ଅଯୋଧ୍ୟା: ଉତ୍ତରପ୍ରଦେଶ ଅଯୋଧ୍ୟା ରାମମନ୍ଦିର ପୁଣିଥରେ ପ୍ରାଣପ୍ରତିଷ୍ଠା ସମାରୋହ ଆୟୋଜନ ହେଉଛି । ଏ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠାର ରୀତିନୀତି ଆଜିଠାରୁ ଜୁନ୍୫ ତାରିଖ ଯାଏଁ ଚାଲିବ । ଆଜି ଅନୁଷ୍ଠାନ ପୂଜା ୧୨ ଘଣ୍ଟା ଧରି ଚାଲିବ । ମୂର୍ତ୍ତିଗୁଡ଼ିକର ଶୁଦ୍ଧିକରଣ କରାଯିବ । ଜୁନ୍ ୫ରେ ଅଯୋଧ୍ୟା ରାମମନ୍ଦିରରେ ଥିବା ରାମ ଦରବାର ସମେତ ୭ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ଫୁଲରେ ସାଜସଜ୍ଜାରେ ମନ୍ଦିର ପରିସର ସଜେଇ ହୋଇଛି ।
ରାଜା ରାମଙ୍କ ସ୍ଥାପନା ସହିତ ଦ୍ବିତୀୟ ପ୍ରାଣ ପ୍ରତିଷ୍ଠା ଅବସରରେ ଅନ୍ୟ ଉପ ମନ୍ଦିରରେ ସ୍ଥାପିତ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରାଯିବ । ତେବେ ରାମଙ୍କ ବାଳକ ରୂପର ପ୍ରାଣ ପ୍ରତିଷ୍ଠାର ୧୬ ମାସ ପରେ ରାଜା ରାମଙ୍କ ପ୍ରତିଷ୍ଠା ହେବାକୁ ଯାଉଛି । ଏହାକୁ ନେଇ ଶ୍ରଦ୍ଧାଳୁମାନେ ବେଶ୍ ଖୁସି ରହିଛନ୍ତି । ଦ୍ବିତୀୟ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ରହିବେ ।
ଆଜି ସକାଳ ସାଢ଼େ ୬ଟାରୁ ରାମ ଦରବାର ପ୍ରାଣ ପ୍ରତିଷ୍ଠାର ରୀତିନୀତି ପାଇଁ ସବୁ ମନ୍ଦିରରେ ବିଶେଷ ପୂଜାପାଠ ଆରମ୍ଭ ହୋଇଛି । ପ୍ରାଣ ପ୍ରତିଷ୍ଠାରେ ମୋଟ ୧୨୦ ଆଚାର୍ଯ୍ୟ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୦ ଜଣ କେବଳ ଅଯୋଧ୍ୟାର । ଅନ୍ୟ ଆଚାର୍ଯ୍ୟମାନେ କାଶୀ, ପ୍ରୟାଗରାଜ ସମେତ ଅନ୍ୟ ତୀର୍ଥସ୍ଥଳୀରୁ ଆସିଛନ୍ତି ।
ମନ୍ଦିରର ପ୍ରଥମ ମହଲାରେ ରାମ ଦରବାର ସ୍ଥାପନ ହୋଇଛି । ଏହା ପରିସରରେ ସୂର୍ଯ୍ୟ, ଗଣେଶ, ହନୁମାନ, ଶିବ, ଭଗବତୀ, ଅନ୍ନପୂର୍ଣ୍ଣାଙ୍କ ମନ୍ଦିର ରହିଛି । ଏହି ସବୁ ମନ୍ଦିରରେ ଜୁନ୍ ୫ରେ ପ୍ରାଣ ପ୍ରତିଷ୍ଠା କରାଯିବ । ଏହା ବ୍ୟତୀତ ସପ୍ତ ମଣ୍ଡପମରେ ୭ ମନ୍ଦିର ରହିଛି । ସେଥିରେ ମହର୍ଷି ବାଲ୍ମିକୀ, ବିଶ୍ୱାମିତ୍ର, ଅଗସ୍ତ୍ୟ, ବଶିଷ୍ଠ, ନିଷାଦରାଜ, ଅହଲ୍ୟା ଏବଂ ଶବରୀ ମୂର୍ତ୍ତି ସ୍ଥାପନ ହୋଇସାରିଛି ।