Tuesday, May 12, 2026
38.8 C
Odisha

    ବଜେଟ୍‌ ଅଧିବେଶନ ଶେଷ: ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ପାରିତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ତଥା ବଜେଟ୍‌ ଅଧିବେଶନ ଶେଷ ହୋଇଛି। ତିନୋଟି କାର୍ଯ୍ୟ ଦିବସ ପୂର୍ବରୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି। ଏହି ଅଧିବେଶନ ୨୮ଟି କାର୍ଯ୍ୟ ଦିବସ ମଧ୍ୟରୁ ୨୫ଟି କାର୍ଯ୍ୟ ଦିବସ ଚାଲିଥିଲା। ଆଗକୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ନଥିବାରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବା ଲାଗି ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ, ଯାହାକୁ ସମର୍ଥନ କରିଥିଲେ ଏକାଧିକ ବିଧାୟକ। ପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି କରିଥିଲେ। ଗୃହର ୨୫ତମ କାର୍ଯ୍ୟ ଦିବସରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ-୨୦୨୪ ଏବଂ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ-୨୦୨୫ ବିଧାନସଭାରେ ପାରିତ ହୋଇଛି। ସେହିପରି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଗୃହରେ ପାରିତ ହୋଇଛି। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ବେଶ ଘଟଣା ବହୁଳ ଥିଲା। କଂଗ୍ରେସ ଦଳର ସମସ୍ତ ବିଧାୟକ ପ୍ରଥମ ଥର ପାଇଁ ବିଧାନସଭା ଇତିହାସରେ ଗୃହରୁ ନିଲମ୍ବିତ ହୋଇଥିଲେ। ଏହା ସହ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ଏବଂ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ ଆଲୋଚନା ବେଳେ ରାତି ତମାମ ଚାଲିଥିଲା ବିଧାନସଭା। ବୁଧବାର ସକାଳ ୧୦.୩୦ ମିନିଟରେ ଆରମ୍ଭ ହୋଇ ଗୃହ ଗୁରୁବାର ସକାଳ ୭ଟା ୫ ପର୍ଯ୍ୟନ୍ତ ଚାଲିଥିଲା।

    ବିଧାନସଭାରେ ବିଲ ପାସ ହେବାର ରେକର୍ଡ ରହିଛି ୨୦୦୩ ପୁଲିସ ବିଲ ପାସ ସମୟର। ତତ୍‌କାଳନୀ ମିଳିତ ସରକାର ୨୦୦୩ ନଭେମ୍ବର ୧୦ ତାରିଖରେ ପୁଲିସ ବିଲ ଆଣିଥିଲେ। ଏହି ବିଲ ୨୦୦୩ ନଭେମ୍ବର ୧୧ ଅପରାହ୍ନ ୩ଟା ୫୬ରୁ ଆରମ୍ଭ ହୋଇ ନଭେମ୍ବର ୧୨ ସକାଳ ୮ଟା ୩୨ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ସାଢେ ଷୋଳ ଘଣ୍ଟା ପର୍ଯ୍ୟନ୍ତ ବିଲ ପାସ ପାଇଁ ଚାଲିଥିବା ବିଧାନସଭା ସର୍ବକାଳୀନ ରେକର୍ଡ ରହିଛି। ଓଡିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ-୨୦୨୪ ପାରିତ ହେବା ପାଇଁ ସାଢେ ୧୨ ଘଣ୍ଟା ସମୟ ଲାଗିଛି।

    ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି, ଗଣତନ୍ତ୍ର ପୁଣି ବିଧାନସଭା ଗୃହରେ ପ୍ରତିଷ୍ଠା ହୋଇଛି। ସାଢେ ୧୨ ଘଣ୍ଟା ଆଲୋଚନା ପରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ପାରିତ ହୋଇଛି। କ୍ଲଜ ବାଏ କ୍ଲଜ ଆଲୋଚନା ବେଳେ ସବୁ ଉତ୍ତର ଉଚ୍ଚ ଶିକ୍ଷା ମନ୍ତ୍ରୀ ରଖିଛନ୍ତି। ଏହି ବିଲ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବ। ପୂର୍ବ ସରକାର ବିଶ୍ୱ ବିଦ୍ୟାଳୟ କ୍ଷମତା ସଂକୀର୍ଣ୍ଣ କରିଥିଲେ ଏବେ ତାହାକୁ ସ୍ୱାୟତ୍ତ କରାଯାଇଛି। ନୂଆ ବିଲ୍‌ ଦ୍ୱାରା ସରକାରୀ ନିୟନ୍ତ୍ରଣ କମିବ। ନୂଆ ବିଧାୟକଙ୍କୁ ବିଲ ବିଷୟରେ ବୁଝିବାକୁ ସୁଯୋଗ ମିଳିଛି। ଆମେ ରାତି ସାରା ଏଥିରେ ଭାଗ ନେଇଥିବାରୁ ଆମେ ଗର୍ବିତ।

    ବିଜେଡି ବିଧାୟକ ଅରୁଣ ସାହୁ ଗଣମାଧ୍ୟମକୁ କହିଛନ୍ତି, ଚଞ୍ଚକତା ପୂର୍ଣ୍ଣ ବିଲ ଆଣିଛନ୍ତି ବିଜେପି ସରକାର। ୨୦୨୪ରେ ଯେଉଁ ବିଲ ଅଣା ଯାଇଛି ୧୯୮୯ର ବିଲକୁ ସଂଶୋଧନ କରାଯାଇଛି ବୋଲି କୁହା ଯାଇଛି। ବିଲ୍‌ର ବୈଧତା କଣ ଅଛି ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରେ ଆଲୋଚନା ହେବ। ବିଲ୍‌ରେ ଗଭର୍ଣ୍ଣରଙ୍କ ପାୱାରକୁ କାଟି ଦିଆଯାଇଛି। ୟୁଜିସିର ଡ୍ରାଫ୍ଟ ଗାଇଡ଼ ଲାଇନ,  ଜାତୀୟ ଶିକ୍ଷା ନୀତିର ଗାଇଡ଼ ଲାଇନ ଓ ନୂଆ ବିଲ ମଧ୍ୟରେ ତାଳ ମେଳ ନାହିଁ। ଯେହେତୁ ୪ ବର୍ଷ ତଳେ ବିଜେପି ବିରୋଧରେ ଥିଲେ, ୟୁଜିସିକୁ ଲଗେଇ ମାମଲା କରିଥିଲେ। ତେଣୁ ନିଜ ଜିଦ ରକ୍ଷା ପାଇଁ ବିଲ ଆଣି ତରବରିଆ ଭାବେ ସଂଖ୍ୟା ବଳ ରେ ପାସ କରିଛନ୍ତି। ବିଲ ଉପରେ ସାଢେ ୧୨ ଘଣ୍ଟା ଆଲୋଚନା ହେଲା। ଆହୁରି ହୋଇ ପାରିଥାନ୍ତା। ହେଲେ ସେତିକି ସୁଯୋଗ ଦିଆଯାଉନି। ମୁଁ କେବଳ ୩ ଘଣ୍ଟା ୧୦ ମିନିଟ ଆଲୋଚନାରେ ଭାଗ ନେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    38.8 ° C
    38.8 °
    38.8 °
    20 %
    1.6kmh
    34 %
    Tue
    38 °
    Wed
    41 °
    Thu
    43 °
    Fri
    45 °
    Sat
    44 °

    ସମ୍ବନ୍ଧିତ