Wednesday, May 20, 2026
32.6 C
Odisha

    ମାଟ୍ରିକ ପରୀକ୍ଷାଫଳ ୯୪.୬୯ ପ୍ରତିଶତ: ସବୁ ସ୍କୁଲରୁ ପାସ୍‌, ପାସ୍‌ ହାରରେ ଗଜପତି ଆଗରେ, କୋରାପୁଟରେ ସବୁଠୁ କମ୍‌

    ଆଗକୁ ପଢନ୍ତୁ

    ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୫ ହାଇସ୍କୁଲ ସାର୍ଟିଫ‌ିକେଟ୍ (ମାଟ୍ରିକ) ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ମାଟ୍ରିକ ରେଗୁଲାର୍, ଏକ୍ସ ରେଗୁଲାର୍‌ ଓ ପତ୍ରବିନିମୟ ଛାତ୍ରଛାତ୍ରୀଙ୍କ ମୋଟ ପାସ୍ ହାର ରହିଛି ୯୪.୬୯ ପ୍ରତିଶତ। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ଚଳିତବର୍ଷ ରେଗୁଲାର ଛାତ୍ରଙ୍କ ପାସ୍ ହାର ୯୪ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ରହିଛି ୯୬ ପ୍ରତିଶତ। ଏ ବର୍ଷ ଶୂନ୍ୟ ପାସ୍ ତାଲିକାରେ ରାଜ୍ୟର କୌଣସି ସ୍କୁଲ୍ ରହି ନଥିବା ବେଳେ ୩୨୭୩ଟି ସ୍କୁଲରେ ସମସ୍ତେ ପାସ୍ କରିଛନ୍ତି। ୨୦୨୪ରେ ପାସ୍ ହାର୍‌ ୯୬.୦୭ ପ୍ରତିଶତ ଥିଲା ବେଳେ ଚଳିତ ବ‌ର୍ଷ ୯୪.୬୯ ପ୍ରତିଶତକୁ ହ୍ରାସ ପାଇଛି।

    ଆଜି କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗଣଶିକ୍ଷା ବିଭାଗ କମିସନର ତଥା ପ୍ରମୁଖ ସଚିବ ଶାଳିନୀ ପଣ୍ଡିତ, ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ, ବୋର୍ଡ ଉପସଭାପତି ଡକ୍ଟର ନିହାରରଞ୍ଜନ ମହାନ୍ତି, ସଂପାଦକ ମଞ୍ଜୁଲତା ମଲ୍ଲିକ, ପରୀକ୍ଷା ନିୟନ୍ତ୍ରକ ଅମ୍ରିତା ପ୍ରୀତିନନ୍ଦା ପ୍ରମୁଖ ଉପସ୍ଥିତ ରହି ପରୀକ୍ଷାଫଳ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ମାଟ୍ରିକ୍ ପରୀକ୍ଷା ପାଇଁ ଚଳିତ ବର୍ଷ ମୋଟ ୫ ଲକ୍ଷ ୧୦ ହଜାର ୭୭୯ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୫ ଲକ୍ଷ ୨ ହଜାର ୪୧୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ତନ୍ମଧ୍ୟରୁ ୪ ଲକ୍ଷ ୮୪ ହଜାର ୮୬୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ୧୬୯ ଜଣ ମାଲ୍‌ପ୍ରାକ୍ଟିସ୍  ହୋଇଛନ୍ତି। ଜିଲ୍ଲା ଅନୁସାରେ ଗଜପତି ଜିଲ୍ଲାର ପାସ୍ ହାର ସର୍ବାଧିକ (୯୯.୩୫ ପ୍ରତିଶତ) ରହିଥିବା ବେଳେ କୋରାପୁଟ ଜିଲ୍ଲାର ପାସ୍ ହାର ସର୍ବନିମ୍ନ (୯୨.୮୩ ପ୍ରତିଶତ) ରହିଛି। ଗଜପତି ଜିଲ୍ଲା ପରେ ଗଞ୍ଜାମ ଜିଲ୍ଲାର ପାସ୍ ହାର୍‌ ୯୮.୧୦ ପ୍ରତିଶତ ଏବଂ ଝାରସୁଗୁଡ଼ା ଜିଲ୍ଲାର ପାସ୍ ହାର ୯୭.୮୭ ପ୍ରତିଶତ ରହିଛି। ଏ ବର୍ଷ କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ପାସ୍ ହାର (୯୨.୮୩ ପ୍ରତିଶତ) ରହିଛି। ଚଳିତ ବର୍ଷ ଫେବ୍ରୁଆରି ୨୦ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖରେ ଶେଷ ହୋଇଥିଲା। ପରୀକ୍ଷା ଶେଷ ହେବାର ୨ ମାସରୁ କମ୍ ସମୟ ମଧ୍ୟରେ ପରୀକ୍ଷାଫଳ ପ୍ରକାଶ କରି ବୋର୍ଡ ଏକପ୍ରକାର ରେକର୍ଡ କରିଥିବା କୁହାଯାଉଛି।

