ବର୍ତ୍ତମାନ ସମୟରେ ଅନେକ ଯୁବପିଢି ଫିଟନେସକୁ ଅଧିକ ଗୁରୁତ୍ବ ଦେଉଛନ୍ତି । ସେଥିପାଇଁ ନିଜକୁ ଫିଟନେସକୁ ଧ୍ୟାନରେ ରଖି ଯୁବପିଢିମାନେ ଜିମ୍ ଯାଉଛନ୍ତି । ସେଥିପାଇଁ ଦିନକୁ ଦିନ ଜିମର କ୍ରେଜ୍ ବଢିବାରେ ଲାଗିଛି । ଜିମ୍ ଯାଇ ପ୍ରତିଦିନ ଏକ୍ସରସାଇଜ୍ କରିବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କିନ୍ତୁ ବେଳେବେଳେ କିଛି ଲୋକମାନେ ଜିମରେ ୱାର୍କଆଉଟ କରିବା ସମୟରେ ଅଚେତ୍ ହୋଇପଡନ୍ତି କିମ୍ବା ହାର୍ଟଆଟାକ୍ ଆସିଥାଏ । ଯାହା ୱାର୍କ ଆଉଟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେବେ କ’ଣ ଜିମରେ ୱାର୍କଆଉଟ ଅଧିକ କରିବା ଦ୍ବାରା ହାର୍ଟ ଆଟାକ୍ ଆସିଥାଏ କି? କିନ୍ତୁ ୱାର୍କଆଉଟ୍ ହାର୍ଟ ଆଟାକର କାରଣ ନୁହେଁ । ପ୍ରକୃତରେ, ନିୟମିତ ଶାରୀରିକ କାର୍ଯ୍ୟକଳାପ ଦୀର୍ଘକାଳୀନ ଭାବରେ ହୃଦରୋଗର ଆଶଙ୍କା ହ୍ରାସ କରିଥାଏ ।
ୱାର୍କଆଉଟ୍ ସମୟରେ ହୃଦସ୍ପନ୍ଦନ ବୃଦ୍ଧି ପାଏ ଏବଂ ଶରୀରକୁ ଅଧିକ ଅମ୍ଳଜାନ ଆବଶ୍ୟକ ହୁଏ। ଯଦି ଜଣେ ବ୍ୟକ୍ତିଙ୍କ କରୋନାରୀ ଧମନୀରେ ପୂର୍ବରୁ ପ୍ଲାକ୍ ଜମା ହୋଇସାରିଛି ଏବଂ ଏହା ଜାଣି ନାହାଁନ୍ତି ତେବେ ଶାରୀରିକ ଚାପ ବଢିଯାଇଥାଏ । କିଛି କ୍ଷେତ୍ରରେ ପ୍ଲାକ୍ ଫାଟି ଯାଇ ରକ୍ତ ଜମାଟ ବାନ୍ଧିଦିଏ । ଯାହା ହାର୍ଟ ଆଟାକର କାରଣ ହୋଇପାରେ । ବିଶେଷକରି ଯେଉଁମାନେ ଦୀର୍ଘ ସମୟ ଧରି ଶାରୀରିକ ଭାବରେ ସକ୍ରିୟ ନାହାଁନ୍ତି ଏବଂ ହଠାତ୍ ଭାରୀ ଓଜନ ଉଠାଇବା କିମ୍ବା ଉଚ୍ଚ-ତୀବ୍ରତା ବ୍ୟାୟାମ କରିବା ଆରମ୍ଭ କରନ୍ତି ସେମାନଙ୍କ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଉଚିତ । ହାର୍ଟଆଟାକ୍ ସମୟରେ ହୃଦୟର କୌଣସି ଏକ ରକ୍ତନଳୀରେ ରକ୍ତ ପ୍ରବାହ ବାଧାପ୍ରାପ୍ତ ହୋଇଥାଏ ।
ଅନ୍ୟପକ୍ଷରେ, ସଡନ୍ କାର୍ଡିଆକ୍ ଆରେଷ୍ଟ ସମୟରେ ହୃଦୟର ଇଲେକ୍ଟ୍ରିକାଲ୍ ଗତିବିଦ୍ଧି ହଠାତ୍ ବିଗିଡ଼ିଯାଏ ଏବଂ ହୃଦୟ ପ୍ରଭାବଶାଳୀ ଭାବେ ପମ୍ପ କରିବା ବନ୍ଦ କରିଦିଏ । ହାର୍ଟ ଆଟାକ୍ ସମୟରେ ବ୍ୟକ୍ତି ସାଧାରଣତଃ ସଚେତନ ରହିପାରନ୍ତି ଏବଂ ଛାତିରେ ଚାପ ବା ଯନ୍ତ୍ରଣା, ନିଃଶ୍ୱାସ ନେବାରେ କଷ୍ଟ, ଅଧିକ ଝାଳ ବାହାରିବା, ବାନ୍ତି ଆସିବା ଭଳି ଲକ୍ଷଣ ଦେଖାଦେଇପାରେ । କାର୍ଡିଆକ୍ ଆରେଷ୍ଟ ହେଲେ ବ୍ୟକ୍ତି ହଠାତ୍ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇପାରନ୍ତି ଏବଂ ସାଧାରଣ ଭାବେ ନିଃଶ୍ୱାସ ନେବା ବନ୍ଦ ହୋଇଯାଏ । ତେବେ କେତେକ କ୍ଷେତ୍ରରେ ହାର୍ଟ ଆଟାକ୍ ମଧ୍ୟ କାର୍ଡିଆକ୍ ଆରେଷ୍ଟର କାରଣ ହୋଇପାରେ । ବୟସ ବଢିବା, ଉଚ୍ଚ ରକ୍ତଚାପ, ଡାଇବେଟିସ୍ ଭଳି ସମସ୍ୟା ଯୋଗୁଁ ହାର୍ଟଆଟାକର ଲକ୍ଷଣ ଦେଖାଦେଇଥାଏ ।
ଯଦି ୱାର୍କଆଉଟ୍ ସମୟରେ ଛାତି ଯନ୍ତ୍ରଣା କିମ୍ବା ଅସ୍ବସ୍ତିକୁ ଥକ୍କାପଣ ଭାବି ବ୍ୟାୟାମ୍ ଜାରି ରଖିବା ବିପଦଜନକ ହୋଇପାରେ । ଛାତିରେ ଯନ୍ତ୍ରଣା, ଭାରିଲାଗିବା , ହାତ, କାନ୍ଧ,ପାଟି, ପିଠି ଏବଂ ବେକରେ ଯନ୍ତ୍ରଣା, ହଠାତ୍ ନିଶ୍ବାସ ନେବା କଷ୍ଟକର ହେବା, ମୁଣ୍ଡ ବୁଲାଇବା ଏବଂ ଦୁର୍ବଳ ଲାଗିବା, ଥଣ୍ଡା ଝାଳ ବାହାରିବା, ବାନ୍ତି ହେବା ଏବଂ ଅନିୟମିତ ହୃଦସ୍ପନ୍ଦନ ହେବା ହାର୍ଟ ଆଟାକର ଲକ୍ଷଣ ହୋଇଥାଏ । ଯଦି ଏହି ସବୁ ଲକ୍ଷଣ ଦେଖାଦେଉଛି ତେବେ ୱାର୍କଆଉଟ୍ କରିବା ବନ୍ଦ କରନ୍ତୁ ଏବଂ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ତେଣୁ ଏହି ଲକ୍ଷଣଗୁଡିକୁ ଅଣଦେଖା କରନ୍ତୁ ନାହିଁ ।
