ସ୍ୱପ୍ନ ଦେଖିବା ପାଇଁ ବଡ଼ ଘର ଦରକାର ନାହିଁ, ଦରକାର ଦୃଢ଼ ଇଚ୍ଛାଶକ୍ତି । ଏହାକୁ ପ୍ରମାଣ କରିଛନ୍ତି ମୁମ୍ବାଇର ଅଭିଷେକ ସୁଜିତ ଶର୍ମା । ଯେଉଁଠି ପାଠପଢ଼ା ପାଇଁ ନା ଥିଲା ଅଲଗା ରୁମ୍, ନା ଥିଲା ପର୍ଯ୍ୟାପ୍ତ ଇଣ୍ଟରନେଟ୍ ସୁବିଧା, ସେଇଠାରୁ ଆରମ୍ଭ କରି ଏବେ IIT ଦିଲ୍ଲୀରେ ପଢ଼ିବେ ଅଭିଷେକ । ମୁମ୍ବାଇର ଲୋକମାନ୍ୟ ତିଲକ ନଗରର ହରଦ ଚାଲ୍ରେ ରହୁଥିଲେ ଅଭିଷେକ ଓ ତାଙ୍କ ପରିବାର । ମାତ୍ର ୩ ହଜାର ଟଙ୍କା ଭଡ଼ାର ଏକ ଛୋଟ ଘରେ ୪ ଜଣଙ୍କ ପରିବାର । ବାପା ଏକ ଷ୍ଟିଲ୍ ଫ୍ୟାବ୍ରିକେସନ୍ କମ୍ପାନୀରେ ଶ୍ରମିକ ଭାବେ କାମ କରନ୍ତି। ଘରେ ନିଜସ୍ୱ ବାଥରୁମ୍ ମଧ୍ୟ ନଥିଲା । କିନ୍ତୁ ଏହି ଅଭାବ ଅଭିଷେକଙ୍କ ପାଠପଢ଼ାରେ ବାଧା ସାଜିପାରିନଥିଲା । ମୋବାଇଲ୍ ଡାଟା ସରିଗଲେ ସେ ଚାଲିଯାଉଥିଲେ ଘରର ଛାତ ଉପରକୁ। କାରଣ ପଡ଼ୋଶୀଙ୍କ Wi-Fi ସେଠାରେ ମିଳୁଥିଲା । ସେହି ଧାରର ଇଣ୍ଟରନେଟ୍ରେ ଅନଲାଇନ୍ କ୍ଲାସ୍ କରୁଥିଲେ, ପାଠ ପଢ଼ୁଥିଲେ ଏବଂ JEE ପାଇଁ ପ୍ରସ୍ତୁତି ନେଉଥିଲେ ।
ଅର୍ଥାତ୍, ଯେଉଁ ଛାତ ତଳେ ଅନ୍ୟମାନଙ୍କ ପାଇଁ ଖୋଲା ଆକାଶ, ଅଭିଷେକଙ୍କ ପାଇଁ ସେଇ ଛାତ ହୋଇଯାଇଥିଲା କ୍ଲାସରୁମ୍ । ଏପଟେ ପୁଅର ପାଠପଢ଼ା ପାଇଁ ମାତାପିତା ମଧ୍ୟ ନେଇଥିଲେ ବଡ଼ ତ୍ୟାଗ । ଅଭିଷେକ ଯେପରି ଆରାମରେ ପଢ଼ିପାରିବେ, ସେଥିପାଇଁ ବାପା-ମାଆ ଅନେକ ସମୟରେ ଚଟାଣରେ ଶୋଉଥିଲେ ଏବଂ ପୁଅକୁ ଖଟିଆ ଦେଉଥିଲେ ।
ଆଉ ଏବେ ସେହି ପରିଶ୍ରମର ଫଳ ମିଳିଛି । JEE Advancedରେ ୧୯୯ ମାର୍କ ରଖି ଅଭିଷେକ ଅଲ୍ ଇଣ୍ଡିଆ ରାଙ୍କ ୨୪୫୬ ହାସଲ କରିଛନ୍ତି । OBC-NCL ବର୍ଗରେ ତାଙ୍କ ରାଙ୍କ ରହିଛି ୪୧୫ । ଏବେ ଅଭିଷେକଙ୍କୁ ମିଳିଛି IIT ଦିଲ୍ଲୀରେ ଆଡମିଶନ୍। ତାଙ୍କ ଚାଲ୍ ସମୁଦାୟରୁ ସେ ପ୍ରଥମ IIT ଛାତ୍ର ହୋଇଛନ୍ତି ।
ଛୋଟ ଘର, ସୀମିତ ସୁବିଧା ଏବଂ ଧାରର ଇଣ୍ଟରନେଟ୍ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ପହଞ୍ଚିଛି IIT ଦିଲ୍ଲୀର କ୍ୟାମ୍ପସ୍ରେ । ଅଭିଷେକଙ୍କ କାହାଣୀ କହୁଛି ସୁଯୋଗ ସୀମିତ ହୋଇପାରେ, କିନ୍ତୁ ସ୍ୱପ୍ନ ଓ ପରିଶ୍ରମର ସୀମା ନାହିଁ ।
