Wednesday, April 29, 2026
29.9 C
Odisha

    ନବ ଯୌବନ ଦର୍ଶନଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ନିରନ୍ତର ସ୍ବାସ୍ଥ୍ୟ ସେବା ପାଇଁ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମହାପ୍ରଭୁ ଜଗନ୍ନାଥଙ୍କର ଚଳିତ ବର୍ଷ ରଥଯାତ୍ରାରେ ନିରନ୍ତର ସ୍ବାସ୍ଥ୍ୟ ସେବା ନିଶ୍ଚିତ କରାଇବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ବିଭାଗୀୟ ଶାସନ ସଚିବ ଅଶ୍ବତୀ ଏସ.ଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସଭାଗୃହଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ବାସ୍ଥ୍ୟ ବିଭାଗ ଅନ୍ତର୍ଗତ ବିଭିନ୍ନ ନିର୍ଦ୍ଦେଶାଳୟ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ପ୍ରାକ୍-ପ୍ରସ୍ତୁତିର ସମୀକ୍ଷା କରି ମହାପ୍ରଭୁଙ୍କ ଯାତ୍ରା ସମୟରେ ସେବାୟତ, ଭକ୍ତ, ପର୍ଯ୍ୟଟକ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା, ଔଷଧ ଓ ମାନବ ସମ୍ବଳ ଆଗୁଆ ପୁରୀରେ ପ୍ରସ୍ତୁତ ରଖିବା ପାଇଁ ଶ୍ରୀମତୀ ଅଶ୍ବତୀ ସ୍ବାସ୍ଥ୍ୟ ବିଭାଗ ଅଧିନସ୍ଥ ସବୁ ନିର୍ଦ୍ଦେଶାଳୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
    ବୈଠକରେ ମୁଖ୍ୟତଃ ପୁରୀ ଜିଲ୍ଲାସ୍ଥିତ ବିଭିନ୍ନ ସରକାରୀ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବାର ଦୃଢ଼ୀକରଣ, ଆବଶ୍ୟକୀୟ ସଂଖ୍ୟକ ଫାଷ୍ଟ୍-ଏଡ କେନ୍ଦ୍ର ସ୍ଥାପନ, ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା, ପୁରୀରେ ଅଧିକ ବିଶେଷଜ୍ଞ, ଡାକ୍ତର, ନର୍ସିଂ ଅଫିସର ଓ ପାରାମେଡିକ୍ସ ନିୟୋଜନ, ଖାଦ୍ୟ ନିରାପତ୍ତା, କୌଣସି ପ୍ରକାର ସମ୍ଭାବ୍ୟ ସଂକ୍ରାମକ ରୋଗର ମୁକାବିଲା ଓ ନିୟନ୍ତ୍ରଣ, ଜନସ୍ବାସ୍ଥ୍ୟ ଓ ସାଧାରଣ ସଚେତନତା କାର୍ଯ୍ୟ ଆଦି ବିଷୟରେ ଆଲୋଚନା ହୋଇ ଆବଶ୍ୟକୀୟ ନିଷ୍ପତ୍ତିମାନ ନିଆଯାଇଥିଲା। ନବ ଯୌବନ ଦର୍ଶନ (୨୬ ଜୁନ୍) ରୁ ନୀଳାଦ୍ରୀ ବିଜେ(୮ ଜୁଲାଇ) ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କେ.ଡି.ଏମ୍.ଏମ୍ପୌରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ପୋଲିସ ହସ୍ପିଟାଲ, ସାକ୍ଷୀଗୋପାଳ, ମଙ୍ଗଳପୁର, ପିପିଲି ଷ୍ଟେସନ ରୋଡ, ରେବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଟି.ବି.ଆଇ.ଡି.ହସ୍ପିଟାଲ , ଜଗନ୍ନାଥ ମେଡିକାଲ କଲେଜରେ ଅଧିକ ସଂଖ୍ୟକ ବେଡ୍, ଚିକିତ୍ସା ସୁବିଧା ଏବଂ ଔଷଧ ଆଦିର ବ୍ୟବସ୍ଥା କରିବା ପାଇଁ ସ୍ଥିର ହୋଇଥିଲା।

