Sunday, October 18, 2026
21.4 C
Odisha

    ଆପଣଙ୍କ ଘରକୁ ପାରା ଆସିବା ଏବଂ ବସା ବାନ୍ଧିବା ଶୁଭ ନା ଅଶୁଭ?

    ଆଗକୁ ପଢନ୍ତୁ

    ସକାଳୁ ସକାଳୁ ଘରର ବାଲକୋନି କାନ୍ଥରେ ପାରାଙ୍କ ‘ଗୁଟୁର-ଗୁ’ ଶବ୍ଦ ତ ଆପଣ ନିଶ୍ଚୟ ଶୁଣିଥିବେ । କଂକ୍ରିଟ୍‌ର ଜଙ୍ଗଲରେ ପରିଣତ ହେଉଥିବା ସହରଗୁଡ଼ିକରେ ପାରା ଆମ ଦୈନନ୍ଦିନ ଜୀବନର ଏକ ମୁଖ୍ୟ ଅଂଶ ପାଲଟିଗଲେଣି। କେତେବେଳେ ସେମାନେ ଝରକା କୋଣରେ ବିଶ୍ରାମ ନେଉଥିବାର ଦେଖାଯାନ୍ତି, ତ ଆଉ କେତେବେଳେ ଏସି ପଛରେ କୁଟାକାଠି ଗୋଟାଇ ନିଜର ବସା ଗଢ଼ୁଥିବାର ନଜର ଆସନ୍ତି।

    ଆମମାନଙ୍କ ମଧ୍ୟରୁ ଅନେକ ଲୋକ ଅତ୍ୟନ୍ତ ସ୍ନେହର ସହ ସେମାନଙ୍କୁ ପ୍ରତିଦିନ ଦାନା-ପାଣି ଦିଅନ୍ତି, ତ ଆଉ କେତେବେଳେ ସେମାନଙ୍କ ଦ୍ୱାରା ହେଉଥିବା ମଇଳାରେ ବିରକ୍ତ ହୋଇ ସେମାନଙ୍କୁ ଓଡ଼ାଇବାର ଚେଷ୍ଟା ମଧ୍ୟ କରନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଜ୍ୟୋତିଷ, ବାସ୍ତୁ ଏବଂ ଆମର ପ୍ରାଚୀନ ଶାସ୍ତ୍ରରେ ପାରା ଏଭଳି ଘରକୁ ଆସିବା ଏବଂ ରହିବା ବିଷୟରେ କ’ଣ କୁହାଯାଇଛି?

    ସନାତନ ପରମ୍ପରାରେ ପକ୍ଷୀମାନଙ୍କର ପ୍ରତ୍ୟେକ କାର୍ଯ୍ୟକଳାପର ସିଧାସଳଖ ସମ୍ପର୍କ ଘରର ଉର୍ଜା ଏବଂ ସଦସ୍ୟଙ୍କ ଭାଗ୍ୟ ସହିତ ଯୋଡ଼ାଯାଇଛି। ବିଶେଷ କରି ପ୍ରସିଦ୍ଧ ଗ୍ରନ୍ଥ ‘ନାରଦ ସଂହିତା’ ର ଶକୁନ ବିଚାର ଅଧ୍ୟାୟରେ କପୋତ ବା ପାରାର ଆଗମନ, ତାହାର ଶବ୍ଦ ଏବଂ ତାହାର ବସା ବାନ୍ଧିବାର ପରିଣାମ ବିଷୟରେ ଅତ୍ୟନ୍ତ ଗଭୀର ଭାବେ ବର୍ଣ୍ଣନା କରାଯାଇଛି।

    ଲକ୍ଷ୍ମୀ ଓ ଶାନ୍ତିର ସଙ୍କେତ : ନାରଦ ସଂହିତା ଅନୁଯାୟୀ, ପାରା ମୂଳତଃ ସୁଖ, ଶାନ୍ତି ଏବଂ ଦେବୀ ଲକ୍ଷ୍ମୀଙ୍କ କୃପାର ପ୍ରତୀକ। ଯଦି କୌଣସି ପାରା ଆପଣଙ୍କ ଘର ଅଗଣା, ଛାତ କିମ୍ବା ବାଲକୋନିକୁ ଆସି ଶାନ୍ତ ଭାବରେ ବସେ କିମ୍ବା ସେଠାରେ ପଡ଼ିଥିବା ଦାନା ଖାଏ, ତେବେ ଶକୁନ ଶାସ୍ତ୍ର ଏହାକୁ ଏକ ଅତ୍ୟନ୍ତ ଶୁଭ ସଙ୍କେତ ବୋଲି ମାନିଥାଏ। ଏହାକୁ ଘରେ ସକାରାତ୍ମକ ଉର୍ଜାର ପ୍ରବେଶ ଏବଂ ‘ଲକ୍ଷ୍ମୀ ଆଗମନ’ର ପୂର୍ବ ସୂଚନା ବୋଲି ଧରାଯାଏ।

    ଶାସ୍ତ୍ରରେ ଏହା ମଧ୍ୟ ଉଲ୍ଲେଖ ଅଛି ଯେ, ଯଦି ସକାଳର ପ୍ରଥମ ପ୍ରହରରେ ଆପଣଙ୍କୁ ଘର ପାଖରେ ପାରାର ଧୀର ଏବଂ ସ୍ପଷ୍ଟ ‘ଗୁଟୁର-ଗୁ’ ଶବ୍ଦ ଶୁଣାଯାଏ, ତେବେ ଏହା ସଙ୍କେତ ଦିଏ ଯେ ଆପଣଙ୍କ ଜୀବନରେ ଚାଲିଥିବା ଆର୍ଥିକ ସମସ୍ୟା ଶୀଘ୍ର ଦୂର ହେବାକୁ ଯାଉଛି। ଏହି ଶବ୍ଦ ଅଟକି ରହିଥିବା କାମଗୁଡ଼ିକ ଆଗକୁ ବଢ଼ିବା ଏବଂ ବ୍ୟବସାୟରେ ହଠାତ୍ ଲାଭ ହେବାର ସୂଚନା ଦେଇଥାଏ।

