Wednesday, April 8, 2026
23.9 C
Odisha

    ସୋଆ ପକ୍ଷରୁ ବିଶ୍ୱ ପ୍ରାଣୀ ଦିବସ ପାଳିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ଅକ୍ଟୋବର ୭ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌), ଓଡିଶା ଲାଇଭଷ୍ଟକ୍ ଡେଭେଲମେଂଟ ସୋସାଇଟି (ଓଏଲ୍‌ଡିଏସ୍‌) ଏବଂ ଓଡିଶା ଭେଟେରିନାରୀ କାଉନ୍‌ସିଲ୍‌ର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଦିନ ସୋଆ କ୍ୟାମ୍ପସ୍‌- ୪ ପରିସରରେ ବିଶ୍ୱ ପ୍ରାଣୀ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ମନୁଷ୍ୟ ଓ ପ୍ରାଣୀ ଉଭୟ ପରସ୍ପର ସହିତ ଓତଃପ୍ରୋତ ଭାବରେ ଜଡିତ । ବର୍ତମାନ ସବୁ ସ୍ଥାନରେ ଜଳବାୟୁ ପରିବର୍ତନ ଦେଖିବାକୁ ମିଳୁଛି ଏବଂ ପ୍ରାଣୀ ଜଗତରେ ଏହାର ଖୁବ୍ ପ୍ରଭାବ ପଡ଼ୁଛି । ଉଦ୍ୟୋଗୀକରଣ ଏବଂ ଜଙ୍ଗଲ ନଷ୍ଟ ଜଳବାୟୁ ପରିବର୍ତନର ପ୍ରମୁଖ କାରଣ ଭିତରୁ ଅନ୍ୟତମ । ବିକାଶକୁ ଆମେ ବନ୍ଦ କରିପାରିବା ନାହିଁ କିନ୍ତୁ ବିନାଶ ନ ହୋଇ କିଭଳି ବିକାଶ ଏବଂ ପ୍ରଦୂଷଣ ନ ହୋଇ ଉତ୍ପାଦନକୁ ବୃଦ୍ଧି କରାଯାଇ ପାରିବ ସେ ଦିଗରେ ଆମେ ଯତ୍ନବାନ ହେବା ଆବଶ୍ୟକ ବୋଲି ପ୍ରଫେସର ନନ୍ଦ କହିଥିଲେ ।
    ପ୍ରାଣୀମାନେ ମଣିଷମାନଙ୍କ ପାଇଁ ଖୁବ୍ ବିଶ୍ୱସ୍ତ । ସେମାନେ କଥା କହିପାରନ୍ତି ନାହିଁ ସତ କିନ୍ତୁ ନିଜର କାର୍ଯ୍ୟକଳାପ ମାଧ୍ୟମରେ ନିଜର ଭାବନାକୁ ପରିପ୍ରକାଶ କରିଥାଆନ୍ତି । ବର୍ତମାନ ସମୟରେ ପ୍ରାଣୀମାନଙ୍କ ପାଇଁ ବିଭିନ୍ନ ଏନ୍‌ଜିଓ, ସରକାରୀ ଓ ବେସରକାରୀ ସ୍ତରରେ ସେମାନଙ୍କର ଯତ୍ନ ନେବା ନିମନ୍ତେ ବିଭିନ୍ନ ସଂସ୍ଥା ରହିଛି । ପକ୍ଷୀମାନେ ଭଲ ପାଇବା ଓ ଯତ୍ନ ପାଇଲେ ସେମାନେ ମଧ୍ୟ ମଣିଷର ଅତି ନିଜର ହୋଇପଡ଼ନ୍ତି । ଅନେକ ସମୟରେ ଗୃହପାଳିତ ପଶୁ ଗୁଡ଼ିକ ଅନ୍ୟମାନଙ୍କ ଜୀବନ ରକ୍ଷା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିବାର ନଜିର ରହିଥିବା ସେ କହିଛନ୍ତି ।
    ପ୍ରାଣୀମାନଙ୍କ ଯତ୍ନ ନେବା ମନୁଷ୍ୟମାନଙ୍କର ପ୍ରଥମ କର୍ତବ୍ୟ ହେଉ । ପଶୁ ଏବଂ ପକ୍ଷୀଙ୍କ ଠାରୁ ସେମାନଙ୍କର ଏହି ସକରାତ୍ମକ କଳାକୁ ମନୁଷ୍ୟ ଗ୍ରହଣ କରିବା ଉଚିତ୍ । ସୋଆ ପରିଚାଳିତ ଆଇଭିଏସ୍‌ଏଏଚ୍‌ରେ ବିଭିନ୍ନ ପ୍ରକାର ସୁବିଧା ଓ ଚିକିତ୍ସା ଉପଲବ୍ଧ ରହିଛି ବୋଲି ପ୍ରଫେସର ନନ୍ଦ କହିଥିଲେ ।
    ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଆଇଏଏସ୍ ତଥା ନ୍ୟାସ୍‌ନାଲ୍ ଡାଏରୀ ଡେଭେଲମେଂଟ ବୋର୍ଡ (ଏନ୍‌ଡିଡିବି)ର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଦିଲୀପ ରଥ ଯୋଗ ଦେଇ କହିଥିଲେ ଯେ ଆଜିକାଲି ପ୍ରାଣୀ ଜଗତକୁ ସୁରକ୍ଷିତ ପରିବେଶ ଯୋଗାଇ ଦେବାରେ ମାନବ ଜାତି ଯତ୍ନବାନ ହେବା ଦରକାର । କେବଳ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ପ୍ରାଣୀ ପାଳିବା ନୁହେଁ ବରଂ ସେମାନଙ୍କର ଯତ୍ନ ନେବା ନିହାତି ଜରୁରୀ । ମାନବ ଜାତିର ଜୀବନ ପ୍ରକ୍ରିୟା ନିମନ୍ତେ ପଶୁ ଏବଂ ପକ୍ଷୀମାନଙ୍କର ଗୁରୁତ୍ୱ ଖୁବ୍ ଅଧିକ । କାରଣ ଅନେକ ଟୀକାକରଣ ପ୍ରଥମେ ପଶୁମାନଙ୍କ ଉପରେ ର୍ହି ପ୍ରୟୋଗ କରାଯାଇଥାଏ ।
