କୋଟି କୋଟି ଫ୍ୟାନ୍ସଙ୍କ ହୃଦୟରେ ରାଜ କରୁଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ଟିମ୍ ଆଇପିଏଲ ୨୦୨୬ରୁ ବାଦ୍ ପଡିଛି । ଶୁକ୍ରବାର ଖେଳାଯାଇଥିବା କ୍ବାଲିଫାୟର ୨ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଗୁଜରାଟ ଟାଇଟନ୍ସ ୭ ୱିକେଟରେ ହରାଇଛି । ଏହାସହିତ ରାଜସ୍ଥାନ ଟିମ ଫାଇନାଲରେ ପ୍ରବେଶ କରିବା ସ୍ବପ୍ନ ଅଧାରେ ରହିଛି । ପରାଜୟ ପରେ ଭାବୁକ ହୋଇଛନ୍ତି ବୈଭବ । ଡଗ୍ଆଉଟରେ ବସିଥିବା ବେଳେ ବୈଭବଙ୍କ ଆଖିରେ ଲୁହ ଦେଖିବାକୁ ମିଳିଛି ।
ଆଇପିଏଲ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ପରାଜୟ ପରେ ବୈଭବ ସୂର୍ଯ୍ୟବଂଶୀଙ୍କ ଆଖିରେ ପରାଜୟର ଲୁହ ଦେଖିବାକୁ ମିଳିଛି । ରାଜସ୍ଥାନ ରୟାଲ୍ସର ଷ୍ଟାର ବୈଭବ ସୂର୍ଯ୍ୟବଂଶୀଙ୍କ ୯୬ରନର ଦମଦାର ଇନିଂସରେ ୨୧୪ ରନ କରିଥିଲା । ଜବାବରେ ଗୁଜରାଟ ଟାଇଟାନ୍ସ କେବଳ ୩ ୱିକେଟ ହରାଇ ୮ ବଲ୍ ପୂର୍ବରୁ ଲକ୍ଷ୍ୟ ହାସଲ କରିଥିଲା । ଡଗଆଉଟ୍ କୋଣରେ ବସି କାନ୍ଦୁଥିବାର ନଜର ଆସିଥିଲେ ବୈଭବ । ଆଖିରେ ଲୁହ ମୁହଁରେ ନିରାଶ ଭାବ ଥିଲା ।
ବୈଭବ ମନ ଦୁଃଖରେ ବସିଥିବା ବେଳେ ରବିନ୍ଦ୍ର ଜାଡେଜା ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ବୈଭବ ସୂର୍ଯ୍ୟବଂଶୀ ଡଗଆଉଟରେ ବସି ନିଜ ଟୋପି ସାହାଯ୍ୟରେ ମୁହଁ ଲୁଚାଇଥିବା ଦେଖିବାକୁ ମିଳିଥିଲା ।
ଚଳିତବର୍ଷ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ବୈଭବ ସୂର୍ଯ୍ୟବଂଶୀ ଦମଦାର ପ୍ରଦର୍ଶନ କରିଥିଲେ । ସେ ଚଳିତ ସିଜିନରେ ୪୮.୫ ବ୍ୟାଟିଂ ହାର ସହିତ ୭୭୬ ରନ କରିଛନ୍ତି । ସେ ସର୍ବାଧିକ ୭୨ ଛକା ମାରିଥିଲେ ଏବଂ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୩୭.୩୧ ଥିଲା । ସେ ଗୋଟିଏ ସିଜିନରେ ୭୦୦ ରୁ ଅଧିକ ରନ ସ୍କୋର କରିବାରେ ସର୍ବକନିଷ୍ଠ ଖେଳାଳି ଭାବେ ବିବେଚିତ ହୋଇଛନ୍ତି ।
