Tuesday, March 17, 2026
36.4 C
Odisha

    ବିହାର ବିଜୟ ବଢ଼ାଇଲା ଧର୍ମେନ୍ଦ୍ରଙ୍କ ଗୁରୁତ୍ବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   :    ବିହାର ବିଧାନସଭା ନିର୍ବାଚନରେ ଏନଡିଏର ଅଭୂତପୂର୍ବ ବିଜୟକୁ କେହି କେହି ଅପ୍ରତ୍ୟାଶିତ କହିପାରନ୍ତି। ସମସ୍ତ ଏକ୍‌ଜିଟ୍‌ ପୋଲର ଆକଳନକୁ ଭୁଲ୍‌ ପ୍ରମାଣିତ କରି ଏନ୍‌ଡିଏର ବିପୁଳ ବିଜୟ ହୋଇଛି। ଏନଡିଏ ୨୦୨ ଆସନ ଦଖଲ କରିଛି। ଏହି ବିଜୟ ଯେତିକି ଉତ୍ସାହପ୍ରଦ; ବିଜେପି ତା’ର ଦ୍ବିତୀୟ ଥର ପାଇଁ ଅଧିକ ଆସନ ପାଇ ରାଜ୍ୟର ବୃହତ୍ ଦଳ ହେବା ସଂଗଠନ ଶକ୍ତିକୁ ଅଧିକ ମଜବୁତ୍‌ କରିଛି। ବିଜେପି ନେତୃତ୍ବାଧୀନ ଏନଡିଏର ଏହି ସଫଳତା ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୋଫାନୀ ପ୍ରଚାର, ବିଜେପି ଚାଣକ୍ୟ ଅମିତ ଶାହାଙ୍କ କୁଶଳ ରଣନୀତି ଏବଂ ବିହାର ପ୍ରଭାରୀ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ଷେତ୍ରୀୟ ସ୍ତରର ସଂଯୋଜନା କାର୍ଯ୍ୟକର୍ତ୍ତା ଓ ସହଯୋଗୀ ଦଳଙ୍କୁ ଏକାଠି କରି ଲଢାଇବା ଯୋଗୁଁ ସମ୍ଭବପର ହୋଇପାରିଛି। ଏହା ଯେ ବିଜେପିର କୁଶଳ ରଣନୀତି ଓ ସୁଦକ୍ଷ ନିର୍ବାଚନ ପରିଚାଳନାର ପ୍ରଭାବ ତାହାକୁ ବିରୋଧୀ ବି ସ୍ବୀକାର କରିବେ। ଏନଡିଏ ପାଇଁ ବିହାରର ଅଭୂତପୂର୍ବ ବିଜୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସ୍ଥିତିକୁ କେନ୍ଦ୍ରୀୟ ରାଜନୀତିରେ ଅଧିକ ସୁଦୃଢ଼ କରିଥିବା ରାଜନୀତିକ ପର୍ଯ୍ୟବେକ୍ଷକ ମତ ଦେଉଛନ୍ତି। ଶ୍ରୀପ୍ରଧାନ ବିହାର ନିର୍ବାଚନ ପାଇଁ ବିଜେପିର ପ୍ରଭାରୀ ତଥା ରଣନୀତିଜ୍ଞ ଭାବେ ଆରମ୍ଭରୁ ଅସଜଡା ମେଣ୍ଟର ତୁ ତୁ ମେ ମେକୁ ସୁଧାରିବା କାର୍ଯ୍ୟ କରିଥିଲେ। ଆସନ ବୁଝାମଣା ନେଇ ବିଜେପି ଓ ସଂଯୁକ୍ତ ଜନତା ଦଳ(ଜେଡିୟୁ) ମଧ୍ୟରେ ବେଶ୍‌ ଭିଡ଼ା ଓଟରା ସ୍ଥିତି ଉପୁଜିଥିଲା। ଏପରିକି ଚିରାଗ ପାଶ୍ବାନଙ୍କ ଲୋକଜନଶକ୍ତି ପାର୍ଟ(ଏଲ୍‌ଜେପି), ଜିତନ ରାମ ମାଞ୍ଝୀଙ୍କ ହାମ୍‌ ତଥା ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା(ଆର୍‌ଏଲ୍‌ଏମ୍‌) ଅଧିକ ଆସନ ଦାବି କରିଥିଲେ। ମାତ୍ର ସମସ୍ତଙ୍କୁ ଏକାଠି ବସାଇ ଆସନ ବୁଝାମଣା ଚୂଡାନ୍ତ କରିବା ପଛରେ ଶ୍ରୀ ଶାହା ଓ ଧର୍ମେନ୍ଦ୍ରଙ୍କ ରଣନୀତି ବେଶ୍‌ ସଫଳ ହୋଇଥିଲା। ଅପରପକ୍ଷରେ ଆରଜେଡି ନେତା ତେଜସ୍ବୀ ଯାଦବ ଓ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ମଧ୍ୟରେ ମହାମେଣ୍ଟ ଏହା କ୍ଷେତ୍ରରେ ସଫଳ ହୋଇ ନଥିଲା। କେବଳ ସେତିକି ନୁହେଁ; ଏକାଠି ଲଢିବା ଓ ମେଣ୍ଟ ପ୍ରାର୍ଥୀଙ୍କ ଲାଗି ଭୋଟ ଯୋଗାଡ ଲାଗି ତାଙ୍କ ‘ବୁଥ୍ ସ୍ତରୀୟ ପରିଚାଳନା’ ଓ କୁଶଳ ରଣନୀତି ବିଜୟର ପ୍ରମୁଖ କାରଣ କୁହାଯାଉଛି।

