Monday, April 6, 2026
24.9 C
Odisha

    ଅଲିଭ ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ପର୍ବ ଆରମ୍ଭ

    ଆଗକୁ ପଢନ୍ତୁ

    ଗଞ୍ଜାମ  :  ଗଞ୍ଜାମ ଜିଲ୍ଲାର ପୁରୁଣାବନ୍ଦ ନିକଟ ଋଷିକୁଲ୍ୟା ମୁହାଣ ଅଞ୍ଚଳ ବେଳାଭୂମିରେ ଚଳିତ ବର୍ଷ ବିରଳ ଅଲିଭ ରିଡ୍‌ଲେ ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଶନିବାର ରାତିରୁ ଆରମ୍ଭ ହୋଇଛି । ସମୁଦ୍ରରେ ହଜାର ହଜାର କିମି ଅତିକ୍ରମ କରି କଇଁଛମାନେ ଅଣ୍ଡାଦେବାକୁ ଗଞ୍ଜାମର ବେଳାଭୂମିକୁ ଆସିଛନ୍ତି। ପ୍ରଥମ ଦିନ ପ୍ରାୟ ୧୦,୨୦୦ କଇଁଛ ଅଣ୍ଡା ଦେଇ ସମୁଦ୍ରକୁ ଫେରି ଯାଇଥିବା ସୂଚନା ମିଳିଛି। ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ବିଶେଷଜ୍ଞଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି l

    ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣ ବେଳାଭୂମି ସାମୁଦ୍ରିକ କଇଁଛଙ୍କ ଗଣଅଣ୍ଡାଦାନର ଅନ୍ତୁଡ଼ିଶାଳ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଗତ ନଭେମ୍ବର ମାସରୁ ଅଲିଭ ରିଡ୍‌ଲେ କଇଁଛଙ୍କ ମିଳନ ପ୍ରକ୍ରିୟା ଚାଲୁ ରହିଥିଲା । ବର୍ତ୍ତମାନ ଦକ୍ଷିଣା ପବନ ବହିବା ସହ ଓ ଅନୁକୂଳ ପାଗ ଯୋଗୁଁ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। କଇଁଛମାନେ ସମୁଦ୍ରରୁ ବେଳାଭୂମି ଉପରକୁ ଉଠିଆସି ଗଣ ଅଣ୍ଡାଦାନ କରିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ବିରଳ ପ୍ରଜାତିର କଇଁଛ ମାନେ ବେଳାଭୂମି ଉପରକୁ ଉଠି ଆସିବା ପରେ ଗୋଡ଼ରେ ବାଲିରେ ଗାତ କରି ଅଣ୍ଡାଦାନ କରିବା ସ୍ଥାନକୁ ବାଲିରେ ଘୋଡ଼ାଇ ଦେଇ ନିଜ ଶରୀର ସାହାଯ୍ୟରେ ଅଣ୍ଡା ଥିବା ସ୍ଥାନକୁ ବାଡେଇ ଶକ୍ତ କରିଦେବା ପରେ ପୁଣି ସମୁଦ୍ର ମଧ୍ୟକୁ ଚାଲିଯାଇଥାନ୍ତି ।

    ଗତ ବର୍ଷ ଦୁଇଟି ପର୍ଯ୍ୟାୟରେ କଇଁଛ ଅଣ୍ଡା ଦେଇଥିଲେ। ଗତବର୍ଷ ୬ଲକ୍ଷ ୯୮ ହଜାର ୭୧୮ ସାମୂହିକ ଅଣ୍ଡାଦାନ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଦୁଇ ଦିନରେ ୭୮ ହଜାର ୩୦୦ କଇଁଛ ଅଣ୍ଡା କରିଥିଲେ। ଚଳିତ ବର୍ଷ ଗତ ବର୍ଷ ଠାରୁ ଅଧିକ ସଂଖ୍ୟକ ଅଣ୍ଡାଦାନ ହେବ ବୋଲି ଆଶା କରାଯାଉଛି । ବ୍ରହ୍ମପୁର ଡିଏଫଓ ସନି ଖୋଖର, ଏସିଏଫ ଦିବ୍ୟ ଶଙ୍କର ବେହେରା ଆଜି ଋଷିକୁଲ୍ୟା ମୁହାଣ ସମୁଦ୍ର ବେଳାଭୂମିରେ ପହଞ୍ଚି କଇଁଛଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରିବା ପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଅଣ୍ଡାଦାନ ପାଇଁ ବେଳାଭୂମିରେ ୫୦ଟି ସେଗମେଣ୍ଟ କରାଯାଇଛି । ପ୍ରତି ସେଗମେଣ୍ଟରେ ଦୁଇ ଜଣଙ୍କୁ ୧୨ଘଣ୍ଟା ଲେଖାଏଁ ଡ୍ୟୁଟିରେ ନିୟୋଜିତ କରାଯାଇଛି। ସୁରକ୍ଷା ପାଇଁ ୨୦୦ ଜଣଙ୍କୁ ମୁତୟନ କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଏଠାରେ ଉ‌‌ଲ୍ଲେଖଯୋଗ୍ୟ, ପାଗ ଅନୁକୂଳ ନ ଥିବାରୁ ୨୦୧୯ ଏବଂ ୨୦୨୪ରେ ଅଲିଭ ରିଡ୍‌ଲେଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ହୋଇ ନଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.9 ° C
    24.9 °
    24.9 °
    60 %
    0.8kmh
    0 %
    Mon
    37 °
    Tue
    38 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