Saturday, March 14, 2026
21.9 C
Odisha

    ବିବାଦରେ ଜଷ୍ଟିସ ଯଶବନ୍ତ ବର୍ମାଙ୍କ ବଦଳି: ତଦନ୍ତ ରିପୋର୍ଟକୁ ଅପେକ୍ଷା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ ହୋଇଛି ବୋଲି ପ୍ରଚାର ହେବାପରେ ସୁପ୍ରିମକୋର୍ଟ ଆଜି ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏହି ମାମଲା ବିଷୟରେ ସୂଚନା ପାଇବା ମାତ୍ରେ ଆଜି ତୁରନ୍ତ କଲେଜିୟମର ଏକ ବୈଠକ ଡାକିଥିଲେ ଏବଂ ଅଭିଯୋଗ ଆ‌ଧାରରେ ପରବର୍ତ୍ତୀ ପଦକ୍ଷେପ ନେଇ ଆଲୋଚନା ହୋଇଥିଲା। ଏହାପରେ ଜଷ୍ଟିସ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହି ବଦଳି କୌଣସି ଅଭିଯୋଗ ଭିତ୍ତିରେ କିମ୍ବା ବିବାଦୀୟ କାରଣ ପାଇଁ ହୋଇନାହିଁ ବୋଲି କଲେଜିୟମ ସ୍ପଷ୍ଟ କରିଥିଲେ ମଧ୍ୟ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏଭଳି ବଦଳିକୁ ଆହ୍ଲାବାଦ ହାଇକୋର୍ଟ ବାର୍‌ ଆସୋସିଏନ ବିରୋଧ କରିଛି। ଆଜି ବାର୍‌ ପକ୍ଷରୁ କୁହାଯାଇଛି ଯେ ଆହ୍ଲାବାଦ ହାଇକୋର୍ଟ କୌଣସି ‘ଡଷ୍ଟବିନ୍‌’ ନୁହେଁ ଏବଂ ଏଭଳି ବଦଳିକୁ ଆମେ ଗ୍ରହଣ କରିବୁ ନାହିଁ। ବାର୍‌ ପକ୍ଷରୁ ଏ ନେଇ ପ୍ରଧାନ ବିଚାରପତିଙ୍କ ନିକଟକୁ ପତ୍ର ଲେଖି ଜଷ୍ଟିସ ବର୍ମାଙ୍କ ବଦଳିକୁ ବିରୋଧ କରାଯିବା ସହ ଏଭଳି ନିର୍ଦ୍ଦେଶକୁ କଲେଜିୟମ ପ୍ରତ୍ୟାହାର କରୁ ବୋଲି ଦାବି କରାଯାଇଛି। ତେବେ ଜଷ୍ଟିସ ବର୍ମାଙ୍କ ବିରୋଧରେ ଯୋଜନାବଦ୍ଧ ଭାବେ ମିଥ୍ୟା ଖବର ପ୍ରଚାର ହେଉଥିବାରୁ ବଦଳିକୁ ନେଇ ସୁପ୍ରିମ୍‌କୋର୍ଟ ସ୍ଥିତି ସ୍ପଷ୍ଟ କରିଛନ୍ତି ଏବଂ ଏହି ବଦଳି ଆଦେଶ କୌଣସି କାର୍ଯ୍ୟାନୁଷ୍ଠାନର ଅଂଶ ନୁହେଁ ବୋଲି କହିଛନ୍ତି।

