ଆଜିଠୁ ଭାରତ-ଇଂଲଣ୍ଡ ଟି-୨୦ ସିରିଜ୍ ଆରମ୍ଭ ହେବାକୁ ଯାଉଛି । ଆୟରଲାଣ୍ଡ ବିକ୍ଷରେ ଖେଳି ୦-୨ରେ ହାରିଯାଇଥିଲା ଟିମ୍ ଇଣ୍ଡିଆ । ଏବେ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଏବଂ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ । ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ଡର୍ ହାମରେ ଆରମ୍ଭ ହେବ । ତେବେ ଭାରତୀୟ ସମୟାନୁସାରେ ଖେଳ ରାତି ୧୦ଟାରେ ଆରମ୍ଭ ହେବ । ରାତି ୯.୩୦ ମିନିଟରେ ଟସ୍ ପଡ଼ିବ ।
ଭାରତୀୟ ଦଳ ଅଭିଜ୍ଞ ଓ ନିର୍ଭୀକ ଯୁବପିଢ଼ିଙ୍କୁ ନେଇ ସନ୍ତୁଳିତ ଥିଲେ ମଧ୍ୟ ଆୟରଲାଣ୍ଡ ବିପକ୍ଷରେ ଲଗାତାର ବ୍ୟାଟିଂ ବିଫଳତା ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆୟରଲାଣ୍ଡ ବିପକ୍ଷରେ ଖେଳିନଥିଲେ । ତେବେ ତାଙ୍କୁ ଇଂଲଣ୍ଡ ବିପକ୍ଷରେ ପଦାର୍ପଣ ସୁଯୋଗ ଦିଆଯାଇପାରେ ।
ଅଧିନାୟକ ଶ୍ରେୟସ ଆୟର ପୂର୍ବ ପ୍ରଦର୍ଶନକୁ ଭୁଲି ନୂଆ ଆରମ୍ଭ ଲକ୍ଷ୍ୟରେ ରହିଛନ୍ତି । ଆଇପିଏଲ୍ ଚମତ୍କାରିତା ଦେଖାଇଥିବା ଅଭିଷେକ ଶର୍ମା, ସଞ୍ଜୁ ସାମସନ୍ , ଇଶାନ କିଶନ, ଅଧିନାୟକ ଶ୍ରେୟସ ଆୟର, ତିଳକ ବର୍ମା ଓ ବିସ୍ମୟ ବାଳକ ସୂର୍ଯ୍ୟବଂଶୀଙ୍କୁ ନେଇ ଭାରତୀୟ ବ୍ୟାଟିଂ ଲାଇନ୍ ଦୃଢ଼ ରହିଛି । ଅର୍ଶଦୀପ ସିଂହ, ଆହତରୁ ଫେରିଥିବା ହର୍ଷିତ ରାଣା ଦ୍ରୁତ ବୋଲିଂ ଭାର ସମ୍ଭାଳିବେ । ଅଲ୍ ରାଉଣ୍ଡର ଶିବମ ଦୁବେ ଓ ପ୍ରିନ୍ସ ଯାଦବ ସହଯୋଗ କରିବେ । ସ୍ପିନ୍ ବୋଲିଂରେ ରହିଛନ୍ତି ଆହତରୁ ଫେରିଥିବା ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେଲ।
