ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ସ୍ତରରେ ପୁଣି ପାକିସ୍ତାନକୁ କଡ଼ା ସମାଲେଚନା କରିଛି ଭାରତ । ଜେନେଭାରେ ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦ(UNHRC)ର ୬୦ତମ ଅଧିବେଶନରେ ପାକିସ୍ତାନକୁ ଜମ୍ମୁ କଶ୍ମୀର ପ୍ରସଙ୍ଗରେ ମୁହଁତୋଡ ଜବାବ ଦେଇଛି । ଭାରତ ପାକିସ୍ତାନକୁ ଖୋଲାଖୋଲି ଭାବରେ କହିଛି, ପ୍ରଥମେ ଅବୈଧ ଭାବରେ ଅଧିକୃତ ଅଞ୍ଚଳ ଖାଲି କର । ଭାରତୀୟ କୂଟନୀତିଜ୍ଞ କ୍ଷିତିଜ ତ୍ୟାଗୀ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି ।
ପାକିସ୍ତାନୀ କୂଟନୀତିଜ୍ଞ ଭାରତ ବିରୁଦ୍ଧରେ ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଥିଲେ । ଏହା ପରେ ଭାରତୀୟ କୂଟନୀତିଜ୍ଞ କ୍ଷିତିଜ ମାନବାଧିକାର ଉଲ୍ଲଂଘନ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ପାଇଁ ପାକିସ୍ତାନକୁ କଡ଼ା ସମାଲୋଚନା କରିଥିଲେ । ଭାରତୀୟ କୂଟନୀତିଜ୍ଞ କହିଛନ୍ତି ଯେ, ଜାତିସଂଘ ମାନବାଧିକାର ପରିଷଦ ନିରପେକ୍ଷ ହେବା ଉଚିତ । ସେ କହିଛନ୍ତି ଯେ, କିଛି ଦେଶ ଉପରେ ଧ୍ୟାନ ଦେବା ଦ୍ୱାରା ଆସୁଥିବା ସମସ୍ୟାଗୁଡ଼ିକରୁ ଧ୍ୟାନ ହଟିଯିବ ।
ପାକିସ୍ତାନକୁ ଏକ ଉପଯୁକ୍ତ ଜବାବ ଦେଇ ଭାରତୀୟ କୂଟନୀତିଜ୍ଞ କହିଛନ୍ତି, “ପାକିସ୍ତାନ ଭାରତ ବିରୁଦ୍ଧରେ ଏହି ମଞ୍ଚର ଅପବ୍ୟବହାର କରୁଛି । ଆମ ଅଞ୍ଚଳ ଉପରେ ନଜର ରଖିବା ପରିବର୍ତ୍ତେ, ଏହା ଅବୈଧ ଭାବରେ ଅଧିକୃତ ଭାରତୀୟ ଅଞ୍ଚଳ ଖାଲି କରିବା ଉଚିତ ।”
କ୍ଷିତିଜ ତ୍ୟାଗୀ କହିଛନ୍ତି, “ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଚଳିତ ବର୍ଷ ଏପ୍ରିଲରେ ପହଲଗାମରେ ଆକ୍ରମଣ କରିଥିଲେ । ଆମେ କ’ଣ ଉରି କିମ୍ବା ମୁମ୍ବାଇକୁ ଭୁଲିଯିବା ? ଭାରତ ଏବଂ ବିଶ୍ୱ ପାକିସ୍ତାନର ଏହି କାର୍ଯ୍ୟଗୁଡ଼ିକୁ ଭୁଲିବ ନାହିଁ ।”