Tuesday, September 22, 2026
25.8 C
Odisha

    ଓଡ଼ିଶା ଉପକୂଳରେ ONGCର ବଡ଼ ସଫଳତା, ସମୁଦ୍ର ଗର୍ଭରେ ମିଳିଲା ପ୍ରାକୃତିକ ଗ୍ୟାସ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : ଓଡ଼ିଶା ଉପକୂଳରେ ପ୍ରାକୃତିକ ଗ୍ୟାସ୍ ର ସନ୍ଧାନ ପାଇଛି ରାଷ୍ଟ୍ରାୟତ୍ତ ତୈଳ ଓ ପ୍ରାକୃତିକ ଗ୍ୟାସ୍ ନିଗମ ବା ONGC । କୋଣାର୍କଠାରୁ ସମୁଦ୍ର ମଧ୍ୟରେ ପ୍ରାୟ ୪୩ କିଲୋମିଟର ଦୂର ମହାନଦୀ ଅଫ୍ ଶୋର ବେସିନର ଗଭୀର ଜଳ କୂପରେ ଗ୍ୟାସ୍ ମିଳିଛି । ଗତକାଲି ONGC ପକ୍ଷରୁ ଏହି ସୂଚନା ଦିଆଯାଇଛି। MN-DW18-1-H-D ବା MDW-28 ନାମକ କୂପଟି କେନ୍ଦ୍ର ସରକାରଙ୍କ ‘ସମୁଦ୍ର ମନ୍ଥନ’ ଗଭୀର ସମୁଦ୍ର ଅନୁସନ୍ଧାନ ଅଭିଯାନ ଅଧୀନରେ ମହାନଦୀ ବେସିନ୍ ରେ ଖନନ ହୋଇଥିବା ପ୍ରଥମ କୂପ ।

    ଭୂଗର୍ଭ ତଥ୍ୟର ଅନୁଧ୍ୟାନ ପରେ ଗତ ୧୮ରେ କୂପରେ ପରୀକ୍ଷାମୂଳକ ଭାବେ ଛିଦ୍ର କରାଯାଇଥିଲା । ଏହାପରଠାରୁ ତିନିଦିନ ଧରି ଗ୍ୟାସ୍ ପ୍ରବାହ ଜାରି ରହିଛି । ଗ୍ୟାସ୍ ପ୍ରବାହ ଓ ଭଣ୍ଡାରର ଚାପ ଉତ୍ସାହଜନକ ରହିଥିବା ONGC କହିଛି । କୂପର ୧ ହଜାର ୪୪୧ରୁ ୧ ହଜାର ୪୫୨ ମିଟର ଗଭୀରତା ମଧ୍ୟରେ ଗ୍ୟାସ୍ ସ୍ତର ଚିହ୍ନଟ ହୋଇଛି । କୂପର ନିର୍ଦ୍ଧାରିତ ମୋଟ ଗଭୀରତା ୧ ହଜାର ୬୨୩ ମିଟର ରହିଛି । ତେବେ ଏହାକୁ ଏପର୍ଯ୍ୟନ୍ତ ବାଣିଜ୍ୟିକ ଗ୍ୟାସ୍ କ୍ଷେତ୍ର ଭାବେ ଘୋଷଣା କରାଯାଇନାହିଁ ।  ଭଣ୍ଡାରର ଆକାର, ଉତ୍ପାଦନ କ୍ଷମତା ଓ ଆର୍ଥିକ ବ୍ୟବହାରଯୋଗ୍ୟତା ଜାଣିବା ପାଇଁ ଅଧିକ ଆପ୍ରେଜାଲ୍ କୂପ ଖନନ ସହ ବ୍ୟାବସାୟିକ ମୂଲ୍ୟାୟନ କରାଯିବ । ସମୁଦ୍ର କୂଳଠାରୁ କୂପର ଦୂରତା ଅପେକ୍ଷାକୃତ କମ୍ । ତେଣୁ ପରବର୍ତ୍ତୀ ଅନୁସନ୍ଧାନରେ ପର୍ଯ୍ୟାପ୍ତ ଗ୍ୟାସ୍ ଭଣ୍ଡାର ପ୍ରମାଣିତ ହେଲେ ଶୀଘ୍ର ଉତ୍ପାଦନ ଓ ବାଣିଜ୍ୟିକ ବ୍ୟବହାର ସମ୍ଭବ ହୋଇପାରେ ।

    ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ନିୟମ-୨୦୨୫ ଅନୁସାରେ ଏହି ଆବିଷ୍କାରକୁ ନିକଟବର୍ତ୍ତୀ ଅନ୍ୟ ଗ୍ୟାସ୍ କ୍ଷେତ୍ର ସହ ମିଳିତ ଭିତ୍ତିଭୂମିରେ ବିକଶିତ କରାଯାଇପାରେ । କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ୨୦୨୬ ଜୁଲାଇ ୨୫ରେ ‘ପ୍ଲାଟିନମ୍ ଏକ୍ସପ୍ଲୋରର୍ ’ ଡ୍ରିଲ୍ ସିପ୍ ମାଧ୍ୟମରେ ଏହି କୂପର ଖନନ ଆରମ୍ଭ କରିଥିଲେ। ଅଗଷ୍ଟ ୨୭ରେ ONGC ଅଧ୍ୟକ୍ଷ ତଥା ସିଇଓ ଅରୁଣ କୁମାର ସିଂହ ଓ କମ୍ପାନୀର ଅନ୍ୟ ନିର୍ଦ୍ଦେଶକମାନେ ଡ୍ରିଲିଂ ରିଗ୍ ପରିଦର୍ଶନ କରିଥିଲେ । ୨୦୨୪ରେ ମହାନଦୀ ବେସିନ୍ ରେ ହୋଇଥିବା ‘ଉତ୍କଳ’ ଓ ‘କୋଣାର୍କ’ ଆବିଷ୍କାର ପରେ ଏହି ନୂଆ ସନ୍ଧାନ ONGCର ଗଭୀର ସମୁଦ୍ର ଅନୁସନ୍ଧାନକୁ ଆହୁରି ଶକ୍ତି ଦେଇଛି । ଦେଶରେ ତୈଳ ଓ ଗ୍ୟାସ୍ ର ଘରୋଇ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ମଧ୍ୟ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଅନୁସନ୍ଧାନ ସଫଳତା ଭାବେ ଦେଖାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.8 ° C
    25.8 °
    25.8 °
    90 %
    2.4kmh
    100 %
    Tue
    26 °
    Wed
    26 °
    Thu
    25 °
    Fri
    28 °
    Sat
    26 °

    ସମ୍ବନ୍ଧିତ