Thursday, February 12, 2026
30.9 C
Odisha

    ଚିନାବାଦାମର ଅଭାବୀ ବିକ୍ରି: ବେପାରୀଙ୍କ କବ୍‌ଜାରେ ଚାଷୀ

    ଆଗକୁ ପଢନ୍ତୁ

    ବ୍ରହ୍ମବରଦା: ସରକାର ଚାଷ ଓ ଚାଷୀଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା କରିବା ସହିତ ବଜେଟ୍‌ରେ ଏଥର ଆଖିଦୃଶିଆ ଅର୍ଥ ବ୍ୟବସ୍ଥା କରିଛନ୍ତି। ଅଥଚ ତୃଣମୂଳରେ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉନାହିଁ। ସରକାରୀ ଧାନମଣ୍ଡି ଯେପରି ମିଲର୍‌ ଓ ଦଲାଲଙ୍କ କବ୍‌ଜାକୁ ଚାଲିଯାଉଛି, ଠିକ୍ ସେହିପରି ରାଜ୍ୟର ସର୍ବାଧିକ ଚିନାବାଦାମ ଉତ୍ପାଦନ ହେଉଥିବା ଯାଜପୁର ଜିଲ୍ଲାରେ ବେପାରୀମାନେ ଏହାକୁ ନିୟନ୍ତ୍ରଣ କରୁଛନ୍ତି। ଚିନାବାଦାମ ଚାଷ ଆରମ୍ଭରୁ ବେପାରୀମାନେ ସାହୁକାର ଭଳି ଆ‌ଗୁଆ ବଇନା ଦେଇ ଉତ୍ପାଦିତ ଫସଲ କମ୍‌ ମୂଲ୍ୟରେ ହାତେଇ ନେଉଛନ୍ତି। ସରକାରୀସ୍ତରରେ ଚାଷୀଙ୍କଠାରୁ ଚିନାବାଦାମ କ୍ରୟ ପାଇଁ କୌଣସି ବ୍ୟବସ୍ଥା ନାହିଁ। ମାତ୍ର ଏଥର ୫ଟି ମଣ୍ଡି ଖୋଲାଯିବ ବୋଲି ମୁଖ୍ୟ କୃଷି ଅଧିକାରୀ ଅରୁଣ କୁମାର ବେ‌ହେରା ସୂଚନା ଦେଇଛନ୍ତି। ଯାହାଦ୍ବାରା ବେପାରୀଙ୍କ ଚକ୍ରବ୍ୟୂହରୁ ହଜାର ହଜାର ଚିନାବାଦାମ ଚାଷୀ ରକ୍ଷା ପାଇପାରିବେ।

    ସରକାରୀ ତଥ୍ୟ ମୁତାବକ, ଜିଲ୍ଲାରେ ଏଥର ୧୭,୭୭୬ ହେକ୍ଟର୍‌ ଜମିରେ ଚିନାବାଦାମ ଚାଷ ହୋଇଛି। ପ୍ରତି ହେକ୍ଟର୍‌ ପିଛା ୧୮ କ୍ବିଣ୍ଟାଲ୍‌ ଚିନାବାଦାମ ଉତ୍ପାଦନ ହେଉଛି। ଫଳରେ ଜିଲ୍ଲାରୁ ପ୍ରାୟ ୩.୨୦ ଲକ୍ଷ କ୍ବିଣ୍ଟାଲ୍‌ ଚିନାବାଦାମ ଉତ୍ପାଦନ ହେବାର ଲକ୍ଷ୍ୟ ରହିଛି। ଚିନାବାଦାମର ସରକାରୀ ଦର କ୍ବିଣ୍ଟାଲ୍‌ ପ୍ରତି ୬୭୮୩ଟଙ୍କା ଧାର୍ଯ୍ୟ ହୋଇଛି। ବେପାରୀମାନେ ୫ହଜାରରୁ ୫ହଜାର ୫ଶହ ଟଙ୍କାରେ କ୍ରୟ କରୁଛନ୍ତି। ପ୍ରତି କ୍ବିଣ୍ଟାଲ୍‌ରେ ୧୭ଶହ ଟଙ୍କାରୁ ଅଧିକ ମୁନାଫା କରୁଛନ୍ତି। ଚାଷୀମାନେ କି ଖରା, ବର୍ଷା, ଶୀତ, କାକରରେ ହାଡ଼ଭଙ୍ଗା ପରିଶ୍ରମ କରି ଧାନ ହେଉ କି ଚିନାବାଦାମ, ମୁଗ, ବିରି ଆଦି ଫସଲ ଉତ୍ପାଦନ କରୁଛନ୍ତି। ମୁନାଫାଖୋର ବ୍ୟବସାୟୀମାନେ ଦଲାଲଙ୍କ ଜରିଆରେ ଏହାକୁ ହଡ଼ପ କରୁଛନ୍ତି। ଫଳରେ ଚାଷୀମାନଙ୍କ ପାଇଁ ସରକାର ଯେତେ ଯୋଜନା କଲେ ମଧ୍ୟ ତା’ର ସୁଫଳ ସେମାନଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଏଥର ୨ଶହ ହେକ୍ଟର୍‌ ଜମିରେ ସରକାରୀ ଖର୍ଚ୍ଚରେ ଚିନାବାଦାମ ଚାଷ କରାଯାଇଛି। ସରକାରୀ ପ୍ରୋତ୍ସାହନରେ ୧୮,୫୦୦ ହେକ୍ଟର୍‌ ମୁଗ ଓ ୭,୪୦୦ ହେକ୍ଟର୍‌ ବିରି  ଚାଷ କରାଯାଇଛି ବୋଲି କୃଷି ଅଧିକାରୀ ଶ୍ରୀ ବେହେରା କହିଛନ୍ତି। ଧାନ ଯେପରି ସରକାରୀ ଦର କ୍ବିଣ୍ଟାଲ୍‌ ପ୍ରତି ୩୧୦୦ ଟଙ୍କା, ଚିନାବାଦାମ ସେହିପରି ୬୭୮୩ଟଙ୍କା, ମୁଗ କ୍ବିଣ୍ଟାଲ୍‌ ୮୬୮୨ ଟଙ୍କା ଓ ବିରି ୭୪୦୦ ଟଙ୍କା ଧାର୍ଯ୍ୟ ହୋଇଛି। ସରକାର ସହାୟକ ଦର ଘୋଷଣା କରିଥିଲେ ହେଁ ଚାଷୀମାନେ ଏହି ସୁଯୋଗରୁ ବଞ୍ଚିତ। ମଣ୍ଡିଗୁଡ଼ିକ ପରିଚାଳନା କରିବାରେ ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇଛି। ଫଳରେ କେତେକ ମିଲର୍‌ ଦଲାଲଙ୍କ ଜରିଆରେ ସରକାରୀ ମୂଲ୍ୟଠାରୁ ଢେର କମ୍ ମୂଲ୍ୟରେ ଫସଲ କିଣୁଛନ୍ତି। ଯାହାଫଳରେ ଚାଷୀମାନେ ଶୋଷିତ ହୋଇ ତଳିତଳାନ୍ତ ହେଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.9 ° C
    30.9 °
    30.9 °
    18 %
    2.5kmh
    2 %
    Thu
    32 °
    Fri
    32 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