କଟକ : ଆଜି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ରାଜ୍ୟର ୧୯୩ଟି କେନ୍ଦ୍ରରେ ହେବ ପରୀକ୍ଷା । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ କରିଛି । ରାଜ୍ୟର ୧୯୩ ଟି ପରୀକ୍ଷା କେନ୍ଦ୍ରରେ ୭୫ ହଜାର ୪୦୩ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ଦେବେ । ସାରା ରାଜ୍ୟରେ ଲଘୁଚାପ ଓ ଲଗାଣ ବର୍ଷା ଜାରି ରହିଥିବା ବେଳେ ପରୀକ୍ଷା କେନ୍ଦ୍ରରେ ୨୪ ଘଣ୍ଟିଆ ପାୱାର ସପ୍ଲାଇ ପାଇଁ ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ହୋଇଥିବା ବେଳେ ବୋର୍ଡରେ ରହିଛି ଇଣ୍ଟିଗ୍ରେଟେଡ଼ କମାଣ୍ଡ କଣ୍ଟ୍ରୋଲ ରୁମ । ଏହି କଣ୍ଟ୍ରୋଲ ରୁମ ଜରିଆରେ ବୋର୍ଡରୁ ସମସ୍ତ ପରୀକ୍ଷା କେନ୍ଦ୍ର ନିରୀକ୍ଷଣ କରି ପାରିବେ ବୋର୍ଡ ଅଧିକାରୀ । ପୂର୍ବରୁ ଜୁଲାଇ ୨୦ ରେଏହି ପରୀକ୍ଷା ହେବାର ଥିବାବେଳେ ପରୀକ୍ଷା ପୂର୍ବ ରାତିରେ ପ୍ରଶ୍ନପତ୍ର ଭାଇରାଲ ହେବାରୁ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା ।
ରାଜ୍ୟର ସମସ୍ତ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ଟିଚର ଇଲିଜିବିଲିଟ ଟେଷ୍ଟ ପାସ କରିବା ବାଧ୍ୟତାମୂଳକ କରାଯାଇଛି। ସାରା ଦେଶରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଟିଇଟିକୁ ବାଧ୍ୟତାମୂଳକ କରିଛନ୍ତି ସୁପ୍ରିମକୋର୍ଟ। ଦୁଇଟି ପେପରରେ ସ୍ୱତନ୍ତ୍ର ଓଟିଇଟି ହେଉଥିବା ବେଳେ ସକାଳ ୯ ଟାରୁ ସାଢ଼େ ୧୧ ଟା ପ୍ରଥମ ପେପର ଏବଂ ଅପରାହ୍ନ ୨ ଟାରୁ ସାଢ଼େ ୪ ଟା ଦ୍ୱିତୀୟ ପେପର ପରୀକ୍ଷା ହେବ ବୋଲି ସ୍ଥିର ହୋଇଛି। ପରୀକ୍ଷା ଆରମ୍ଭ ହେବାର ଏକ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ ମାନେ ପହଞ୍ଚିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।