    ଚଳିତ ବର୍ଷ ଅଧିକ ସଂଖ୍ୟକ ଫାଷ୍ଟ୍-ଏଡ କେନ୍ଦ୍ର ଖୋଲିବା ପାଇଁ ସ୍ଥିର କରାଯାଇଥିଲା। ଏହି କେନ୍ଦ୍ରଗୁଡ଼ିକ ୩ଟି ସିଫ୍ଟରେ ୨୪ ଘଣ୍ଟା ଭିତ୍ତିରେ କାର୍ଯ୍ୟ କରିବେ । ପ୍ରତି ସିଫ୍ଟରେ ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ, ଜଣେ ବହୁ ମୁଖି ସ୍ବାସ୍ଥ୍ୟ ସେବକ ଓ ଜଣେ ସହାୟକ ନିୟୋଜିତ ରହିବେ। ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ୧୨ଟି, ସମୁଦ୍ରକୂଳରେ ୩ଟି, ତାଳବଣିଆ ବସ ଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ୩ଟି, ପୁରୀ-ଭୁବନେଶ୍ବର ରାସ୍ତାରେ ୯ଟି, ପୁରୀ-କୋଣାର୍କ ରାସ୍ତାରେ ୪ଟି, ପୁରୀ-ସାତପଡ଼ା ରାସ୍ତାରେ ୨ଟି ଏହିପରି ୩୩ଟି ଫାଷ୍ଟ୍-ଏଡ କେନ୍ଦ୍ର ଖୋଲିବା ପାଇଁ ପ୍ରାଥମିକ ସ୍ତରରେ ନିଷ୍ପତ୍ତି ହୋଇଛି। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସମୁଦ୍ରକୂଳ, ସହର ଭିତର, ପୁରୀ-ଭୁବନେଶ୍ବର ରାସ୍ତା, ପୁରୀ-କୋଣାର୍କ ରାସ୍ତା ଓ ପୁରୀ-ସାତପଡ଼ା ରାସ୍ତାର ବିଭିନ୍ନ ସ୍ଥାନରେ ଅଧିକ ୩୧ଟି ଆମ୍ବୁଲାନ୍ସ ନିୟୋଜନ କରାଯିବ। ଅତିରିକ୍ତ ୭ଟି ୧୦୮-ଆମ୍ବୁଲାନ୍ସ ୨୦୩-ଜାତୀୟ ରାଜପଥର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ନିୟୋଜିତ ହେବ।

    ରଥଯାତ୍ରା ସମୟରେ ଜରୁରୀକାଳୀନ ସେବା ନିଶ୍ଚିତ କରିବା ପାଇଁ ୩୦୦ରୁ ଅଧିକ ବିଶେଷଜ୍ଞ, ଡାକ୍ତର, ସଂକ୍ରାମକ ରୋଗ ବିଶେଷଜ୍ଞ, ଫାର୍ମାସିଷ୍ଟ, ନର୍ସିଂ ଅଫିସର, ବହୁମୁଖି ସ୍ବାସ୍ଥ୍ୟ କର୍ମୀ, ଖାଦ୍ୟ ନିରାପତ୍ତା ଅଫିସର, ଡ୍ରେସର ଏବଂ ସହାୟକମାନଙ୍କୁ ନିୟୋଜିତ କରାଯିବ। ଖାଦ୍ୟ ନିରାପତ୍ତା ଏବଂ ସମ୍ଭାବ୍ୟ ସଂକ୍ରମଣ ନିରାକରଣ ନିମନ୍ତେ ଲଗାତର ତନଖି, ଜଳ ଉତ୍ସ ବିଶୁଦ୍ଧିକରଣ, ଜଳର ଗୁଣାତ୍ମକ ମାନ ଯାଞ୍ଚ, ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆଦିଚାଲୁ ରହିବ।
    ପର୍ଯ୍ୟାପ୍ତ ପରିମାଣର ଔଷଧ, ବ୍ଲଡ଼ ବ୍ୟାଙ୍କମାନଙ୍କରେ ଅଧିକ ବ୍ଲଡ଼ ୟୁନିଟ ମହଜୁଦ, ତୁରନ୍ତ ସେବା ପ୍ରଦାନକାରୀ ଦଳ ଗଠନ ଓ ଅଧିକ ବେଡ୍ ସ୍ଥାପନ ଆଦି କାର୍ଯ୍ୟ ନିଶ୍ଚିତ କରାଇବା ନିମନ୍ତେ ଶାସନ ସଚିବ ଅଶ୍ବତୀ ଏସ୍.ନିର୍ଦ୍ଦେଶ ଦେଇଥିଲେ। ଏସବୁ କାର୍ଯ୍ୟ ପାଇଁ ଆବଶ୍ୟକୀୟ ପାଣ୍ଠି ଯୋଗାଇ ଦିଆଯିବ ବୋଲି ମଧ୍ୟ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।
    ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡାକ୍ତର ବୃନ୍ଦା.ଡି, ରାଜ୍ୟ ଔଷଧ ନିଗମ ପରିଚାଳନା ନିର୍ଦ୍ଦେଶକ ଡାକ୍ତର ପୋମା ଟୁଡୁ, ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦ୍ଦେଶକ ଡାକ୍ତର ଅମରେନ୍ଦ୍ର ମହାନ୍ତିଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପୁରୀ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରୂପ ଭାନୁ ମିଶ୍ର, ଜଗନ୍ନାଥ ମେଡିକାଲ କଲେଜର ଅଧିକ୍ଷକ କୌଶିକ ମିଶ୍ର ଆଲୋଚନା ନିମନ୍ତେ ବିଭିନ୍ନ ପ୍ରସ୍ତାବ ଓ ତଥ୍ୟ ଉପସ୍ଥାପନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.9 ° C
    29.9 °
    29.9 °
    36 %
    1kmh
    6 %
    Wed
    43 °
    Thu
    41 °
    Fri
    40 °
    Sat
    41 °
    Sun
    40 °

    ସମ୍ବନ୍ଧିତ