Friday, May 8, 2026
25.4 C
Odisha

    ୧୭ ରୁ ୯ ବିଶ୍ବବିଦ୍ୟାଳୟର ନାହିଁ ନାକ୍‌ ମାନ୍ୟତା

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି। ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଧ୍ୟାପକ ପଦ ୬୦ଧରୁ ଅଧିକ ଖାଲିପଡ଼ିଥିବାବେଳେ ବହୁ ବିଶ୍ବବିଦ୍ୟାଳୟରେ ସ୍ଥାୟୀ କୁଳପତି ନାହାନ୍ତି। ​ସେହିପରି ବିନା ଜାତୀୟ ମୂଲ୍ୟାଙ୍କନ ଓ ସ୍ବୀକୃତି ପରିଷଦ (ନାକ୍) ମାନ୍ୟତାରେ ଅର୍ଦ୍ଧାଧିକ ଉଚ୍ଚ ଶିକ୍ଷାନୁଷ୍ଠାନ ଚାଲିଛି। ନାକ୍ ମାନଦଣ୍ଡ ପୂରଣ କରିବାରେ ଅଧିକାଂଶ ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ବିଫଳ ହେଉଛନ୍ତି। ଅନୁନ୍ନତ ଭିତ୍ତିଭୂମି ଓ ଶିକ୍ଷକ ଅଭାବ ଲାଗି ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ନାକ୍ ମାନ୍ୟତା ହାସଲ କରିପାରୁ ନାହାନ୍ତି। ଯାହା ଫଳରେ ଅନୁଦାନ ଅଟକିବା ସହ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ମଧ୍ୟ ପ୍ରଭାବିତ ହେଉଛି। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, ଗଙ୍ଗାଧର ମେହର ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ, ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ, ଏମ୍‌ଏସ୍‌ ଲ’, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ଧରଣୀଧର ବିଶ୍ବବିଦ୍ୟାଳୟ ଓ ଓଡ଼ିଆ ବିଶ୍ବବିଦ୍ୟାଳୟ ପରି ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟର ନାକ୍‌ ମାନ୍ୟତା ନଥିବା ନେଇ ଶିକ୍ଷାବିତମାନେ ଚିନ୍ତାପ୍ରକଟ କରିଛନ୍ତି।

