Tuesday, September 29, 2026
23.8 C
Odisha

    ଯୋଗାଯୋଗ ପାଇଁ ଶବ୍ଦ ଏକମାତ୍ର ମାଧ୍ୟମ ନୁହେଁ:ଧର୍ମେନ୍ଦ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବଧିର ପିଲାଙ୍କ ଦକ୍ଷତା ପ୍ରଶିକ୍ଷଣ, ମାନସିକ ସ୍ୱାସ୍ଥ୍ୟ, ଶ୍ରେଣୀଭିତ୍ତିକ ପାଠ୍ୟଖସଡ଼ା ତଥା ଯୋଗାଯୋଗ କ୍ଷେତ୍ରରେ ସହାୟକ ଲକ୍ଷ୍ୟରେ ପିଏମ୍‌ ଇ-ବିଦ୍ୟା ଡିଟିଏଚ୍‌ ୨୪ ଘଣ୍ଟିଆ ଚ୍ୟାନେଲ ନମ୍ବର-୩୧ର ଶୁଭାରମ୍ଭ ହୋଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ଏହାର ଶୁଭାରମ୍ଭ କରି କହିଲେ, ଯୋଗାଯୋଗ ପାଇଁ ଶବ୍ଦ ଏକମାତ୍ର ମାଧ୍ୟମ ନୁହେଁ; ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୁନିଶ୍ଚିତ କରିବାରେ ବିକଳ୍ପ ରୂପ ତଥା ସାଙ୍କେତିକ ଭାଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)ରେ ସ୍ୱତନ୍ତ୍ର ଆବଶ୍ୟକତା କରୁଥିବା ପିଲାଙ୍କ ଶିକ୍ଷାକୁ ପ୍ରାଥମିକତା ଦିଆଯାଇଛି। ଭାରତରେ ଶ୍ରବଣହୀନ ଜନସଂଖ୍ୟାକୁ ସମର୍ଥନ କରିବାକୁ ଅଧିକରୁ ଅଧିକ ଲୋକ ଭାରତୀୟ ସାଙ୍କେତିକ ଭାଷା ଶିଖିବାର ପରିକଳ୍ପନା କରି ଏହାକୁ ବିଶ୍ୱସ୍ତରୀୟ ମାନଦଣ୍ଡରେ ବିକଶିତ କରିବା ଦରକାର। ନିଯୁକ୍ତି ସୁଯୋଗ ସୃଷ୍ଟିରେ ଏହା ସହାୟକ ହେବ। ଯୋଗାଯୋଗକୁ ସୁଗମ କରିବାକୁ ଚ୍ୟାନେଲ-୩୧ ଏକ ସେତୁ ପାଲଟିବ। ଏହି ପଦକ୍ଷେପ ସାମ୍ବିଧାନିକ ଅଧିକାର ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇଛି, ଯାହା ସମସ୍ତ ନାଗରିକଙ୍କ ଶିକ୍ଷା ଏବଂ ସମ୍ବଳର ସମାନ ଉପଲବ୍ଧତାକୁ ସୁନିଶ୍ଚିତ କରିବ। ଭାରତୀୟ ସାଙ୍କେତିକ ଭାଷା ବିଶ୍ୱସ୍ତରୀୟ ମାନଦଣ୍ଡ ସ୍ଥାପିତ, ବୃହତ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଭାରତକୁ ଅଧିକ ସମାବେଶୀ ଭବିଷ୍ୟତ ଆଡକୁ ନେବାର କ୍ଷମତା ରଖିଛି ବୋଲି ସେ କହିଛନ୍ତି।
    ଏନ୍‌ଇପି-୨୦୨୦ ଅନୁସାରେ ବଧିର ପିଲାଙ୍କୁ ଏକ ଶୈକ୍ଷିକ ବାତାବରଣ ଦେବାକୁ ଭାରତୀୟ ସାଙ୍କେତିକ ଭାଷାକୁ ଉନ୍ନତ କରାଯାଉଛି। ଏନ୍‌ଇପି ଅନୁସାରେ ଭାରତୀୟ ସାଙ୍କେତିକ ଭାଷା ବା ଆଇଏସ୍‌ଏଲ୍‌କୁ ସାରା ଦେଶରେ ପ୍ରଚଳନ କରାଯିବ। ବଧିର ପିଲାଙ୍କ ପଢିବା ଲାଗି ବି କେନ୍ଦ୍ର ଓ ରାଜ୍ୟ ପାଠ୍ୟଖସଡ଼ାରେ ବିଭିନ୍ନ ଉପକରଣ ସାମିଲ କରାଯାଇଛି। ଆଇଏସ୍‌ଏଲ୍‌କୁ ବିଦ୍ୟାଳୟର ଏକ ଭାଷାଭିତ୍ତିକ ପାଠ୍ୟକ୍ରମ ଭାବରେ ସାମିଲ କରିବାକୁ ଲକ୍ଷ୍ୟ ରଖି ଏହି ପିଏମ୍‌ ଇ-ବିଦ୍ୟା ଚ୍ୟାନେଲର ଶୁଭାରମ୍ଭ ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ପାଠ୍ୟଖସଡ଼ାର ବଧିର ଛାତ୍ରଛାତ୍ରୀ, ଶିକ୍ଷକ, ପ୍ରଶିକ୍ଷକ, ନିଯୁକ୍ତି ପ୍ରଶିକ୍ଷଣର ବିଭିନ୍ନ ଅଂଶୀଦାରଙ୍କ ଲାଗି ଏହି ଚ୍ୟାନେଲ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଇଂରାଜୀ, ହିନ୍ଦୀ ପରି ଆଇଏସଏଲକୁ ଏକ ଭାଷାର ମାନ୍ୟତା ଦେବା ଲାଗି ଡିଟିଏଚ୍‌ ଚ୍ୟାନେଲ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଉପସ୍ଥିତ ଥିଲେ। ବହୁ ସଂଖ୍ୟାରେ ବଧିର ପିଲା, ସ୍ୱତନ୍ତ୍ର ପ୍ରଶିକ୍ଷକ, ଆଏସ୍‌ଏଲ୍‌ ସ୍ୱୀକୃତିପ୍ରାପ୍ତ ବ୍ୟାଖ୍ୟାକାର ଓ ଅନେକ ବଧିର ଅନୁଷ୍ଠାନର ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