Wednesday, February 18, 2026
32.5 C
Odisha

    ଆଉ ଗାଁ ଦାଣ୍ଡରେ ଦିଶୁନାହାନ୍ତି ଚକୁଳିଆ ପଣ୍ଡା, ଉତ୍କଳର ଲୋକକଳାକୁ ବଞ୍ଚାଇ ରଖିବାରେ ଏମାନଙ୍କ ଭୂମିକା

    ଆଗକୁ ପଢନ୍ତୁ

    କାହିଁ କେଉଁ କାଳର ଲୋକକଥା ଶୁଣିବାକୁ ମିଳେ ଶହେ ଜଣ ବ୍ରାହ୍ମଣଙ୍କୁ ଦାନ ଦେଲେ ଯେତିକି ପୂଣ୍ୟ ମିଳେ ଜଣେ ଚକୁଳିଆପଣ୍ଡାକୁ ଦାନ ଦେଲେ ସେତିକି ପୂଣ୍ୟ ମିଳେ। ଉତ୍କଳ ମାଟିର କୋଣ ଅନୁକୋଣରେ ଏମାନେ ବେଶ ପରିଚିତ ଥିଲେ। ଉତ୍କଳର ଲୋକକଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବାରେ ଏମାନଙ୍କ ଭୂମିକା ଥିଲା ଗୁତୁତ୍ୱପୂର୍ଣ୍ଣ। ହେଲେ ଆଧୁନିକତାର ଚାକଚକ୍ୟରେ ଏମାନଙ୍କ ଉତ୍ତରାଧିକାରୀ ମାନେ ଆଉ ଏହି କୂଳ ବେଉସା ପ୍ରତି ଅକୃଷ୍ଟ ହେଉନାହାନ୍ତି। ଏଥିପାଇଁ ଆଉ ଆମ ଗାଁ ଦାଣ୍ଡରେ ଦେଖାଯାଉନାହାନ୍ତି ‘ଚକୁଳିଆପଣ୍ଡା’।

