Friday, May 1, 2026
35.8 C
Odisha

    ଆଜିଠାରୁ ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫି ଟେଷ୍ଟ ଶୃଙ୍ଖଳାର ୨ୟ ମ୍ୟାଚ୍‌‌ ଆଜିଠାରୁ ଖେଳାଯିବ। ଅପରାହ୍ନ ସାଢେ ୩ଟାରେ ଆରମ୍ଭ ହେବ ମ୍ୟାଚ। ହେଡିଂଲି ଟେଷ୍ଟରେ ଭାରତ ପ୍ରଭାବଶାଳୀ ବ୍ୟାଟିଂ କରିଥିଲା। ମ୍ୟାଚ୍‌ରେ ୫ଟି ଶତକ ଓ ମୋଟ ୮୩୫ ରନ୍‌ କରିବା ସତ୍ତ୍ବେ ଭାରତ ପରାସ୍ତ ହୋଇଥିଲା। ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଘରୋଇ ଇଂଲଣ୍ଡ ୧-୦ରେ ଆଗୁଆ ରହିଛି। ଫଳରେ ଶୁଭମନ ଗିଲ୍‌ଙ୍କ ଭାରତୀୟ ଦଳ ଏବେ ଚାପରେ। ଶୃଙ୍ଖଳାକୁ ୧-୧ କରିବା ଲକ୍ଷ୍ୟରେ ଭାରତ ଏଜ୍‌ବାଷ୍ଟନ୍‌ ଟେଷ୍ଟରେ ଓହ୍ଲାଇବ। ଅନ୍ୟପକ୍ଷରେ ତା’ର ବାଜ୍‌ବଲ୍‌ ବ୍ୟାଟିଂ ରଣନୀତି ବଳରେ ପ୍ରଥମ ଟେଷ୍ଟକୁ ଜିତିଥିବା ଇଂଲଣ୍ଡ ଦୃଢ଼ ମନୋବଳ ସହ ଏହି ମ୍ୟାଚ୍‌ରେ ଓହ୍ଲାଇବ। ୪୮ ଘଣ୍ଟା ପୂର୍ବରୁ ଇଂଲଣ୍ଡ ଚୂଡାନ୍ତ ଦଳ ଘୋଷଣାକରି ଏହା ପ୍ରମାଣ ଦେଇଛି। ଅନ୍ୟପକ୍ଷରେ ତା’ର ଚୂଡ଼ାନ୍ତ ଏକାଦଶ ନେଇ ଦ୍ବନ୍ଦ୍ବରେ ରହିଛି ଭାରତୀୟ ଦଳ। ସବୁଠାରୁ ବଡ଼ ପ୍ରଶ୍ନବାଚୀ ହେଉଛି ମ୍ୟାଚ୍‌ ବିଜେତା ଫାଷ୍ଟ ବୋଲର ଯଶପ୍ରୀତ ବୁମ୍‌‌ରାଙ୍କୁ ନେଇ। ସେ ଏହି ମ୍ୟାଚ୍‌ ଖେଳିବେ ନା ବିଶ୍ରାମ ନେବେ; ତାହା ନିଶ୍ଚିତ ନୁହେଁ। ଫଳରେ ଇଂଲଣ୍ଡ ଆଗରୁ ରଣସଜା କରି ସାରିଥିବା ବେଳେ ଭାରତ ଶେଷ ମିନିଟ ପର୍ଯ୍ୟନ୍ତ ଅପେକ୍ଷା କରିଛି। ମ୍ୟାଚ୍‌ ଜିତିବା ପାଇଁ ୨୦ଟି ୱିକେଟ୍‌ ନେବା ଆବଶ୍ୟକ। ତେଣୁ ବୁମ୍‌ରାଙ୍କୁ ବିଶ୍ରାମ ଦେଲେ ଏହା କଷ୍ଟକର ହୋଇଯିବ।

