Friday, April 3, 2026
39 C
Odisha

    ଆଗକୁ ବଢ଼ିଲା ଓଡ଼ିଶା ଅକ୍ଷୟ ଶକ୍ତି ଅଭିଯାନ: ୮୬୯ କୋଟି ନିବେଶକୁ ମୋହର

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଅକ୍ଷୟଶକ୍ତି କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ ଓଡ଼ିଶା ସରକାର ୮୬୯.୮ କୋଟି ଟଙ୍କା ବିନିଯୋଗରେ ମୋଟ ୧୭୮ ମେଗାୱାଟ୍ କ୍ଷମତା ବିଶିଷ୍ଟ ଅକ୍ଷୟଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ପ୍ରଦାନ କରିଛନ୍ତି। ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱାଦଶ ସିଙ୍ଗଲ୍‌ ୱିଣ୍ଡୋ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ନୂତନ ରୋଜଗାର ସୃଷ୍ଟି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହ ଅକ୍ଷୟ ଶକ୍ତି କ୍ଷେତ୍ରରେ ଓଡ଼ିଶାର ବିକାଶ ଯାତ୍ରାକୁ ତ୍ବରାନ୍ବିତ କରିବା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି।

    ସୂଚନା ଅନୁସାରେ ଅନୁମୋଦିତ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରରେ ପ୍ରୋଜିଏଲ୍ ଗ୍ରିନ ଏନର୍ଜି ଲି. ଦ୍ୱାରା ୬୯.୫ ମେଗାୱାଟ୍ ସୋଲାର୍‌ ପାର୍କ, କେନ୍ଦୁଝର ଜିଲ୍ଲା ତେଲକୋଇଠାରେ ଆଇନକ୍ସ୍ ସୋଲାର୍ ଲି. ଦ୍ୱାରା ୪୯.୫ ମେଗାୱାଟ୍ ସୋଲାର୍‌ ପ୍ରକଳ୍ପ, ଝାରସୁଗୁଡ଼ାର ଲଖନପୁରଠାରେ ମହାନଦୀ କୋଲ୍ ଫିଲ୍ଡ ଦ୍ୱାରା ୧୦ ମେଗାୱାଟ୍ ସୋଲାର୍‌ ପ୍ରକଳ୍ପ ଓ ନବରଙ୍ଗପୁରର ପାପଡ଼ାହାଣ୍ଡିରେ ଏନ୍ଏଲ୍ସି ଦ୍ୱାରା ପବନ ଶକ୍ତି ପ୍ରକଳ୍ପ ରହିଛି। ଏହି ପ୍ରକଳ୍ପ ଗୁଡ଼ିକୁ ମିଶାଇ ଏପର୍ଯ୍ୟନ୍ତ ସିଙ୍ଗଲ୍ ୱିଣ୍ଡୋ କମିଟି ମାଧ୍ୟମରେ ମୋଟ ୧୮୪୪.୮୬ ମେଗାୱାଟ୍ କ୍ଷମତା ବିଶିଷ୍ଟ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ମୋଟ ୧୨୫୯୯.୭୯ କୋଟି ଟଙ୍କାର ବିନିଯୋଗ ପ୍ରସ୍ତାବକୁ ସରକାର ଅନୁମୋଦନ ଦେଲେଣି।

    ଗ୍ରିଡ୍‌କୋର ପରିଚାଳନା ନିର୍ଦ୍ଦେଶକ ସତ୍ୟପ୍ରିୟ ରଥଙ୍କ ସମେତ ଗ୍ରିଡ୍‌କୋ ଏବଂ ଓଏଚ୍‌ପିସିର ନିର୍ଦ୍ଦେଶକ , ସର୍ବୋଚ୍ଚ ଯନ୍ତ୍ରୀ ତଥା ପ୍ରମୁଖ ବିଦ୍ୟୁତ୍ ନିରୀକ୍ଷକ ଓ ଅନ୍ୟାନ୍ୟ ବରିଷ୍ଠ କମିଟି ସଦସ୍ୟମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ଅକ୍ଷୟ ଶକ୍ତି ପ୍ରମୁଖ ସଂସ୍ଥାର ମୁଖ୍ୟ ପ୍ରକଳ୍ପ ପ୍ରବନ୍ଧକ ପ୍ରକଳ୍ପ ପ୍ରସ୍ତାବ ଗୁଡ଼ିକୁ ଏହି ବୈଠକରେ ଉପସ୍ଥାପନ କରିବା ପରେ ତର୍ଜମା ଏବଂ ବିଚାରବିମର୍ଶ ପରେ ସିଙ୍ଗଲ ୱିଣ୍ଡୋ କମିଟି ତାହାକୁ ଅନୁମୋଦନ ଦେଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