    ଚଳିତ ବର୍ଷର ଥିମ୍ – ‘ ବିଶ୍ୱ ହେଉଛି ପ୍ରାଣୀମାନଙ୍କର ଉତମ ବାସସ୍ଥାନ’ – ଉପରେ ସମଗ୍ର ବିଶ୍ୱରେ ପ୍ରାଣୀମାନଙ୍କର ମଙ୍ଗଳ ସାଧନ ନିମନ୍ତେ ଜନ ସଚେତନତା ସୃଷ୍ଟି କରିବା ଦରକାର ବୋଲି ଡକ୍ଟର ରଥ କହିଥିଲେ ।
    ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓଡିଶା ଭେଟେରିନାରୀ କାଉନ୍‌ସିଲ୍‌ର ସଭାପତି ଡାକ୍ତର ରୁଦ୍ର ନାରାୟଣ ପଟ୍ଟନାୟକ ଯୋଗ ଦେଇ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ସହିତ ମଣିଷମାନଙ୍କ ପରି ପ୍ରାଣୀମାନଙ୍କର ବଂଚିବା ପାଇଁ ମଧ୍ୟ ମୌଳିକ ଅଧିକାର ରହିଛି ବୋଲି କହିଥିଲେ । ପୃଥିବୀର ସନ୍ତୁଳନ ରକ୍ଷା କରିବାରେ ପ୍ରାଣୀମାନଙ୍କର ଯଥେଷ୍ଟ ଅବଦାନ ରହିଛି । ପୃଥବୀର ସନ୍ତୁଳନ ରକ୍ଷା କରିବାରେ ପ୍ରାଣୀମାନଙ୍କର ଯେପରି ଭୂମିକା ରହିଛି, ମନୁଷ୍ୟମାନଙ୍କର ଅବଦାନ ମଧ୍ୟ ସେହିପରି ରହିଛି । ସମସ୍ତେ ସେମାନଙ୍କ ଖାଦ୍ୟପେୟ, ଚିକିତ୍ସା ଓ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେଲେ ବିଶ୍ୱ ପ୍ରାଣୀ ଦିବସର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେବ ବୋଲି ଡାକ୍ତର ପଟ୍ଟନାୟକ କହିଥିଲେ । ଏହି ଅବସରରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ବିଭିନ୍ନ କ୍ଷେତ୍ରର ସଫଳ ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା । କ୍ୟାମ୍ପସ୍ ପରିସରରେ ପ୍ରାଣୀଙ୍କ ଚିକିତ୍ସା ନିମନ୍ତେ ଉତମ ମେଡିସିନ୍ ଠାରୁ ଆରମ୍ଭ କରି ସେମାନେ ଆବଶ୍ୟକ କରୁଥିବା ବିଭିନ୍ନ ପ୍ରକାର ସାମଗ୍ରୀ ଗୁଡିକର ଏକ ପ୍ରଦର୍ଶନୀ ମଧ୍ୟ କରାଯାଇଥିଲା ।
    ଏହି ଅବସରରେ ଆଇଭିଏସ୍‌ଏଏଚ୍ ର ଅନେକ ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟି ମାନଙ୍କ ଦ୍ୱାରା କ୍ୟାମ୍ପସ୍ ପରିସରରୁ ଏକ ସଚେତନତା ରାଲି ଆରମ୍ଭ ହୋଇ ଏବଂ ସମ୍ ହସ୍ପିଟାଲଠାରେ ଶେଷ ହୋଇଥିଲା । ପ୍ରାଣୀଙ୍କ ସୁରକ୍ଷା ହିଁ ପ୍ରକୃତିର ସୁରକ୍ଷା ବୋଲି ଲୋକମାନଙ୍କ ପାଖରେ ଏହି ସଚେତନତା ବାର୍ତା ପହଂଚେଇବା ଏହି ରାଲି ର ଉଦ୍ଦେଶ୍ୟ ଥିଲା । ଏହି ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌) ର ଆସୋସିଏଟ୍ ଡିନ୍ ଡାକ୍ତର ସୁଶାନ୍ତ କୁମାର ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଓଏଲ୍‌ଡିଏସ୍‌ର ସେକ୍ରେଟେରୀ ଡକ୍ଟର ବୀର କିଶୋର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୋଆର ବିଭିନ୍ନ ଇନ୍‌ଷ୍ଟିଚ୍ୟୁଟ୍‌ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରକାର ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.9 ° C
    23.9 °
    23.9 °
    77 %
    1.6kmh
    26 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