    ବିହାର ନିର୍ବାଚନ ସଫଳତା ପଛରେ ଧର୍ମେନ୍ଦ୍ରଙ୍କ ଭୂମିକା ନେଇ ରାଷ୍ଟ୍ରୀୟ ରାଜନୈତିକ ମଞ୍ଚରେ ଚର୍ଚ୍ଚା ବଢ଼଼ିଛି। ହରିଆଣା ବିଧାନସଭା ନିର୍ବାଚନ-୨୦୨୪ରେ ଦଳର ସଫଳତା ପରେ କ୍ରମାଗତ ଦ୍ୱିତୀୟ ଥର ବିଜେପିର ନିର୍ବାଚନ ପ୍ରଭାରୀ ଭାବେ ତାଙ୍କ ନେତୃତ୍ୱରେ ବିହାର ଭଳି ଦ୍ବିତୀୟ ବଡ଼ ରାଜ୍ୟରେ ଏନଡିଏର ଅଭୂତପୂର୍ବ ବିଜୟ ଘଟିଛି। ୨୦୧୭ରେ ଉତ୍ତରପ୍ରଦେଶର ପ୍ରଭାରୀ ଭାବେ ବିଜେପିକୁ ସଫଳତା ଦେଇସାରିଛନ୍ତି ଶ୍ରୀ ପ୍ରଧାନ। ୨୦୧୦ରେ ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ଗଡ଼କରୀଙ୍କ ସମୟରେ ବିହାର ରାଜ୍ୟର ସଂଗଠନ ପ୍ରଭାରୀ ଭାବେ ସେ ନିଯୁକ୍ତି ପାଇଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ସେତେବେଳେ ବିହାରରୁ ଏନଡିଏର ୩୧ ଜଣ ସାଂସଦ ଜିତିଥିଲେ। ସେହିପରି ୨୦୧୫ରେ ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ସମୟରେ ବିହାର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ତୁଲାଇଥିଲେ। ୨୦୧୨-୧୮ ମଧ୍ୟରେ ବିହାରରୁ ରାଜ୍ୟସଭାକୁ ଶ୍ରୀ ପ୍ରଧାନ ପ୍ରତିନିଧିତ୍ୱ କରିଥିଲେ। ଏହି ସମୟ କାଳରେ ପ୍ରଥମ ଥର ପାଇଁ ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିଲା। ପରବର୍ତ୍ତୀ ସମୟରେ ସେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପ୍ରତିନିଧିତ୍ବ କରିଥିଲେ। ୨୦୨୧ ପଶ୍ଚିମବଙ୍ଗ ନିର୍ବାଚନରେ ସେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ରଣନୀତି କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନନ୍ଦିଗ୍ରାମ ଆସନରୁ ହରାଇବାର ମୁଖ୍ୟ ସୂତ୍ରଧର ଥିଲେ। କେବଳ ସେତିକି ନୁହେଁ; ବିଜେପି ପଶ୍ଚିମବଙ୍ଗରେ ୭୭ ଆସନରେ ବିଜୟୀ ହୋଇଥିଲା। ମୋଦୀ ଓ ଶାହାଙ୍କ ରଣନୀତିକୁ ତୃଣମୂଳ ସ୍ତରରେ ଉତ୍ତମ ଭାବେ କାର୍ଯ୍ୟକାରୀ କରିବାରେ ଧର୍ମେନ୍ଦ୍ରଙ୍କ ଭୂମିକା ତାଙ୍କ ରାଜନୀତିକ ପତିଆରା ବଢାଇଛି। ଆଗକୁ ପୁଣି ଆସୁଛି ପଶ୍ଚିମବଙ୍ଗ ନିର୍ବାଚନ। ହୁଏତ ଧର୍ମେନ୍ଦ୍ରଙ୍କୁ ଏଠାରେ ପୁଣି ବଡ଼ ଦାୟିତ୍ବ ମିଳିପାରେ।

