ପୁରୀ : ସୁସ୍ଥ ହେଉଛନ୍ତି ମହାପ୍ରଭୁ, ଆଜି ଚକାବିଜେ କରିବେ ଶ୍ରୀଜିଉ । ଦେବସ୍ନାନପୂର୍ଣ୍ଣିମା ଦିନ ୧୦୮ କୁମ୍ଭ ସୁବାସିତ ଜଳରେ ଅତ୍ୟଧିକ ସ୍ନାନ ପରେ ଜ୍ଜରରେ ପୀଡ଼ିତ ଥିବା ଚତୁର୍ଦ୍ଦାବିଗ୍ରହଙ୍କର ସୁସ୍ଥତା ପାଇଁ ଚାଲିଛି ଗୁପ୍ତ ଉପଚାର । ଆଜି ଅନବସରର ଦଶମୀ ତିଥିରେ ଚକାବିଜେ କରିବେ ମହାବାହୁ ।
ସେପଟେ ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ କରାଯିବ ଦଶମୂଳ ମୋଦକ। ରାଜବୈଦ୍ୟ ମାନେ ଦଶ ପ୍ରକାରର ଚେର ମୂଳିରୁ ପ୍ରସ୍ତୁତ କରିବେ ଦଶ ମୂଳାରିଷ୍ଟ । ଅତ୍ୟନ୍ତ ଶୁଦ୍ଧପୂତ ଭାବେ ଏହି ଔଷଧକୁ ବୈଦ୍ୟ ମାନେ ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରିବେ । ଶାଳପର୍ଣ୍ଣି, ବେଲ, ଖଣିବଧୂ, ପାଟଳି, ଅଙ୍କରାନ୍ତି, ଗୋଖରା, ଲମ୍ବାଗୋତି, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, କୃଷ୍ଣଚୁଡା, ଲବଙ୍ଗ, ଦେଶୀଘିଅ, ମହୁ, ନବାତ, ଖୁଆ ଆଦି ବିଭିନ୍ନ ଦ୍ରବ୍ୟକୁ ମିଶାଯାଇ ଏହି ଔଷଧ ପ୍ରସ୍ତୁତ କରାଯାଇଛି ।
ଆଜି ଅନବସର ଦଶମୀ ତିଥିରେ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦରେ ଦାଖଲ ହେବା ପରେ ଏକାଦଶୀ ଦିନ ଅର୍ଥାତ ଆସନ୍ତାକାଲି ଅନ୍ୟ ଭୋଗ ସହ ମହାପ୍ରଭୁଙ୍କୁ ଏହା ଲାଗି ହୁଏ । ବିଶ୍ୱାସ ରହିଛି ଦଶମୂଳ ମୋଦକ ସେବନ ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥାନ୍ତି । ଶ୍ରୀବିଗ୍ରହଙ୍କ ଗୁପ୍ତ ସେବାରେ ଫୁଲୁରି ତେଲ, ଦଶମୂଳ ଔଷଧ ଓ ଅନ୍ୟାନ୍ୟ ଉପଚାର ପରେ ପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହୋଇ ନବଯୌବନ ଦର୍ଶନ ଦିନ ଭକ୍ତଙ୍କୁ ଦର୍ଶନ ଦେଉଥିବାର ବିଶ୍ୱାସ ରହିଛି ।
ସେପଟେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ । ତିନି ରଥରେ ୧୩ ପରସ୍ତ ପୋଟଳ ସେଟିଂ ସରି ଦୁଇଟି ଲେଖାଏଁ ଦୁଆର ବେଢ଼ା ନିର୍ମାଣ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଛି । ରୂପକାର ସେବକ ମାନେ ଖୋଦେଇ କରୁଥିବା ବେଳେ ଚିତ୍ରକର ସେବକ ରଥର ବାହ୍ୟ ଅଂଶ ଗୁଡ଼ିକରେ ରଙ୍ଗ ଦେଉଛନ୍ତି ।