ୍ୟରେ ଫାଙ୍କ ସୃଷ୍ଟି ହେବା ଯୋଗୁ ଏହା ଉପରେ ଯାତାୟାତ ପାଇଁ ବାରଣ କରାଯାଇଥିଲା। ତିନି ବର୍ଷ ପର୍ଯ୍ୟନ୍ତ ମରାମତି କରାଯାଇନଥିଲା। ବରଂ ତୁଳସୀ ଚଉରା ନିକଟରୁ ମାଳତୀପାଟପୁର ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ବକୁ ଅବରୋଧ କରି ରଖାଯାଇଥିଲା। ମାଟି ବନ୍ଧ ବନ୍ଧେଇ ଦେଇ ଏହାକୁ ବନ୍ଦ କରାଯାଇଥିଲେ ହେଁ ‌ବହୁ ବାଇକ୍‌ ଚାଳକ ଦୁର୍ଘଟଣା ଭୟରେ ମାଟି ବନ୍ଧ ଅତିକ୍ରମ କରି ସେଇ ବିପଦସଙ୍କୁଳ ପୋଲ ଉପ‌ରେ ଯାତାୟାତ କରୁଥିଲେ। ଏହାକୁ ରୋକିବା ପାଇଁ କିଛି ପୁଲିସ ମୁତୟନ କରାଗଲା। ପରେ ପୋଲର ଗୋଟିଏ ପାର୍ଶ୍ବରେ କାନ୍ଥର ପାଚେରି ଛିଡ଼ା କରି ଯାତାୟାତ ବନ୍ଦ କରାଗଲା। ତଥାପି ଏକ ଟ୍ରକ୍‌ ଆସି ଏହି କାନ୍ଥକୁ ଭାଙ୍ଗିଦେଲା। ତେଣୁ ପୁନର୍ବାର ଏହି ରାସ୍ତାରେ ଯା-ଆସ ଚାଲିଲା।

    ତେବେ ପରବର୍ତ୍ତୀ ସମୟରେ ଉଚ୍ଚ ମାଟିବନ୍ଧ ଯୋଗୁ ଆଉ ଯାତାୟାତ ସମ୍ଭବ ହେଲା ନାହିଁ। ତେଣୁ ଗୋଟିଏ ପାର୍ଶ୍ବରେ ବାଇକ୍‌ଠୁ ନେଇ ବସ୍‌ ଓ ଅନ୍ୟ ଭାରୀଯାନ ଯାତାୟାତ କରୁଥିଲା। ଏଥିପାଇଁ ୩ ବର୍ଷ ମଧ୍ୟରେ କିଛି ମୁଣ୍ଡ ବି ଗଡ଼ିଥିଲା। ତେଣୁ କାଠପୋଲ ବ୍ରିଜ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ବିଭିନ୍ନ ମହଲରେ ଦାବି ଉଠିଥିଲା। ପରେ ୨୦୨୧ର ଶେଷ ଭାଗରେ ପୋଲକୁ ମରାମତି କରିବା ସହ ବେରିଂ ସଜଡ଼ା ଯାଇଥିଲା। ରିଟେନିଂ ୱାଲଗୁଡ଼ିକର ମରାମତି କରାଗଲା। ୨୦୨୨ ମଧ୍ୟ ଭାଗରେ ପୁଣି ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। କିନ୍ତୁ ପୁଣି ସ୍ଥିତି ଗମ୍ଭୀର ହୋଇଛି। ତୁରନ୍ତ ଏହାର ମରାମତି କରିବା ସହ ରିଟେନିଂ ୱାଲ ନିର୍ମାଣ କରିବାକୁ ଦାବି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.8 ° C
    25.8 °
    25.8 °
    90 %
    2.4kmh
    100 %
    Tue
    26 °
    Wed
    26 °
    Thu
    25 °
    Fri
    28 °
    Sat
    26 °

    ସମ୍ବନ୍ଧିତ