    ସମ୍ପ୍ରତି ଭାରତୀୟ ଜନତା ପାର୍ଟିର ପରବର୍ତ୍ତୀ ରାଷ୍ଟ୍ରୀୟ ସଭାପତି ପଦ ଦୌଡ଼ରେ ଶ୍ରୀ ପ୍ରଧାନଙ୍କ ନାଁକୁ ନେଇ ଚର୍ଚ୍ଚା ବଢିଛି। ବିହାର ନିର୍ବାଚନ ସଫଳତା ରାଷ୍ଟ୍ରୀୟ ରାଜନୀତିରେ ତାଙ୍କ ଗୁରୁତ୍ବ ଓ ପ୍ରଭାବକୁ ଅଧିକ ସଶକ୍ତ କରିଛି। ବିହାର ବିଜୟ ପୂର୍ବରୁ ସେ ଓଡ଼ିଶାରେ ବିଜେପିକୁ ପ୍ରଥମ ଥର ପାଇଁ ସରକାର ଗଠନରେ ସଫଳତା ଦେଇଥିବା ନେଇ ଆଲୋଚନା ହୁଏ। ୨୦୧୭ରେ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଉଲ୍ଲେଖନୀୟ ସଫଳତା ଦେବା ପଛରେ ଧର୍ମେନ୍ଦ୍ରଙ୍କ ରଣନୀତି ଥିଲା। ଏହି କ୍ରମାଗତ ନିର୍ବାଚନ ସଫଳତା ତାଙ୍କୁ ଦଳର ଶୀର୍ଷ ନେତୃତ୍ୱ ନିକଟରେ ଜଣେ ଅତ୍ୟନ୍ତ ବିଶ୍ୱସ୍ତ ତଥା ଦକ୍ଷ ନିର୍ବାଚନ ପରିଚାଳକର ପରିଚିତି ଦେଇଛି। ବିହାରରେ ଭୋଟ୍ ବ୍ୟାଙ୍କ ସହ ଯୋଡ଼ି ହେବା ଏବଂ ଗଠବନ୍ଧନ ସମୀକରଣକୁ ସୂକ୍ଷ୍ମ ଭାବେ ପରିଚାଳନା କରିବାର କ୍ଷମତା ପାଇଁ ସେ ପ୍ରଶଂସା ସାଉଁଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ। ତାଙ୍କୁ ଜାତୀୟ ସ୍ତରରେ ବିଜେପିର ବଡ଼ ରଣନୀତିଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଏକ କେନ୍ଦ୍ରୀୟ ଚରିତ୍ର ଭାବରେ ଗୁରୁତ୍ୱ ଦେଇଛି। ନିଜେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ବିହାରର ଫଳ ଆଗାମୀ ପଶ୍ଚିମବଙ୍ଗ ନିର୍ବାଚନ ଉପରେ ବଡ଼ ପ୍ରଭାବ ପକାଇବ। ଏହା ତାଙ୍କର ପ୍ରାସଙ୍ଗିକତାକୁ ଆହୁରି ବଢ଼ାଇଛି। କାରଣ ସେ ବର୍ତ୍ତମାନ ଦଳର ରାଷ୍ଟ୍ରୀୟ ବିସ୍ତାର ଯୋଜନା ପାଇଁ ଜଣେ ଶ୍ରେଷ୍ଠ ରଣନୀତିକାର ଭାବେ ପରିଗଣିତ ହେଉଛନ୍ତି।

    ବିଜୟ ପରେ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏନଡିଏକୁ ମିଳିଥିବା ଏହି ପ୍ରଚଣ୍ଡ ଜନାଦେଶ ହେଉଛି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାରର ଜନକଲ୍ୟାଣକାରୀ ନୀତିଗୁଡ଼ିକ ଉପରେ ସାଧାରଣ ଜନତାର ବଡ଼ ମୋହର। ବିହାରର ଜନତା ଜାତିବାଦ, ଜଙ୍ଗଲରାଜ, ପରିବାରବାଦ ଓ ନକାରାତ୍ମକ ରାଜନୀତିକୁ ସ୍ପଷ୍ଟ ପ୍ରତ୍ୟାଖାନ କରି ନିରନ୍ତର ପ୍ରଗତି ଏବଂ ବିକଶିତ ବିହାର ମାର୍ଗକୁ ବାଛିଛନ୍ତି ବୋଲି ଏହି ବିଜୟ ଦର୍ଶାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.4 ° C
    36.4 °
    36.4 °
    19 %
    3.8kmh
    86 %
    Tue
    35 °
    Wed
    36 °
    Thu
    36 °
    Fri
    35 °
    Sat
    33 °

    ସମ୍ବନ୍ଧିତ