    ଚଳିତ ବର୍ଷ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୧୮୧୨ ଜଣ ଛାତ୍ରଛାତ୍ରୀ (ଏ-୧) ଗ୍ରେଡ୍‌ରେ ରହିଛନ୍ତି। କିନ୍ତୁ ମିଳିଥିବା ତଥ୍ୟ ଅନୁଯାୟୀ ପୂର୍ବ ବର୍ଷମାନଙ୍କ ତୁଳନାରେ ପରୀକ୍ଷା ପାଇଁ ଫର୍ମପୂରଣ କରିଥିବା, ପରୀକ୍ଷା ଦେଇଥିବା ଏବଂ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି। ତେବେ ପରୀକ୍ଷାଫଳର ଏକ ‌ଉଲ୍ଲେଖନୀୟ ଘଟଣା ହେଉଛି ଯେ ଚଳିତ ବର୍ଷ ସରକାରୀ ସ୍କୁଲ୍‌ଗୁଡ଼ିକ ଅପେକ୍ଷାକୃତ ଭାବେ ଘରୋଇ ଅଥବା ସରକାରୀ ସହାୟତାପ୍ରାପ୍ତ ସ୍କୁଲ୍ ତୁଳନାରେ ଭଲ ପ୍ରଦର୍ଶନ କରିଛନ୍ତି। ମୋଟ ୩୨୭୩ ସ୍କୁଲ ଶହେ ପ୍ରତିଶତ ପାସ୍ ହାର ରଖିଥିବା ବେଳେ ସେଥିରେ ୧୮୦୨ଟି ସରକାରୀ ସ୍କୁଲ୍‌, ୧୧୫୪ଟି ସରକାରୀ ସହାୟତାପ୍ରାପ୍ତ ସ୍କୁଲ ଏବଂ ୩୧୭ଟି ଘରୋଇ ସ୍କୁଲ୍ ଅଛନ୍ତି।

    ମେ ୫ରୁ ଅନ୍‌ଲାଇନ୍‌ରେ ଖାତାଯାଞ୍ଚ ଆବେଦନ  
    ମାଟ୍ରିକ ଛାତ୍ରଛାତ୍ରୀ ମେ ୫ରୁ ମେ ୧୬ ତାରିଖ ପର୍ଯ୍ୟନ୍ତ ଚେକିଂ-ଆଡିସନ୍‌ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ବୋର୍ଡ ୱେବ୍‌ସାଇଟ୍ www.bseodisha.ac.in ସହାୟତାରେ ସେମାନେ ଆବେଦନ କରିପାରିବେ। ସେହିପରି ଏହି ସମୟମୀମା ମଧ୍ୟରେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ରେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ ବା ଆଞ୍ଚଳିକ କାର୍ଯ୍ୟାଳୟରେ ଆବେଦନ କରିପାରିବେ।

