Sunday, May 3, 2026
40.4 C
Odisha

    ଅସମ୍ଭାଳ ତାତି: ୧୧ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ସତର୍କତା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଦିନକୁ ଦିନ ଅସମ୍ଭାଳ ହେଉଛି ତାତି। ରାଜ୍ୟରେ ଗ୍ରୀଷ୍ମପ୍ରବାହ ତେଜିବା ସହିତ ପୁଣି ଝାରସୁଗୁଡା ରାଜ୍ୟ ତଥା ଦେଶର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ଗତକାଲି ଝାରସୁଗୁଡାରେ ଦିନ ତାପମାତ୍ରା ୪୫.୪ଡିଗ୍ରୀ ଛୁଇଁଛି। ଟିଟିଲାଗଡ଼ରେ ୪୪ ଡିଗ୍ରୀ ରହିଛି। ଉପକୂଳରୁ ଦକ୍ଷିଣ ଏବଂ ପଶ୍ଚିମରୁ ଉତ୍ତର ସବୁଠି ତାପମାତ୍ରା ବଢ଼ିବା ସହ ଆର୍ଦ୍ରତା ଅଧିକ ରହିବା କାରଣରୁ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ରାଜ୍ୟର ୧୬ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଅତିକ୍ରମ କରିଛି। ଏହିସବୁ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ଲୋକେ ପଦାକୁ ବାହାରିବାକୁ ଡ଼ରୁଛନ୍ତି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ଲାଗି ରହିବାର ସମ୍ଭାବନା ଥିବାରୁ ଜନସାଧାରଣ ସତର୍କ ରହିବାକୁ ପାଣିପାଗ ବିଭାଗ ଏବଂ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କତା ଜାରି କରାଯାଇଛି।

    ଅନୁଗୋଳରେ ପାରଦ ୪୨.୯ଡିଗ୍ରୀ ଥିବାବେଳେ ବାରିପଦା ୪୦.୨, ସୁନ୍ଦରଗଡ ଓ ହୀରାକୁଦରେ ୪୩.୪, ସମ୍ବଲପୁର ଓ ବୌଦ୍ଧରେ ୪୩.୮, ତାଳଚେର ୪୨.୪, ଭବାନୀପାଟଣା ୪୨.୫, ବଲାଙ୍ଗିର ୪୩.୭, ସୁବର୍ଣ୍ଣପୁର ୪୩.୨, ପାରଳାଖେମୁଣ୍ଡି ୪୧, ବରଗଡ ୪୨.୨, ନୂଆପଡା ୪୨, ରାଉରକେଲା ୪୨.୪, ଭୁବନେଶ୍ବର ଏବଂ କଟକରେ ୩୭.୬ଡିଗ୍ରୀ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡା ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି। ସୁନ୍ଦରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର ଏବଂ ବରଗଡ଼ ଜିଲାର କିଛି ସ୍ଥାନରେ ପ୍ରବଳ ମାତ୍ରାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାରୁ ଏହିସବୁ ଜିଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ରାତିରେ ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବାର ସମ୍ଭାବନା ଥିବାରୁ ସମ୍ବଲପୁର, ସୁନ୍ଦରଗଡ ଏବଂ ବଲାଙ୍ଗିର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। କଳାହାଣ୍ଡି, ନୂଆପଡା, ଦେବଗଡ ଓ ଅନୁଗୋଳ ଜିଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇ ଥିବାବେଳେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର ଏବଂ ଢେଙ୍କାନାଳ ଜିଲ୍ଲାର ଅନେକ ସ୍ଥାନରେ ବାୟୁମଣ୍ଡଳର ଆର୍ଦ୍ରତା ପରିମାଣ ଅଧିକ ରହିବା ହେତୁ ପ୍ରଚଣ୍ଡ ଗୁଳୁଗୁଳି ଅନୁଭୂତ ହୋଇପାରେ। ଏଥିପାଇଁ ଉପରୋକ୍ତ ଜିଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇ ଥିବାବେଳେ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
    ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ; କିନ୍ତୁ ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ କମିପାରେ। ଝାରସୁଗୁଡା, ଅନୁଗୋଳ, ସମ୍ବଲପୁର, ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗିର, ବରଗଡ, ବୌଦ୍ଧ ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ପାରଦ ୪୩ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିବାର ସମ୍ଭାବନା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.4 ° C
    40.4 °
    40.4 °
    18 %
    3.7kmh
    36 %
    Sun
    40 °
    Mon
    40 °
    Tue
    39 °
    Wed
    39 °
    Thu
    40 °

    ସମ୍ବନ୍ଧିତ