    କିଛି ବର୍ଷ ପୂର୍ବରୁ ବୁମ୍‌ରା, ମହମ୍ମଦ ସାମି, ମହମ୍ମଦ ସିରାଜ୍ ଓ ଉମେଶ ଯାଦବ ଥିବା ବେଳେ ବିଦେଶରେ ମଧ୍ୟ ପ୍ରତିପକ୍ଷ ଦଳ ପିଚ୍‌ରେ ଘାସ ଛାଡ଼ିବାକୁ ଡରୁଥିଲେ। ହେଲେ ଏବେ ଆମ ପେସ୍‌ ବୋଲିଂରେ ସେ ଧାର ନାହିଁ। ଯଶପ୍ରୀତ ବୁମ୍‌ରାଙ୍କୁ ଛାଡ଼ି ଦଳରେ ମ୍ୟାଚ୍‌ ବିଜେତା ପେସ୍‌ ବୋଲର ନାହାନ୍ତି। ଘରୋଇ ପିଚ୍‌ରେ ଆମ ସ୍ପିନରଙ୍କୁ ଖେଳିବା ଅସମ୍ଭବ ବୋଲି କୁହା ଯାଉଥିବା ବେଳେ ନ୍ୟୁଜିଲାଣ୍ଡ ଏହାକୁ ଭୁଲ୍‌ ପ୍ରମାଣିତ କରି ୩-୦ରେ ଶୃଙ୍ଖଳା ପୋଛିଥିଲା। ପୁଣି ଅଷ୍ଟ୍ରେଲିଆରେ ଭାରତ ପ୍ରଥମ ଟେଷ୍ଟ ଜିତିବା ପ​‌େ​‌ର ପରବର୍ତ୍ତୀ ୪ଟିରୁ ୩ଟି ଟେଷ୍ଟ ହାରି ଶୃଙ୍ଖଳା ହାରିଥିଲା। ଫଳରେ ଭାରତ ଗତ ୯ଟିରୁ ୭ଟି ଟେଷ୍ଟରେ ପରାସ୍ତ ହୋଇଛି। ତେଣୁ ଭାରତ ଏହି ମ୍ୟାଚ୍‌ରେ ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବଙ୍କୁ ଖେଳାଇପାରେ। କାରଣ କୁଲଦୀପ ଜଣେ ଆକ୍ରମଣାତ୍ମକ ବୋଲର। ତାଙ୍କ ହାତରୁ ବଲ୍‌କୁ ପଢ଼ିବା କଷ୍ଟକର ହେବ। ତେବେ ନିଜ ତଳ ଅର୍ଡର ବ୍ୟାଟିଂ ଉପରେ ଭରସା ନଥିବାରୁ କୁଲଦୀପଙ୍କ ବଦଳରେ ୱାଶିଂଟନ ସୁନ୍ଦରଙ୍କୁ ସୁଯୋଗ ମିଳିପାରେ। ଏଜ୍‌ବାଷ୍ଟନ ପିଚ୍‌ରେ ଘାସ ଥିବାରୁ ପ୍ରଥମ ୩ ଦିନ ଏହା ପେସ୍‌ ବୋଲିଂ ଓ ବ୍ୟାଟିଂ ପାଇଁ ଅନୁକୂଳ ହେବ। ଏହି କାରଣରୁ କୁଲଦୀପଙ୍କୁ ସୁଯୋଗ ମିଳି ନପାରେ। ଗତ ମ୍ୟାଚ୍‌ରେ ଭାରତୀୟ ଉପର ଅର୍ଡର ବ୍ୟାଟ୍‌ସମ୍ୟାନ୍ ଚମତ୍କାର ପ୍ରଦର୍ଶନ କରି ୫ଟି ଶତକ ମାରିଥିଲେ। ହେଲେ ଦଳର ମଧ୍ୟକ୍ରମ ଓ ତଳ ଅର୍ଡର ନିରାଶ କରିଥିଲେ। ତା’ରି ଆଖଡ଼ାରେ ଇଂଲଣ୍ଡକୁ ମାତ୍‌ ଦେବାକୁ ହେଲେ ଭାରତର ମଧ୍ୟକ୍ରମ ଓ ତଳ ଅର୍ଡର ବ୍ୟାଟ୍‌ସମ୍ୟାନଙ୍କୁ ମଧ୍ୟ ରନ୍‌ କରିବାକୁ ପଡ଼ିବ। କରୁଣ ନାୟାର ଓ ସାଇ ସୁଦର୍ଶନ ହେଡିଂଲି​‌େ​‌ର ବିଫଳ ହୋଇଥିଲେ ହେଁ ଉଭୟଙ୍କୁ ଆଉ ଏକ ସୁଯୋଗ ମିଳିପାରେ। ତେଣୁ ଭାରତୀୟ ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନର ସମ୍ଭାବନା କମ୍। ତେବେ ଯଶପ୍ରୀତ ବୁମ୍‌ରା ଖେଳିବେ କି ନାହିଁ; ତାହା ଟସ୍ ପରେ ଜଣାପଡ଼ିବ। ଯଦି ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଏ; ତେବେ ଆକାଶଦୀ ଖେଳିବେ। ସାର୍ଦୁଳ ଠାକୁରଙ୍କ ସ୍ଥାନରେ ଅନ୍ୟ ଜଣେ ଅଲ୍‌ରାଉଣ୍ଡର ଖେଳିପାରନ୍ତି। ଏହି ସ୍ଥାନ ପାଇଁ ୱାଶିଂଟନ ସୁନ୍ଦର ଓ ନୀତୀଶ କୁମାର ରେଡ୍‌ଡୀଙ୍କ ମଧ୍ୟରେ ମୁକାବିଲା ହେବ। ଗତଥର ଏଠା​‌େ​‌ର ଭାରତ ଟେଷ୍ଟମ୍ୟାଚ୍‌ ଖେଳିଥିବା ବେଳେ ବୁମ୍‌ରା ଅଧିନାୟକ ଥିଲେ ଏବଂ ଭାରତ ପରାସ୍ତ ହୋଇଥିଲା।

    ବୁମ୍‌ରା ଏହି ମ୍ୟାଚ୍‌ ଖେଳିଲେ ମଧ୍ୟ ଅନ୍ୟ ପଟୁ ତାଙ୍କୁ ସହାୟତା ଆବଶ୍ୟକ। ତେଣୁ ସିରାଜ୍ ଓ ପ୍ରସିଦ୍ଧ କୃଷ୍ଣଙ୍କୁ ବୋଲିଂରେ ଉନ୍ନତି ଆଣିବାକୁ ହେବ। ପ୍ରଥମ ଟେଷ୍ଟର ୨ୟ ଇନିଂସରେ ୱିକେଟ୍‌ ପାଇନଥିବା ବୁମ୍‌ରାଙ୍କ ବିଷୟରେ ଚର୍ଚ୍ଚା ଅନାବଶ୍ୟକ ବୋଲି ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍‌ସ କହିଛନ୍ତି। ଇଂଲଣ୍ଡ ପ୍ରଥମ ଟେଷ୍ଟରେ ଯେଉଁ ରଣନୀତି ଆପଣାଇ ବିଜୟୀ ହୋଇଥିଲା; ତାହା ଜାରିରଖିବ। ଏଜ୍‌ବାଷ୍ଟନରେ ଭାରତ ଆଦୌ ଟେଷ୍ଟମ୍ୟାଚ୍‌ ଜିତିନାହିଁ। ଏଥର ଏହି ଧାରା ଭାଙ୍ଗିବାକୁ ଗିଲ୍‌ ସେନା ପ୍ରୟାସ କରିବେ। ଜୋ ରୁଟ୍‌ ଜୀବନର ଶ୍ରେଷ୍ଠ ବ୍ୟାଟିଂ ଫର୍ମରେ ଅଛନ୍ତି। ତେଣୁ ତାଙ୍କୁ ଜଲ୍‌ଦି ଆଉଟ୍‌ କରିବାକୁ ଭାରତ ଚାହିଁବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.8 ° C
    35.8 °
    35.8 °
    29 %
    3.2kmh
    28 %
    Fri
    40 °
    Sat
    41 °
    Sun
    41 °
    Mon
    40 °
    Tue
    36 °

    ସମ୍ବନ୍ଧିତ