ଓଡିଶାର ଏକ ଏମିତି ପର୍ବ, ଯେଉଁଠି ବଡମାନଙ୍କୁ ଦିଆଯାଏ ସମ୍ମାନ । ଯାହାକୁ ଆମେ ପ୍ରଥମାଷ୍ଟମୀ ବା ପଢ଼ୁଆଷ୍ଟମୀ ମଧ୍ୟ କହିଥାଉ । ଏହି ପର୍ବ ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ । ଏଥର ପ୍ରଥମାଷ୍ଟମୀ ଡିସେମ୍ବର ୧ ତାରିଖ ମଙ୍ଗଳବାର ଦିନ ପାଳନ କରାଯିବ । ଏହା ମୁଖ୍ୟତଃ ଘରର ଜ୍ୟେଷ୍ଠ ବା ପ୍ରଥମ ସନ୍ତାନର ମଙ୍ଗଳ କାମନା କରି ପାଳନ କରାଯାଇ ଥାଏ । ପରମ୍ପରା ଅନୁଯାୟୀ ଏହି ଦିନ ଘରର ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂଆ ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ତାଙ୍କ ମାମୁଁ ଘରୁ ହିଁ ଆସେ । ତେଣୁ ମାମୁଁଙ୍କୁ ଅଷ୍ଟମୀ ବନ୍ଧୁ ବୋଲି ମଧ୍ୟ କୁହାଯାଏ । ପ୍ରଥମାଷ୍ଟମୀର ମୁଖ୍ୟ ପିଠା ହେଉଛି ଏଣ୍ଡୁରୀ ପିଠା । ଏହାକୁ ହଳଦୀ ପତ୍ରରେ ଛେନା ଗୁଡ ଓ ନଡିଆ ପୂର ଦେଇ ତିଆରି କରାଯାଏ । ମୁଖ୍ୟ କଥା ହେଉଛି ଏହି ପର୍ବ ଶ୍ରୀମନ୍ଦିରରେ ବି ପାଳନ କରାଯାଏ । ପ୍ରଭୁ ବଳଭଦ୍ର ପଢୁଆଁ ହୁଅନ୍ତି । ତାଙ୍କୁ ମାମୁଁ ଘରୁ ଆସିଥିବା ନୂଆ ପୋଷାକ ଓ ଏଣ୍ଡୁରୀ ପିଠା ଅର୍ପଣ କରାଯାଏ । ତେବେ ଏହି ପର୍ବ ପଛରେ ଏକ ମହତ୍ ଉଦ୍ଦେଶ୍ୟ ମଧ୍ୟ ରହିଛି । ଘରର ଜ୍ୟେଷ୍ଠ ସନ୍ତାନ ହିଁ ପରିବାରର ଦାୟିତ୍ବ ନେଇଥାନ୍ତି । ତେଣୁ ସେମାନଙ୍କୁ ସମ୍ମାନ ଦେବା ସହିତ ଉତ୍ତର ଦାୟିତ୍ବକୁ ଏହି ପ୍ରଥମାଷ୍ଟମୀ ପର୍ବ ଜରିଆରେ ବୁଝାଇ ଦିଆଯାଏ ।