    ଆଉ ଶୁଣିବାକୁ ମିଳୁନି ଗାଁ ଦାଣ୍ଡରେ ଚକୁଳିଆପଣ୍ଡାଙ୍କ ଦ୍ୱାରା ଆବୃତ ବିଭିନ୍ନ ଭଙ୍ଗିର ରାମ ନାମ ଓ ଆଧ୍ୟାତ୍ମିକ ସଙ୍ଗୀତ। କାହିଁ କେଉଁ ପୁରାତନ କାଳରୁ କୌଳିକ ବୃତ୍ତିଧାରୀ ପାରମ୍ପରିକ ରିତିରେ ଲିପ୍ତଥିବା ଚକୁଳିଆ ପଣ୍ଡା ଆଉ ଗାଁ ଦାଣ୍ଡରେ ଦିଶୁନାହାନ୍ତି। ଦିନକୁ ଦିନ ବଢ଼ୁଥିବା ସମୟ ଅନୁସାରେ ସେମାନେ ନିଜ କୌଳିକ ବୃତ୍ତିରୁ ଦୂରେଇ ଗଲେଣି। ଦେହରେ ଗେରୁଆ ବସ୍ତ୍ର, ମୁଣ୍ଡରେ ପଗଡ଼ି, ହାତରେ ତାଳପତ୍ର ଛତା, କାନ୍ଧରେ ଝୁଲାମୁଣି, ହାତରେ ପିତଳ ଢାଳ ଧରି ଖାଲି ପାଦରେ ଚାଲିଚାଲି ଦୁଆର ଦୁଆର ବୁଲନ୍ତି। ତୁଣ୍ଡରେ ନାନାଦି ଭଙ୍ଗୀର ପୌରାଣିକ କଥା କବିତା ମାଧ୍ୟମରେ ଗାଇ ଗାଇ ଗାଁରେ ଏ ମୁଣ୍ଡରୁ ସେ ମୁଣ୍ଡ ସାତଥର ବୁଲନ୍ତି। ବୁଲିବା ବେଳେ ଯିଏ ଯାହା ଦେଲା ତାକୁ ସାଦରେ ଗ୍ରହଣ କରି ଚାଲିଯାଆନ୍ତି। ତୁଣ୍ଡରେ ଅହରହ ରାମ ନାମ, ପୌରାଣିକ କଥାବସ୍ତୁ ସହିତ କେତେ ଭଙ୍ଗୀର କବିତା ଲୋକମାନଙ୍କୁ ବେଶ ଆକୃଷ୍ଟ କରିଥାଏ। ପୌରାଣିକ କବିତାକୁ ଶୁଣି ସାଧାରଣ ଲୋକମାନଙ୍କ ମନରେ ଧାର୍ମିକ ଓ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହେଉଥିଲା। ଯାହାଦ୍ୱାରା ଯୁବବର୍ଗ ସହିତ ମଧ୍ୟମ ବର୍ଗର ବ୍ୟକ୍ତିମାନେ ଧର୍ମ ଓ ସଂସ୍କୃତି ପ୍ରତି ଅକୃଷ୍ଟ ହେଉଥିଲେ। ପିଲାମାନେ ଚକୁଳିଆ ପଣ୍ଡା କବିତା ଶୁଣିବା ପରେ ଘରେ ଜେଜେବାପାଙ୍କୁ ମହାଭାରତ ଓ ରାମାୟଣ ତଥା ପୌରାଣିକ କଥାବସ୍ତୁ ବିଷୟରେ ଅଧିକ ଜାଣିବା ପାଇଁ ପଚାରୁଥିଲେ। ଏହା ସହିତ ଲୋକମାନେ ଦାନଧର୍ମ କରିବାର ସୁଯୋଗ ମଧ୍ୟ ପାଉଥିଲେ। ହେଲେ ବର୍ତ୍ତମାନ ଆଉ ଆମ ଗାଁ ଦାଣ୍ଡରେ ଦେଖାଯାଉନାହାନ୍ତି ‘ଚକୁଳିଆପଣ୍ଡା’। କଦବା କୋଚିତ ବର୍ଷେ କିମ୍ବା ୨ବର୍ଷରେ ଥରେ ଗାଁ ଦାଣ୍ଡରେ ଏମାନଙ୍କୁ ଦେଖିବାକୁ ମିଳୁଛି। ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ ଅଧୀନ ମଝିକେରା ସନ୍ନିକଟ ଗୌଡବାଟି ଗ୍ରାମରେ ଏବେବି ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି ଚକୁଳିଆପଣ୍ଡା ଶ୍ରୀରାମ ଦାଶଙ୍କ ପରିବାର। ଶ୍ରୀରାମ କୁହନ୍ତି ମୋର ଦୁଇଟି ପୁଅ। ବଡପୁଅ ଭୁବନେଶ୍ୱରରେ କାମ କରୁଛି ଓ ସାନପୁଅ ନବମ ଶ୍ରେଣୀରେ ପାଠ ପଢ଼ୁଛି। ମୋ ପିତୃପୁରୁଷମାନେ ଏହି କୌଳିକ ବୃତ୍ତିକୁ ଆପଣେଇ ଗାଁଗଣ୍ଡା ମାନଙ୍କରେ ବେଶ ସମ୍ମାନ ପାଉଥିଲେ। ହେଲେ ଆଜିକାଲି ଲୋକମାନେ ଆଉ ଆଦରର ସହିତ ଦାନଧର୍ମ କରିବାକୁ ପସନ୍ଦ କରୁନାହାନ୍ତି। ସରକାର ମଧ୍ୟ ଆମ ମାନଙ୍କ ପ୍ରତି କୌଣସି ଅନୁକମ୍ପା ଦେଖାଉନାହାନ୍ତି। ମୁଁ ଯେତେଦିନ ବଞ୍ଚିଥିବି ମୋ କୂଳ ବେଉସାକୁ ଆଦରି ବଞ୍ଚିବି। ହେଲେ ଲାଗୁଛି ମୋ ଅନ୍ତେ ମୋ ପିଲାମାନେ ଆଉ ଏହି କୌଳିକ ବୃତ୍ତିକୁ ଆଦରିବେ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.5 ° C
    32.5 °
    32.5 °
    17 %
    3.2kmh
    0 %
    Wed
    31 °
    Thu
    34 °
    Fri
    35 °
    Sat
    37 °
    Sun
    36 °

    ସମ୍ବନ୍ଧିତ