     

     

    ଘରେ ବସା ବାନ୍ଧିବା : ପାରା ଘରକୁ ଆସି ଦାନା ଖାଇବା ଯେତିକି ଶୁଭ, ଘର ଭିତରେ ତାହାର ସ୍ଥାୟୀ ଠିକଣା ବନାଇବା ବାସ୍ତୁ ଶାସ୍ତ୍ର ଏବଂ ନାରଦ ସଂହିତା ଦୁହିଁଙ୍କ ଦୃଷ୍ଟିରୁ ଚିନ୍ତାର ବିଷୟ। ନାରଦ ସଂହିତାରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଯଦି ପାରା ଘରର ଭିତର ଭାଗ ଯେପରିକି ଆଲମାରୀ ଉପରେ, ଝରକା କାଚ ପଛରେ କିମ୍ବା ବାଲକୋନି ସେଡ୍ ଭିତରେ ବସା ବାନ୍ଧି ଅଣ୍ଡା ଦିଏ, ତେବେ ସେଠାରେ ଦାରିଦ୍ର୍ୟ ଏବଂ ମାନସିକ ଅଶାନ୍ତି ଦେଖାଦେଇଥାଏ।

    ଏହାର ବ୍ୟାବହାରିକ ଏବଂ ବାସ୍ତୁ ସମ୍ବନ୍ଧୀୟ କାରଣ ହେଉଛି, ପାରା ନିଜ ବସା ପାଇଁ ଶୁଖିଲା କୁଟା, ଜାଲି ଏବଂ ମଇଳା ଏକାଠି କରିଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର କୌଣସି କୋଣରେ ମଇଳା ଏବଂ କୁଟାଜାତୀୟ ଜିନିଷ ଜମା ହେବା ରାହୁ ଏବଂ ଶନିଙ୍କର ନକାରାତ୍ମକ ପ୍ରଭାବକୁ ନିମନ୍ତ୍ରଣ ଦେଇଥାଏ। ଏହାଦ୍ୱାରା ପରିବାର ସଦସ୍ୟଙ୍କ ନିଷ୍ପତ୍ତି ନେବାର କ୍ଷମତା ପ୍ରଭାବିତ ହୁଏ, ହେବାକୁ ଥିବା କାମ ଶେଷ ମୁହୂର୍ତ୍ତରେ ବିଗିଡ଼ିଯାଏ ଏବଂ ଅଯଥା ଖର୍ଚ୍ଚ ବଢ଼ିଥାଏ।

    ବୁଧ ଏବଂ ରାହୁଙ୍କ ଖେଳ : ଜ୍ୟୋତିଷ ଶାସ୍ତ୍ରରେ ପାରାର ସିଧାସଳଖ ସମ୍ପର୍କ ‘ବୁଧ’ ଗ୍ରହ ସହିତ ଯୋଡ଼ାଯାଇଛି। ବୁଧ ହେଉଛନ୍ତି ବୁଦ୍ଧି, ବ୍ୟବସାୟ, ବାଣୀ ଏବଂ ଆର୍ଥିକ ପରିଚାଳନାର କାରକ ଗ୍ରହ।

    ଶୁଭ ପ୍ରଭାବ : ଯେତେବେଳେ ଆପଣ ଘର ବାହାରେ କୌଣସି ଖୋଲା ସ୍ଥାନ, ପାର୍କ କିମ୍ବା ଛାତ ଉପରେ ପାରାଙ୍କୁ ବାଜରା କିମ୍ବା ଗହମ ଖାଇବାକୁ ଦିଅନ୍ତି, ସେତେବେଳେ ଆପଣଙ୍କ କୁଣ୍ଡଳୀରେ ଦୁର୍ବଳ ଥିବା ବୁଧ ଗ୍ରହ ବଳବାନ୍ ହୁଅନ୍ତି। ଏହାଦ୍ୱାରା ବୁଦ୍ଧି ତୀକ୍ଷ୍ଣ ହୁଏ, ବ୍ୟବସାୟିକ ନିଷ୍ପତ୍ତି ସଠିକ୍ ହୋଇଥାଏ।

    ନକାରାତ୍ମକ ପ୍ରଭାବ : କିନ୍ତୁ ଅନ୍ୟପଟେ, ଯଦି ପାରା ବାଲକୋନି କିମ୍ବା ଝରକା ଭିତରେ ପ୍ରଚୁର ମଇଳା କରନ୍ତି ଏବଂ ସେହି ସ୍ଥାନ ସମୟସାପେକ୍ଷ ସଫା କରାନଯାଏ, ତେବେ ବୁଧ ଗ୍ରହ ରାହୁଙ୍କ ଦୂଷିତ ପ୍ରଭାବରେ ଆସିଯାଆନ୍ତି। ଏହାଦ୍ୱାରା ମାନସିକ ତ୍ରାସ, ଗୃହ-କ୍ଲେଶ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.4 ° C
    21.4 °
    21.4 °
    93 %
    0.8kmh
    92 %
    Sun
    31 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