ଭୁବନେଶ୍ୱର : ଆଜି ସାରା ବିଶ୍ୱ ପାଳନ କରୁଛି ଆନ୍ତର୍ଜାତୀୟ ଶ୍ରମିକ ଦିବସ ବା ‘ମେ ଡେ’ । ଆଜିର ଦିନଟି ସେହି ଅଗଣିତ ଶ୍ରମିକ ଓ କର୍ମଜୀବୀଙ୍କ ପାଇଁ ଉତ୍ସର୍ଗୀକୃତ, ଯେଉଁମାନଙ୍କ କଠିନ ପରିଶ୍ରମ ଉପରେ ଏହି ଦୁନିଆର ଅର୍ଥବ୍ୟବସ୍ଥା ଓ ପ୍ରଗତି ତିଷ୍ଠି ରହିଛି । ଶୋଷଣ ବିରୋଧରେ ସଂଗ୍ରାମ ଏବଂ ଅଧିକାର ପ୍ରାପ୍ତିର ଏକ ପ୍ରତୀକ ହେଉଛି ଏହି ମେ ୧ ତାରିଖ ।
ଶ୍ରମିକ ଦିବସର ଉତ୍ପତ୍ତି ୧୮୮୬ ମସିହାରେ ଆମେରିକାର ଚିକାଗୋ ସହରରୁ ହୋଇଥିଲା । ସେହି ସମୟରେ ଶ୍ରମିକମାନଙ୍କୁ ଦିନକୁ ୧୨ ରୁ ୧୬ ଘଣ୍ଟା କାମ କରିବାକୁ ପଡ଼ୁଥିଲା । ଏହାର ପ୍ରତିବାଦରେ ହଜାର ହଜାର ଶ୍ରମିକ ‘୮ ଘଣ୍ଟା କାର୍ଯ୍ୟ ଦିବସ’ ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ମେ ୪ ତାରିଖରେ ହେମାର୍କେଟ୍ ସ୍କୋୟାରରେ ଏକ ଶାନ୍ତିପୂର୍ଣ୍ଣ ସଭା ଚାଲିଥିବା ବେଳେ ବୋମା ବିସ୍ଫୋରଣ ଘଟି ଅନେକ ଲୋକ ମୃତାହତ ହୋଇଥିଲେ । ଏହି ଘଟଣାରେ ଅନେକ ଶ୍ରମିକ ନେତାଙ୍କୁ ଫାଶୀ ଦିଆଯାଇଥିଲା। ସେହି ସହିଦ ଶ୍ରମିକମାନଙ୍କ ସ୍ମୃତିରେ ଏବଂ ଶ୍ରମିକ ଏକତାକୁ ବଜାୟ ରଖିବା ପାଇଁ ୧୮୮୯ ମସିହାରେ ‘ମେ ୧’ କୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ଘୋଷଣା କରାଯାଇଥିଲା ।
ଭାରତରେ ପ୍ରଥମ କରି ୧ ମେ ୧୯୨୩ ମସିହାରେ ମାଡ୍ରାସ ଅର୍ଥାତ ବର୍ତ୍ତମାନର ଚେନ୍ନାଇଠାରେ ଶ୍ରମିକ ଦିବସ ପାଳନ କରାଯାଇଥିଲା । ‘ଲେବର କିଷାନ ପାର୍ଟି ଅଫ୍ ହିନ୍ଦୁସ୍ତାନ’ର କମ୍ରେଡ୍ ସିଙ୍ଗାରାଭେଲୁ ଏହାର ନେତୃତ୍ୱ ନେଇଥିଲେ । ସେହି ଦିନଠାରୁ ଭାରତରେ ଏହି ଦିନଟି ଶ୍ରମିକ ସଂଘଗୁଡ଼ିକ ଦ୍ୱାରା ଶୋଭାଯାତ୍ରା, ସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଆସୁଛି ।
ଚଳିତ ବର୍ଷ ଶ୍ରମିକ ଦିବସ କେବଳ ପାଉଣା କିମ୍ବା କାମ କରିବା ସମୟ ମଧ୍ୟରେ ସୀମିତ ନାହିଁ । ଶ୍ରମିକଙ୍କ ଉନ୍ନତିର ବିଭିନ୍ନ ଦିଗ ଉପରେ ଦିଆଯାଉଛି ଗୁରୁତ୍ବ ।
ଶ୍ରମର ସମ୍ମାନରେ ପ୍ରତ୍ୟେକ କାର୍ଯ୍ୟକୁ ସମ୍ମାନ ଦେବା, କର୍ମକ୍ଷେତ୍ରରେ ଶ୍ରମିକଙ୍କ ମାନସିକ ଓ ମନୋବିଜ୍ଞାନ ସୁସ୍ଥତା, ମହିଳା ଶ୍ରମିକଙ୍କ ସଶକ୍ତିକରଣ ପାଇଁ ସମାନ ମଜୁରୀ ଓ ନିରାପତ୍ତା, ଡିଜିଟାଲ ଯୁଗରେ ଅଟୋମେସନ୍ ଏବଂ ଗିଗ୍ ଇକୋନୋମିରେ ଶ୍ରମିକଙ୍କ ସୁରକ୍ଷା ଉପରେ ଗୁରୁତ୍ବ ରହିଛି ।
ଶ୍ରମିକ ଦିବସ କେବଳ ଏକ ଛୁଟି ଦିନ ନୁହେଁ, ଏହା ହେଉଛି ଏକ କୃତଜ୍ଞତା ଜଣାଇବାର ଦିନ । ଜଣେ ଚାଷୀଠାରୁ ଆରମ୍ଭ କରି ଡାକ୍ତର, ଇଞ୍ଜିନିୟର, ଶିକ୍ଷକ, ଡ୍ରାଇଭର ଏବଂ ନିର୍ମାଣ ଶ୍ରମିକ – ସମସ୍ତଙ୍କର ଅବଦାନ ଏହି ଦେଶ ଗଠନରେ ଅତୁଳନୀୟ । “ଶ୍ରମ ହିଁ ସମସ୍ତ ସମ୍ପତ୍ତି ଓ ସଂସ୍କୃତିର ମୂଳ ଉତ୍ସ ।”
