Friday, April 3, 2026
39 C
Odisha

    ଅପରେସନ ସିନ୍ଦୂର; ସାମରିକ ତ୍ରୁଟିକୁ ସ୍ବୀକାର କଲେ ସିଡିଏସ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ମେ’ ୭ରେ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’କୁ କାର୍ଯ୍ୟକାରୀ କରାଯାଇଥିଲା। ଏହି ଆକ୍ରମଣରେ ପାକିସ୍ତାନରେ ଥିବା ବିଭିନ୍ନ ଆତଙ୍କବାଦୀ ସଂଗଠନର ୯ ଆଡ୍ଡାସ୍ଥଳ ଧ୍ବଂସ କରାଯାଇଥିବାବେଳେ ୧୧ ବାୟୁସେନା ଘାଟି କ୍ଷତିଗ୍ରସ୍ତ ହୋଇଛି। ତେବେ ଏହି ଅଭିଯାନରେ ଭାରତର ସଫଳତା ସମ୍ପୂର୍ଣ୍ଣ ଏକତରଫା ନଥିଲା ବୋଲି ଭାରତର ସିଡିଏସ (ଚିଫ୍‌ ହଫ୍‌ ଡିଫେନ୍ସ ଷ୍ଟାଫ୍‌) ଜେନେରାଲ ଅନିଲ ଚୌହ୍ବାନ ସ୍ବୀକାର କରିଛନ୍ତିି। ଚାରିଦିନ ଧରି ଚାଲିଥିବା ଏହି ଅଭିଯାନରେ ପାକିସ୍ତାନ ମଧ୍ୟ ପାଲଟା ଆକ୍ରମଣ କରି ଭାରତକୁ କ୍ଷତି ପହଞ୍ଚାଇଥିବା ସେ କହିଛନ୍ତି। ପାକିସ୍ତାନର ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ମାଡରେ ଭାରତୀୟ ବାୟୁସେନାର ଏକାଧିକ ଲଢୁଆ ବିମାନ ନଷ୍ଟ ହୋଇଥିବା ସେ ସ୍ବୀକାର କରିଛନ୍ତି। ତେବେ ଭାରତର ୬ଟି ଯୁଦ୍ଧବିମାନକୁ ଗୁଳିକରି ଖସାଇ ଦିଆଯାଇଛି ବୋଲି ପାକିସ୍ତାନ ଯାହା ଦାବି କରୁଛି, ତାହାକୁ ସେ ଖଣ୍ଡନ କରିଛନ୍ତି। ଗତକାଲି ସିଙ୍ଗାପୁରରେ ଏକ ଟିଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ଜେନେରାଲ ଚୌହ୍ବାନ କହିଛନ୍ତି ଯେ ପ୍ରତ୍ୟେକ ଯୁଦ୍ଧରେ ଦୁଇପକ୍ଷଙ୍କୁ କ୍ଷତି ସହିବାକୁ ପଡିଥାଏ। କିଏ ଅଧିକ କ୍ଷତି ସହୁଥିବାବେଳେ ଅନ୍ୟପକ୍ଷ ଅପେକ୍ଷାକୃତ ଅଳ୍ପ କ୍ଷତିର ସମ୍ମୁଖୀନ ହୋଇଥାଏ। ମେ’ ୭ ଆକ୍ରମଣରେ ଭାରତୀୟ ସେନା ଯେଉଁ ତ୍ରୁଟି ଦର୍ଶାଇଥିଲା, ତାହାକୁ ପରବର୍ତ୍ତୀ ସମୟରେ ସୁଧାରି ପାରିଥିବା ସେ କହିଛନ୍ତି। ଭାରତ ଓ ପାକିସ୍ତାନ ପରମାଣୁ ସମ୍ପନ୍ନ ରାଷ୍ଟ୍ର ହୋଇଥିବାରୁ ଏହା ପରମାଣୁ ଯୁଦ୍ଧକୁ ଆମନ୍ତ୍ରଣ କରିପାରେ ବୋଲି ସମଗ୍ର ବିଶ୍ବ ଆଶଙ୍କା ପ୍ରକାଶ କରିଥିଲା। ତେବେ ସେଭଳି କୌଣସି ଅଘଟଣ ଘଟିନଥିଲା। ଉଭୟ ରାଷ୍ଟ୍ର ପରସ୍ପର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିଥିଲେ। ଏପରିକି ବାୟୁସେନା କିମ୍ବା ସ୍ଥଳସେନା ଆନ୍ତର୍ଜାତିକ ସୀମା ଅତିକ୍ରମ କରିନଥିଲା। ଅପରପକ୍ଷରେ ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ବୁଝାମଣା କରି ପରମାଣୁ ଯୁଦ୍ଧକୁ ରୋକିପାରିଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ ଦାବି କରୁଛନ୍ତି, ତାହା ଉପରେ ଜେନେରାଲ ଚୌହ୍ବାନ କୌଣସି ମନ୍ତବ୍ୟ ଦେଇନାହାନ୍ତି। ପାରମ୍ପରିକ ଓ ପରମାଣୁ ଯୁଦ୍ଧ ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ ରହିଥିବା ସେ କହିଛନ୍ତି। କୌଣସି ଦେଶ ପରମାଣୁ ଆକ୍ରମଣ ଧମକ ଦେବା ସହଜ କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ଯଥେଷ୍ଟ କଷ୍ଟକର ବୋଲି ମଧ୍ୟ ସେ କହିଛନ୍ତି। ତେବେ ପାକିସ୍ତାନ ବ୍ୟବହାର କରିଥିବା ଚୀନ୍‌ ଓ ତୁର୍କୀ ନିର୍ମିତ ଯୁଦ୍ଧାସ୍ତ୍ର ସଫଳତାର ସହ କାର୍ଯ୍ୟ କରିନଥିଲା ବୋଲି ଯାହା ଆଲୋଚନା ହେଉଛି, ତାହାକୁ ଜେନେରାଲ ଚୌହ୍ବାନ ସ୍ବୀକାର କରିଛନ୍ତି। ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ୩୦୦ କିମି ଭିତିରିଆ ଅଞ୍ଚଳରେ କରାଯାଇଥିବା କ୍ଷେପଣାସ୍ତ୍ର ଆକ୍ରମଣ ଯଥେଷ୍ଟ ପ୍ରଭାବଶାଳୀ ଥିଲା ବୋଲି ସେ କହିଛନ୍ତି। ଅପରେସନ ସିନ୍ଦୂର ସ୍ଥଗିତ ରଖାଯାଇଥିବାବେଳେ ପାକିସ୍ତାନର ପରବର୍ତ୍ତୀ କାର୍ଯ୍ୟାନୁ​‌ଷ୍ଠାନ ଉପରେ କଡା ନଜର ରଖାଯାଇଥିବା ସେ କହିଛନ୍ତି। ସୀମା ଆରପଟରୁ କୌଣସି ପ୍ରକାର ଆକ୍ରମଣର ମୁକାବିଲା କରିବାକୁ ଭାରତୀୟ ସେନା ଚବିଶ ଘଣ୍ଟା ପ୍ରସ୍ତୁତ ରହିଥିବା ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