ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କର ମିଶ୍ରଣକୁ ନେଇ ଖୋଲାଖୋଲି ଆଲୋଚନା କରିଛନ୍ତି । ସେ କହିଛନ୍ତି, ଭାରତକୁ ସେହିଭଳି ଏକ ବଡ଼ ବ୍ୟାଙ୍କର ଆବଶ୍ୟକତା ରହିଛି ଯେ କି, ଅନ୍ତର୍ଜାତୀୟ ସ୍ତରରେ ମୁକାବିଲା କରିପାରିବ । ଏବେ ଭାରତରେ ଏସବିଆଇ ହେଉଛି ସବୁଠାରୁ ବଡ଼ ବ୍ୟାଙ୍କ, ଏବେ ଦୁଇଟି ବ୍ୟାଙ୍କକୁ ମିଶ୍ରଣ କରି ଏଭଳି ଏକ ବ୍ୟାଙ୍କ ତିଆରି କରାଯିବ ଯାହା ଏସବିଆଇ ପରେ ଦେଶର ଦ୍ୱିତୀୟ ବଡ଼ ବ୍ୟାଙ୍କ ଭାବେ ଉଭା ହେବ ।
ସରକାର ଦୁଇଟି ଜାତୀୟ କରଣ ବ୍ୟାଙ୍କକୁ ମିଶ୍ରଣ କରି ଏକ ବଡ଼ ବ୍ୟାଙ୍କ ପ୍ରସ୍ତୁତ କରିବାକୁ ଯୋଜନା କରିଛନ୍ତି । ସରକାର ୨୫.୫ କୋଟି ଗ୍ରାହକ ଥିବା ଏକ ବ୍ୟାଙ୍କ ପ୍ରସ୍ତୁତ କରିବେ । ଯାହାକି ଏସବିଆଇର ଗ୍ରାହକ ସଂଖ୍ୟା ଠାରୁ ମାତ୍ର ଅଳ୍ପ କମ୍ ରହିବ । ଯେଉଁ ଦୁଇଟି ବ୍ୟାଙ୍କର ମିଶ୍ରଣ ହେବ ସେ ଦୁଇଟି ହେଲେ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ।
ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ଗୋଟିଏ ବ୍ୟାଙ୍କ କରିବାକୁ ସରକାର ଯୋଜନା କରୁଛନ୍ତି । ଏନେଇ କିଛି ବର୍ଷ ହେବ ପ୍ରସ୍ତୁତି ଆରମ୍ଭ ହୋଇଛି । ବ୍ୟାଙ୍କର କ୍ଷତି କମ୍ କରିବା ଓ ବ୍ୟାଙ୍କଗୁଡ଼ିକର ଏନପିଏ କମାଇବା ସହ ବ୍ୟାଙ୍କଗୁଡ଼ିକର କାର୍ଯ୍ୟକ୍ଷମତା ବୃଦ୍ଧି କରିବା ଏହାର ମୂଳ ଉର୍ଦ୍ଦେଶ୍ୟ ବୋଲି କୁହାଯାଇଛି । ସରକାର ଛୋଟ ଛୋଟ ବ୍ୟାଙ୍କର ମିଶ୍ରଣ କରି ବଡ଼ ବଡ଼ ବ୍ୟାଙ୍କ ଗଠନ କରିବାକୁ ଚାହୁଛନ୍ତି । ଏହାଫଳରେ ଭାରତୀୟ ବ୍ୟାଙ୍କ ଅନ୍ତର୍ଜାତୀୟ ବ୍ୟାଙ୍କଗୁଡ଼ିକୁ ଟକ୍କର ଦେଇପାରିବ । ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ୨୦୧୭ ରୁ ୨୦୨୦ ମଧ୍ୟରେ ସରକାର ୧୦ ଟି ସରକାରୀ ବ୍ୟାଙ୍କର ବିଲୟ କରିଛନ୍ତି । ଏହାକୁ ମିଶ୍ରଣ କରି ୪ଟି ବଡ଼ ବ୍ୟାଙ୍କ ଗଠନ କରିଛନ୍ତି । ଏହା ମଧ୍ୟରୁ ୬ ଟି ବ୍ୟାଙ୍କକୁ ଏସବିଆଇ ସହ ମିଶ୍ରଣ କରାଯାଇଛି । ଫଳରେ ଦେଶରେ ଥିବା ୨୭ ସରକାରୀ ବ୍ୟାଙ୍କ ଏବେ ୧୨ ରେ ପହଞ୍ଚିଛି । ବ୍ୟାଙ୍କ ମିଶ୍ରଣ ଫଳରେ ବ୍ୟାଙ୍କଗୁଡ଼ିକର ଖର୍ଚ୍ଚ ଓ ବିନିଯୋଗ କମ୍ ହେଉଛି ।

