ବର୍ତ୍ତମାନ ଆମେରିକାର ଲୋକମାନେ ପ୍ରବଳ ଶୀତରେ ଥରୁଛନ୍ତି । ପୂରା ଆମେରିକାରେ ଥଣ୍ଡାର ପ୍ରକୋପ ଦେଖିବାକୁ ମିଳୁଛି । ଏହାରି ଭିତରେ ପାଣିପାଗ ବିଭାଗ ଆମେରିକାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବରଫଝଡ଼ ମାଡ଼ିଆସୁଛି, ଯାହା ଦ୍ୱାରା ଆମେରିକାର ୧,୩୦୦ ମାଇଲ ଅଞ୍ଚଳରେ ପ୍ରବଳ ହିମପାତ, ବିପଜ୍ଜନକ ବରଫବର୍ଷା, ବର୍ଷା ଏବଂ ପ୍ରବଳ ଝଡ଼ ଆସିବାର ସମ୍ଭାବନା ରହିଛି ।
ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ଏହି ବରଫଝଡ଼ କାରଣରୁ ସମଗ୍ର ଆମେରିକାର ପାଖାପାଖି ୬ କୋଟି ଲୋକ ପ୍ରଭାବିତ ହେବେ । ଦେଶର ଉତ୍ତର-ପଶ୍ଚିମରେ ଥିବା ରକି ପର୍ବତସ୍ଥିତ ମୋଣ୍ଟାନାରୁ ନେଇ ମେରିଲାଣ୍ଡ, ଡେଲାୱେର୍ ଏବଂ ଭର୍ଜିନିଆ ଉପକୂଳବର୍ତ୍ତୀ ରାଜ୍ୟ ପର୍ଯ୍ୟନ୍ତ ଶୀତକାଳୀନ ଝଡ଼ର ଆଲର୍ଟ ଜାରି କରାଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଏହି ଝଡ଼ ଯୋଗୁ ରାସ୍ତାରେ ପ୍ରବଳ ମାତ୍ରାରେ ବରଫ ଜମା ହୋଇପାରେ, ଏହା ବ୍ୟତୀତ ବର୍ଷା ଯୋଗୁ ଅନେକ ଅଞ୍ଚଳରେ ବିଜୁଳି ମଧ୍ୟ ଠପ୍ ହୋଇପାରେ । ପାଣିପାଗ ବିଭାଗ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ।
ବରଫ ଝଡ଼ ଯୋଗୁ ଜନଜୀବନ ବହୁତ ଅସ୍ତବ୍ୟସ୍ତ ରହିବ । ଏହା ସହିତ ଲୋକମାନଙ୍କୁ ପ୍ରବଳ ଥଣ୍ଡାର ମଧ୍ୟ ସାମ୍ନା କରିବାକୁ ପଡ଼ିବ । ପାଣିପାଗ ବିଭାଗ ଅନୁମାନ କରିଛି ଯେ ଝଡ଼ ଯୋଗୁ ଅନେକ ଅଞ୍ଚଳରେ ତାପମାତ୍ରା ୧୮ ଡିଗ୍ରୀ ପର୍ଯ୍ୟନ୍ତ ଯାଇପାରେ ।
ପାଣିପାଗ ବିଭାଗର ସତର୍କ ସୂଚନା ପରେ ଅନେକ ରାଜ୍ୟରେ ବର୍ତ୍ତମାନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଏହା ସହିତ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟପାଳ ଏଣ୍ଡି ବେଶିୟର୍ ଏକ ବୈଠକରେ କହିଛନ୍ତି, ଝଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇବ । ରାସ୍ତା ଉପରେ ଏହା ଅଧିକ ପ୍ରଭାବ ପକାଇବ, ଯେଉଁ କାରଣରୁ ରାସ୍ତାଗୁଡ଼ିକ ବନ୍ଦ ହୋଇପାରେ । ଏଥିଯୋଗୁ ବିଜୁଳି କାଟ୍ ମଧ୍ୟ ହୋଇପାରେ ।