Monday, October 19, 2026
21.6 C
Odisha

    ଆଥଲେଟିକ୍ ଟ୍ରାକ୍‌ରେ ଗାଡ଼ି ବୁଲାଇ କ୍ରୀଡ଼ା ମନ୍ତ୍ରୀ ହଟହଟା: ସାମାଜିକ ଗଣମାଧ୍ୟମରେ ମନ୍ତ୍ରୀଙ୍କୁ ଭର୍ତ୍ସନା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ର ଆଥଲେଟିକ୍ ଟ୍ରାକ୍‌ରେ ଯେଉଁଠି କ୍ରୀଡ଼ାବିତ୍‌ମାନେ ଦଉଡ଼ନ୍ତି ସେଠାରେ କ୍ରୀଡ଼ା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ଗାଡ଼ି ବୁଲିଲା। ମନ୍ତ୍ରୀ ଦବଙ୍ଗ ଷ୍ଟାଇଲ୍‌ରେ ଗାଡ଼ିରୁ ଓହ୍ଲାଇ ସେଠାରେ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କଲେ। ଏମିତି ଏକ ଭିଡ଼ିଓ ଓ କିଛି ଫଟୋକୁ ନେଇ ବିବାଦକୁ ଆସିଛନ୍ତି କ୍ରୀଡ଼ା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ। ବିରୋଧୀ ଏହାକୁ ନେଇ ତାଙ୍କୁ ଟାର୍ଗେଟ୍‌ କରିଥିଲା ବେଳେ ସାମାଜିକ ଗଣମାଧ୍ୟମରେ ମନ୍ତ୍ରୀଙ୍କୁ ଭର୍ତ୍ସନା କରାଯାଇଛି। ଯଦିଓ ମନ୍ତ୍ରୀ ଏହା ଉପରେ ନିଜ ସଫେଇ ଦେଇଛନ୍ତି, କିନ୍ତୁ ଠୋସ୍ କାରଣ କହି ନାହାନ୍ତି। ପୂର୍ବତନ କ୍ରୀଡ଼ାମନ୍ତ୍ରୀ ତଥା ବିଜେଡି ବିଧାୟକ ତୁଷାରକାନ୍ତି ବେହେରା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ୍‌’ରେ ଏହି ଭିଡିଓ ଓ ଫଟୋ ପୋଷ୍ଟ କରିଥିଲେ। ସେ ଲେଖିଥିଲେ ଯେ ନବୀନଙ୍କ ଶାସନ କାଳରେ ଏହା ଅନ୍ତର୍ଜାତୀୟ ଆଥଲେଟ୍‌ଙ୍କ ଦଉଡ଼ିବା ଟ୍ରାକ୍ ଥିଲା। ଏବେ ଏହା ଶାସକ ଦଳର ନେତାଙ୍କ ଗାଡ଼ି ବୁଲାଇବା ଟ୍ରାକରେ ପରିଣତ ହୋଇଛି। ଏହା ସମସ୍ତ କ୍ରୀଡ଼ାବିତଙ୍କ ପାଇଁ ଅତ୍ୟନ୍ତ ଦୁଃଖଦାୟକ ଏବଂ ଓଡ଼ିଶା ପାଇଁ ଲଜ୍ଜାଜନକ।

    ତୁଷାରଙ୍କ ଏହି ଟୁଇଟ୍ ପରେ ଫ‌ଟୋଗୁଡ଼ିକ ସାମାଜିକ ଗଣମାଧ୍ୟମ‌ରେ ଭାଇରାଲ୍‌ ହୋଇଥିଲା। କଳିଙ୍ଗ ଷ୍ଟାଡିୟମରେ ଖୋଦ୍ କ୍ରୀଡ଼ା ମନ୍ତ୍ରୀଙ୍କ ଏପରି ବେପରୱା ଆଚରଣକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। କ୍ରୀଡ଼ାବିତ୍‌ଙ୍କ ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ପଡ଼ିଥିବା ଟ୍ରାକ୍ ଉପରେ କିପରି ମନ୍ତ୍ରୀଙ୍କ ସରକାରୀ ଗାଡ଼ି ସମେତ ଆଉ ଏକ ଗାଡ଼ି ବୁଲିଲା ତାହା ସମସ୍ତଙ୍କୁ ଚକିତ କରିଛି। ପ୍ରଶ୍ନ ଉଠୁଛି, ଟ୍ରାକ୍‌ରେ ଗାଡ଼ି ଚଲାଯାଏନି ବୋଲି ମନ୍ତ୍ରୀ ଜାଣି ନଥିଲେ କି? ଯଦି ମନ୍ତ୍ରୀ ଜାଣି ନଥିଲେ ସେଠାରେ ଉପସ୍ଥିତ ଥିବା କ୍ରୀଡ଼ା ବିଭାଗର ଅଧିକାରୀମାନେ ତାଙ୍କୁ କ’ଣ ପରାମର୍ଶ ଦେଇପାରିଲେନି? ନା ବାରଣ ସତ୍ତ୍ବେ ମନ୍ତ୍ରୀଙ୍କ ଗାଡ଼ି ଟ୍ରାକ୍ ଉପରକୁ ମାଡ଼ି ଯାଇଥିଲା?

    କ୍ରୀଡ଼ା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ‘ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ତାଙ୍କର ଦାୟିତ୍ୱ ଅପସାରଣ ପରେ ଟିକେ ଅଧିକ ସକ୍ରିୟ ହେଇଥିବା ଜଣାପଡ଼ୁଛି। ସେଥିପାଇଁ ତାଙ୍କୁ ଧନ୍ୟବାଦ। କିଛି ଜରୁରୀ ପରିସ୍ଥିତି ଓ ଅସ୍ୱାଭାବିକ ପରିସ୍ଥିତି ଥିଲା, ସେଥିପାଇଁ ଟ୍ରାକରେ ଗାଡ଼ି ଛିଡ଼ା ହେଇଥିଲା। ଖେଳାଳି ଓ କର୍ମଚାରୀଙ୍କ ଗୋପନୀୟତା ଦୃଷ୍ଟିରୁ ଏହାକୁ କୁହାଯିବ ନାହିଁ। ପୂର୍ବରୁ ଅନେକ ଶୀର୍ଷ ନେତୃତ୍ୱ କଳିଙ୍ଗ ଷ୍ଟାଡିୟମ୍ ଆସିଛନ୍ତି, ଗାଡ଼ି ବାହାରେ ରଖି ଭିତରକୁ ଆସନ୍ତି। ତେଣୁ କିଛି ଜରୁରୀ ପରିସ୍ଥିତି ପାଇଁ ଏହା ଘଟିଛି।’ ସୂଚନାଯୋଗ୍ୟ ଯେ ନୂଆ ସରକାର ଆସିଲା ପରେ ବିଜୁ ପଟ୍ଟନାୟକ ଖେଳ ପୁରସ୍କାର ନାମ ବଦଳିବା ନେଇ କ୍ରୀଡ଼ା ବିଭାଗ ବିବାଦ ଘେରକୁ ଆସିଥିଲା। ବିଭାଗୀୟ ମନ୍ତ୍ରୀଙ୍କ ଜାଣତରେ ହିଁ ବିଭାଗ ନାମ ବଦଳାଇବା ପାଇଁ ବିଜ୍ଞପ୍ତି ଜାରି କରିଥିଲା। କିନ୍ତୁ ପରେ ବିଭିନ୍ନ ମହଲରେ ସମାଲୋଚନା ପରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିଥିଲେ। ଫଳରେ ବିଭାଗ ନିଜ ନିଷ୍ପତ୍ତିରୁ ଓହରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