    ଉଚ୍ଚଶିକ୍ଷା ବିଭାଗର ତଥ୍ୟ ଅନୁସାରେ, ରାଜ୍ୟରେ ମୋଟ ୧୭ଟି ସରକାରୀ ବିଶ୍ବବିଦ୍ୟାଳୟ, ୬୬ଟି ସରକାରୀ ମହାବିଦ୍ୟାଳୟ, ୧୬ଟି ସରକାରୀ ଶିକ୍ଷକ ଶିକ୍ଷା ଅନୁଷ୍ଠାନ ଏବଂ ୬୪୮ଟି ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ୮ଟି ସରକାରୀ ବିଶ୍ବବିଦ୍ୟାଳୟ, ୨୫ଟି ସରକାରୀ ମହାବିଦ୍ୟାଳୟ ଏବଂ ୨୧୨ଟି ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ନାକ୍ ଅଧିକୃତ ହୋଇଛି। ବାକି ୯ଟି ବିଶ୍ବବିଦ୍ୟାଳୟ, ୪୧ଟି ସରକାରୀ ମହାବିଦ୍ୟାଳୟ ଏବଂ ୪୩୬ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ନାକ୍‌ ମାନ୍ୟତା ନାହିଁ।ନାକ୍ ମାନ୍ୟତା ହାସଲ ପାଇଁ ସମ୍ପୃକ୍ତ ମହାବିଦ୍ୟାଳୟ ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ହେବା ଦରକାର। ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ୟୁଜିସି ଅଧିନିୟମ, ୧୯୫୬ର ଧାରା ୨ (ଏଫ) ଏବଂ ୧୨ (ବି)ରେ ପଞ୍ଜିକୃତ ହୋଇଥିବା ଆବଶ୍ୟକ। ଶିକ୍ଷାନୁଷ୍ଠାନଗୁଡ଼ିକରେ ୨ ଦଫାରେ ପିଲାମାନେ ଉତ୍ତୀର୍ଣ୍ଣ ହୋଇଥିବା ଦରକାର। ଓଡ଼ିଶାର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ନାକ୍ ମାନ୍ୟତା ନୈରାଶ୍ୟ ରହିଛି। ରାଜ୍ୟରେ କମ୍ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ନାକ୍ ମାନ୍ୟତା ପାଇବା ପାଇଁ ଆବେଦନ କରୁଛନ୍ତି। ଶିକ୍ଷକ ଓ ଭିତ୍ତିଭୂମି ଅଭାବ କାରଣରୁ ଅନେକ ମହାବିଦ୍ୟାଳୟ ନାକ୍‌ ପାଇଁ ଆବେଦନ କରୁନାହାନ୍ତି। ଆବେଦନ କଲେ ନାକ୍‌ ଗ୍ରେଡ୍ ମିଳିବ ନାହିଁ କିମ୍ବା ଗ୍ରେଡ୍‌ ଖସିଯିବ ଭଳି ଭୟ ଓ ଆଶଙ୍କାରେ ବହୁ ଉଚ୍ଚ ଶିକ୍ଷାନୁଷ୍ଠାନ ଆବେଦନ ମଧ୍ୟ କରୁନାହାନ୍ତି। ବୈଧତା ସମାପ୍ତ ହେଲା ପରେ ମଧ୍ୟ କେତେକ ମହାବିଦ୍ୟାଳୟ ଅଧ୍ୟକ୍ଷ ପରବର୍ତ୍ତୀ ରାଉଣ୍ଡ ନାକ୍‌ ମାନ୍ୟତା ପାଇଁ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଫଳରେ ଭିତ୍ତିଭୂମି ବିକାଶ ପାଇଁ ଏହି ମହାବିଦ୍ୟାଳୟଗୁଡ଼ିକ ବିଭିନ୍ନ ଅନୁଦାନରୁ ବଞ୍ଚିତ ହେଉଛନ୍ତି।ନାକ୍ ମାନ୍ୟତା ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରଥମେ ଆବେଦନ କରିବାକୁ ହୁଏ। ନାକ୍ ମାନ୍ୟତା ନଥିଲେ ରୁସା ପାଣ୍ଠି ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟର ବିକାଶ ପାଇଁ ଆସୁଥିବା ଅନୁଦାନ ପ୍ରଦାନରେ କଟକଣା ରହିଥାଏ। ମେଧାବୀଙ୍କୁ କୌଣସି ଉଚ୍ଚ ଅନୁଷ୍ଠାନରେ ସ୍ବୀକୃତି ମିଳିବା ଏବଂ ସ୍କଲାରସିପ୍‌ ପାଇବା କଷ୍ଟସାଧ୍ୟ ହୋଇପାରେ। ଶିକ୍ଷାବିତ୍‌ଙ୍କ ମତରେ ରାଜ୍ୟର ବହୁ ଉଚ୍ଚ ଶିକ୍ଷାନୁଷ୍ଠାନ ନାକ୍ ମାନଦଣ୍ଡ ପୂରଣ କରୁନାହାନ୍ତି। ଏଥିପାଇଁ ଉତ୍ତରଦାୟିତ୍ବର ଅଭାବ ରହିଛି। ମହାବିଦ୍ୟାଳୟଗୁଡ଼ିକରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି। ଅତିଥି ଅଧ୍ୟାପକଙ୍କ ଭରସାରେ ପାଠପଢ଼ା ଚାଲିଛି। ବିଶ୍ବବିଦ୍ୟାଳୟଗୁଡ଼ିକରେ ପ୍ରଫେସର ଓ ରିଡର ନଥିବାରୁ ଗବେଷଣା ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ହେଉନି।ସୂଚନାଯୋଗ୍ୟ, ନାକ୍ ନିଜ ମାନ୍ୟତା ଦେବା ପୂର୍ବରୁ ଶିକ୍ଷାନୁଷ୍ଠାନର ତିନୋଟି ଦିଗ ଉପରେ ତର୍ଜମା କରିଥାଏ। ପ୍ରଥମଟି ହେଲା ଭିତ୍ତିଭୂମି ଓ ଶିକ୍ଷକ। ଦ୍ବିତୀୟଟି ହେଲା ଗବେଷଣା ଓ ତୃତୀୟଟି ହେଲା ପାରଦର୍ଶିତା। ଏହା ଅନୁଯାୟୀ, ୟୁଜିସି ଠାରୁ ଆରମ୍ଭ କରି ରୁସା ଓ ବିଶ୍ବବ୍ୟାଙ୍କ ପାଣ୍ଠି ଆସିଥାଏ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର‌୍ୟ୍ୟବଂଶୀ ସୂରଜ କହିଛନ୍ତି ଯେ, ଯେଉଁ ଶିକ୍ଷାନୁଷ୍ଠାନଗୁଡ଼ିକ ନାକ୍‌ ମାନ୍ୟତା ପାଇପାରୁନାହାନ୍ତି, ସେଥିପ୍ରତି ବିଭାଗ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି। କିପରି ନାକ୍‌ ମାନ୍ୟତା ପାଇଁ ଆବେଦନ କରିବେ ସେଥିନିମନ୍ତେ ପରାମର୍ଶ ଦିଆଯାଉଛି। ଏହାସହ ଭିତ୍ତିଭୂମିର ସୁଧାର ଆଣିବାକୁ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ସୂରଜ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.4 ° C
    25.4 °
    25.4 °
    82 %
    2.4kmh
    77 %
    Thu
    25 °
    Fri
    38 °
    Sat
    40 °
    Sun
    39 °
    Mon
    39 °

    ସମ୍ବନ୍ଧିତ