ପୁରୀ : ଅନ୍ତିମ ପର୍ଯ୍ୟାୟରେ ଶ୍ରୀକ୍ଷେତ୍ରର ସାହି ଯାତ । ଶ୍ରୀରାମ ନବମୀ ଠାରୁ ଆରମ୍ଭ ହୋଇଛି ପାରମ୍ପରିକ ସାହିଯାତରେ ରବିବାର ରାବଣ ବଧ ନୀତି ଶେଷ ହୋଇଛି । ବାଲିସାହି ପକ୍ଷରୁ ବାହାରି ଥିବା ରାବଣର ଯୁଦ୍ଧ ଶୋଭାଯାତ୍ରା ସାହି ପରିକ୍ରମା କରିବା ପରେ ହରଚଣ୍ଡୀ ସାହିରେ କଳା କୌଶଳ ପ୍ରଦର୍ଶନ ହୋଇଥିଲା । ଗୌଡ଼ବାଡ଼ ସାହିର ଜମ୍ବେଶ୍ୱରଙ୍କ ମନ୍ଦିରରେ ଥିବା ନିକୁମ୍ବିଲା ବଟମୂଳେ ରାବଣ ଯଜ୍ଞ କରିଥିଲା ।
ଶ୍ରୀମନ୍ଦିର ପାର୍ଶ୍ଵଗଡ଼ ଛକ ନିକଟ ଭଗବତୀ କୋଟରେ ପଣା ଗ୍ରହଣ କରି ସ୍ୱର୍ଗକୁ ନିଶୁଣି ଓ ଶକ୍ତି ପ୍ରାପ୍ତ ହୋଇଥିଲା ରାବଣ । ସେପଟେ ଶ୍ରୀରାମ ଓ ଲକ୍ଷ୍ମଣ ଶ୍ରୀମନ୍ଦିରରୁ ଜଗନ୍ନାଥ ବଲ୍ଲଭ କୁ ବିଜେ କରିଥିଲେ । ପରମ୍ପରା ଅନୁସାରେ ମଠ ପରିସରରେ ରାମ ଓ ଲକ୍ଷଣ ଙ୍କ ସହ ଯୁଦ୍ଧ କରି ରାବଣ ବଧ ନୀତି ସମ୍ପନ୍ନ ହୋଇଥିଲା । ବାଲିସାହିର ପାରମ୍ପରିକ ନୃତ୍ୟ ଓ ସମରକଳା ପ୍ରଦର୍ଶନ ଦେଖଣାହାରୀଙ୍କୁ ରାତି ପାହିବା ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ।