    ବିଚାରପତିଙ୍କ ଘରୁ କୌଣସି ନଗଦ ଟଙ୍କା ଆମେ ପାଇନାହୁଁ ବୋଲି ଦିଲ୍ଲୀ ଅଗ୍ନିଶମ ବିଭାଗ ମୁଖ୍ୟ ବୟାନ ଦେବାପରେ ଏବେ ସମଗ୍ର ମାମଲାର ଯାଞ୍ଚ ରିପୋର୍ଟକୁ ସୁପ୍ରିମ୍‌କୋର୍ଟ ଅପେକ୍ଷା କରିଛନ୍ତି। ନ୍ୟାୟପାଳିକାର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ମିଛ ଖବର ପ୍ରଚାର କରାଯାଉଛି ବୋଲି କେତେକ ମହଲ ଅଭିଯୋଗ କରିଛନ୍ତି। ଏହାବ୍ୟତୀତ ସର୍ବୋଚ୍ଚ ଅଦାଲତ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଠାରୁ ମଧ୍ୟ ରିପୋର୍ଟ ମାଗିଛନ୍ତି।  ସୂଚନାଯୋଗ୍ୟ, ସାମ୍ବିଧାନିକ ଅଦାଲତର ବିଚାରପତିଙ୍କ ବିରୋଧରେ ଦୁର୍ନୀତି, ଅସଦାଚରଣ କିମ୍ବା ଅନିୟମିତତା ଅଭିଯୋଗର ମୁକାବିଲା ପାଇଁ ସୁପ୍ରିମକୋର୍ଟ ୧୯୯୯ ମସିହାରେ ଏକ ଆଭ୍ୟନ୍ତରୀଣ ପ୍ରକ୍ରିୟା ପ୍ରସ୍ତୁତ କରିଥିଲେ। ଅଭିଯୋଗ ପାଇବା ପରେ ପ୍ରଧାନ ବିଚାରପତି ଅଭିଯୁକ୍ତ ବିଚାରପତିଙ୍କ ଠାରୁ ଜବାବ ମାଗିପାରିବେ। ଯଦି ସେ ଉତ୍ତରରେ ସନ୍ତୁଷ୍ଟ ନହୁଅନ୍ତି କିମ୍ବା ଏହି ମାମଲାରେ ଗଭୀର ତଦନ୍ତର ଆବଶ୍ୟକତା ରହିଛି, ତେବେ ସେ ସୁପ୍ରିମ୍‌କୋର୍ଟର ଜଣେ ବିଚାରପତି ଏବଂ ହାଇକୋର୍ଟର ଦୁଇ ଜଣ ମୁଖ୍ୟ ବିଚାରପତିଙ୍କୁ ନେଇ ଏକ ଆଭ୍ୟନ୍ତରୀଣ ତଦନ୍ତ କମିଟି ଗଠନ କରିପାରିବେ।

    ବଦଳି ଆଦେଶକୁ ବିରୋଧ କଲା ଆହ୍ଲାବାଦ ହାଇକୋର୍ଟ ବାର୍‌

    ମହାଭିଯୋଗ ପ୍ରସଙ୍ଗରେ ସମ୍ବିଧାନ କ’ଣ କହୁଛି?

    ସମ୍ବିଧାନର ଧାରା ୧୨୪(୪)ରେ କୁହାଯାଇଛି ଯେ ଲୋକସଭା କିମ୍ବା ରାଜ୍ୟସଭାରେ ଉପସ୍ଥାପିତ ମହାଭିଯୋଗ ପ୍ରସ୍ତାବ ଆଧାରରେ ହିଁ ଜଣେ ବିଚାରପତିଙ୍କୁ ସଂସଦ ହଟାଇପାରିବ। ବିଚାରପତିମାନଙ୍କୁ ହଟାଇବା ପ୍ରକ୍ରିୟା ବିଚାରପତି ତଦନ୍ତ ଆଇନ, ୧୯୬୮ରେ ବର୍ଣ୍ଣନା କରାଯାଇଛି। ଆଜି ପର୍ଯ୍ୟନ୍ତ ମହାଭିଯୋଗ ପ୍ରକ୍ରିୟା ଅଧୀନରେ କୌଣସି ବିଚାରପତିଙ୍କୁ ହଟା ଯାଇନାହିଁ।  କଲିକତା ହାଇକୋର୍ଟ ବିଚାରପତି ସୌମିତ୍ର ସେନଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା, କିନ୍ତୁ ସେ ସଂସଦରେ ହାଜର ହେବା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଥିଲେ। ସିକ୍କିମ ହାଇକୋର୍ଟର ମୁଖ୍ୟ ବିଚାରପତି ଦିନାକରନଙ୍କ ବିରୋଧରେ ମଧ୍ୟ ସମାନ ପ୍ରସ୍ତାବ ଆଗତ ହୋଇଥିଲା। ସଂସଦର ସମ୍ମୁଖୀନ ହେବା ପୂର୍ବରୁ ସେ ତାଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.9 ° C
    21.9 °
    21.9 °
    32 %
    1.1kmh
    0 %
    Sat
    38 °
    Sun
    38 °
    Mon
    38 °
    Tue
    37 °
    Wed
    37 °

    ସମ୍ବନ୍ଧିତ