    ମେ ୧୪ରୁ ସପ୍ଲିମେଣ୍ଟାରି ପରୀକ୍ଷା ଫର୍ମପୂରଣ
    ଯେଉଁ ଛାତ୍ରଛାତ୍ରୀମାନେ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ଥିଲେ, ପରୀକ୍ଷା ଦେଇ ଫେଲ୍ ହୋଇଛନ୍ତି ଅଥବା ମାଲ୍‌ ପ୍ରାକ୍ଟିସ୍ ହୋଇଛନ୍ତି, ସେମାନେ ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ମେ ୧୪ରୁ ମେ ୨୬ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ www.bseodisha.ac.inରେ ଫର୍ମପୂରଣ କରି ପାରିବେ।
    ମେ ୯ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ ବୋର୍ଡ ନିୟନ୍ତ୍ରଣ କକ୍ଷ
    ମାଟ୍ରିକ, ମଧ୍ୟମା ଓ ପତ୍ରମାଧ୍ୟମ ପରୀକ୍ଷାଫଳ ସଂପର୍କରେ କୌଣସି ସୂଚନା ପାଇବା ପାଇଁ ବୋର୍ଡ ପକ୍ଷରୁ ନିୟନ୍ତ୍ରଣକକ୍ଷ (କଣ୍ଟ୍ରୋଲ୍ ରୁମ୍‌) ଖୋଲା ଯାଇଛି। ଏହି ନିୟନ୍ତ୍ରଣକକ୍ଷ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟଦିବସର ଦିନ ସାଢ଼େ ଦଶଟାରୁ ଅପରାହ୍ଣ ପାଞ୍ଚଟା ପର୍ଯ୍ୟନ୍ତ ଖୋଲା ରହିବ। ୮୭୬୩୦୮୮୮୯୦/୦୬୭୧-୨୪୧୨୦୫୯/୨୪୧୨୦୬୦ ଫୋନ୍‌ ନମ୍ବରରେ ନିୟନ୍ତ୍ରଣକକ୍ଷ ସହ ଯୋଗାଯୋଗ ହୋଇପାରିବ।
    ଓପନ୍‌ ସ୍କୁଲ୍‌ ପାସ୍‌ ହାର ୭୪. ୭୮, ମଧ୍ୟମା ୮୫.୭୯%
    ବୋର୍ଡ ପରିଚାଳିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା (ପ୍ରଥମ) ଓ ମଧ୍ୟମା ପରୀକ୍ଷାଫଳ ମଧ୍ୟ ଆଜି ପ୍ରକାଶ ପାଇଛି। ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ରେ ୫୫୯୧ଜଣ ପରୀକ୍ଷା ଦେଇଥିବା ବେଳେ ୪୧୮୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ମୁକ୍ତ ବିଦ୍ୟାଳୟର ପାସ୍ ହାର୍ ୭୪.୭୮ ପ୍ରତିଶତ ରହିଛି। ଓପନ୍ ସ୍କୁଲରେ ୧୧ ଜଣ ମାଲ୍‌ପ୍ରାକ୍ଟିସ୍ ହୋଇଛନ୍ତି। ସେହିପରି ମଧ୍ୟମାରେ ୨୯୧୭ ଜଣ ପରୀକ୍ଷା ଦେଇଥିବା ବେଳେ ୨୮୬୮ ଜଣ ପାସ୍ କରିଛନ୍ତି। ପାସ ହାର୍‌ ୮୫.୭୯ ପ୍ରତିଶତ ରହିଛି।
    ଗ୍ରେସ୍‌ ୪ ନମ୍ବରକୁ ନେଇ ରହିଲା କେଁ 
    ଚଳିତ ବର୍ଷ ମାଟ୍ରିକ ସାଧାରଣ ବିଜ୍ଞାନ ପରୀକ୍ଷାର ସେଟ୍‌-ସି ପ୍ରଶ୍ନପତ୍ରରେ ୪ ନମ୍ବର ବିଶିଷ୍ଟ ଏକ ପ୍ରଶ୍ନ ନ ଥିଲା। ଅର୍ଥାତ୍‌ ପୂର୍ଣ୍ଣସଂଖ୍ୟା ୧୦୦ ହୋଇଥିବା ବେଳେ ମୋଟ ୯୬ ନମ୍ବରର ପ୍ରଶ୍ନ ଆସିଥିଲା। ଏଥିରେ ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ନମ୍ବର ମିଳିବା ପାଇଁ ଦାବି ହୋଇଥିଲା। ଆଜି ପରୀକ୍ଷାଫଳ ପ୍ରକାଶନ ସମୟରେ ଗ୍ରେସ୍‌ ନମ୍ବର ମିଳିଛି କି ନାହିଁ ପ୍ରଶ୍ନର କୌଣସି ସ୍ପଷ୍ଟ ଉତ୍ତର ବୋର୍ଡ କର୍ତ୍ତୃପକ୍ଷ ଦେଇ ପାରି ନଥିଲେ। କିନ୍ତୁ ସେହି ସେଟ୍ ପ୍ରଶ୍ନପତ୍ରରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦିଆଯାଇଛି ବୋଲି ବୋର୍ଡର ଉପସଭାପତି ଡକ୍ଟର ନିହାରରଞ୍ଜନ ମହାନ୍ତି କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    32.6 ° C
    32.6 °
    32.6 °
    33 %
    0.5kmh
    54 %
    Wed
    44 °
    Thu
    45 °
    Fri
    45 °
    Sat
    45 °
    Sun
    45 °

    ସମ୍ବନ୍ଧିତ