Tuesday, September 22, 2026
25.2 C
Odisha

    ସରିଲା ଶୀତ ଅଧିବେଶନ: ୧୬ଟି କାର୍ଯ୍ୟଦିବସ ଆଗରୁ ଶେଷ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ନଭେମ୍ବର ୨୬ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭାର ଶୀତ ଅଧିବେଶନ ତଥା ସପ୍ତଦଶ ବିଧାନସଭାର ଦ୍ବିତୀୟ ଅଧିବେଶନ ଆଜି ଶେଷ ହୋଇଛି। ବିଧାନସଭାରେ ଆଉ କୌଣସି ସରକାରୀ କାର୍ଯ୍ୟ ଏବଂ ଗୁରୁତ୍ବପୂର୍ଣ୍ଣ ଆଲୋଚନା ନଥିବାରୁ ଗୃହ ବନ୍ଦ କରିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ପ୍ରସ୍ତାବ ଦେଇଥିଲେ। ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଧାୟକ ଦୁର୍ଗାପ୍ରସନ୍ନ ନାୟକ ଏବଂ ଆକାଶ ଦାସନାୟକ ସମର୍ଥନ କରିଥିଲେ। ଏହାପରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ଦୃଷ୍ଟିରୁ ୨ଦିନ ଗୃହ କାର୍ଯ୍ୟ ବନ୍ଦ ଥିଲା। ଆଜି ୧୬ଟି କାର୍ଯ୍ୟ ଦିବସ ପୂର୍ବରୁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି।ଏହି ଅଧିବେଶନରେ ମୋଟ୍ ୭ଟି ସରକାରୀ କାର୍ଯ୍ୟ ଦିବସ ଥିବାବେଳେ ଗୋଟିଏ ଅଧ୍ୟାଦେଶ ଉପସ୍ଥାପନ ହୋଇଛି। ଏହାବାଦ୍ ୪ଟି ସରକାରୀ ବିଲ୍ ପ୍ରସ୍ଥାପନ ହୋଇଥିବାବେଳେ ଗୋଟିଏ ବିଲ୍ ଯଥା ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌, ୨୦୨୪ ଉପସ୍ଥାପନ ହୋଇପାରିନି। ଏହି ଅଧିବେଶନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌, ଓଡ଼ିଶା ସାର୍ବଜନୀନ ପରୀକ୍ଷା (ଅନୁଚିତ ସାଧନର ନିବାରଣ) ବିଲ୍‌, ୨୦୨୪ ଏବଂ ଓଡ଼ିଶା ଦ୍ରବ୍ୟ ଓ ସେବା କର (ଦ୍ବିତୀୟ ସଂଶୋଧନ) ବିଲ୍‌, ୨୦୨୪ ପାରିତ ହୋଇଛି। ଏହାସହ ୮ଟି ସିଏଜି ରିପୋର୍ଟ ଉପସ୍ଥାପନ ହୋଇଥିବାବେଳେ ୧୦ଟି ବେସରକାରୀ ସଭ୍ୟଙ୍କ ବିଲ୍‌ ପ୍ରସ୍ଥାପନ ହୋଇଛି। ୨ଟି ବେସରକାରୀ ସଭ୍ୟଙ୍କ ସଂକଳ୍ପ ଆଲୋଚନା ହୋଇଛି। ଶୀତ ଅଧିବେଶନରେ ଗୃହ କାର୍ଯ୍ୟ ଚଳାଇବାରେ ସମସ୍ତେ ସହଯୋଗ କରିଥିବାରୁ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଅପରପକ୍ଷେ ଆଜି ଗୃହ କାର୍ଯ୍ୟ ଶେଷ ହେଉଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତ୍ତି ରଖିବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିଜ ଆସନରେ ଛିଡ଼ା ହୋଇ କହିଥିଲେ, ଯେଉଁ ବିଲ୍‌ଟା ରହିଲା ସେନେଇ କିଛି ଆଲୋଚନା ହେଲାନି। ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌, ୨୦୨୪ ବିଧାନସଭାରେ ଉପସ୍ଥାପନ ହେବାକୁ ଆସିଥିଲେ ହେଁ କାହିଁକି ଉପସ୍ଥାପନ ହେଉନି ସେ ବିଷୟରେ କେହି କିଛି କହୁନାହାନ୍ତି। ଏହା ନିୟମ ବିରୁଦ୍ଧ କହି ସେ ଗୃହ ବାହାରକୁ ପଳାଇଥିଲେ। ଅପରାହ୍ନ ଅଧିବେଶନ ଆରମ୍ଭ ବେଳେ ସେ କହିଥିଲେ, ଆମେ ବିଶ୍ବସ୍ତ ସୂତ୍ରରୁ ଖବର ପାଉଛୁ ଯେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌ ଏଥର ଆସିବନି। ଏହା ସାଂଘାତିକ ବ୍ରେକ୍ ଡାଉନ୍ ପଲିସି। ସରକାର ବାରମ୍ବାର ରାଜ୍ୟପାଳଙ୍କୁ ଭେଟୁଛନ୍ତି। ଭାଗ ଛିଣ୍ଡୁନି ନା କ’ଣ? କେଉଁ ଭାଗ ଛିଡ଼ୁନି ଯେ ବିଲ୍‌ଟି ଆସିପାରୁନି?

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.2 ° C
    25.2 °
    25.2 °
    96 %
    1.7kmh
    100 %
    Tue
    25 °
    Wed
    26 °
    Thu
    27 °
    Fri
    29 °
    Sat
    30 °

    ସମ୍ବନ୍ଧିତ