Thursday, April 2, 2026
38.5 C
Odisha

    ଇତିହାସ ରଚିଲା ନାସାର ଆର୍ଟେମିସ୍‌ ୨ ମିଶନ ; ଚନ୍ଦ୍ରଯାତ୍ରାରେ ଗଲେ ଚାରି ଜଣ ମହାକାଶଚାରୀ

    ଆଗକୁ ପଢନ୍ତୁ

    ମଣିଷ ଶେଷ ଥର ପାଇଁ ଚନ୍ଦ୍ରକୁ ଯାତ୍ରା କରିବାର ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ପରେ ଗୁରୁବାର ନାସାର ଐତିହାସିକ ଆର୍ଟେମିସ୍‌-୨ ମିଶନରେ ଚାରି ଜଣ ମହାକାଶଚାରୀ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଛନ୍ତି । ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ସ୍ପେଶ୍‌ ସେଣ୍ଟରରୁ ଭାରତୀୟ ସମୟ ଅନୁସାରେ ଗୁରୁବାର ପ୍ରତ୍ୟୁଷ ୩ ଟା ୫୪ ମିନିଟରେ ସବୁଠୁ ଶକ୍ତିଶାଳୀ ରକେଟ ସ୍ପେଶ ଲଞ୍ଚ ସିଷ୍ଟମ୍‌ (ଏସ୍‌ଏଲ୍‌ଏସ୍‌) ମାଧ୍ୟମରେ ଓରିଅନ କ୍ୟାପସୁଲ୍‌ରେ ବସି ଏହି ୪ ଜଣ ମହାକାଶଚାରୀ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଥିଲେ । ୫୪ ବର୍ଷ ପରେ ନାସାର ଏହା ପ୍ରଥମ କ୍ରୁ ମିଶନ । ରିଡ୍‌ ୱାଇଜମାନ୍‌ ମିଶନର ନେତୃତ୍ବ ନେଉଛନ୍ତି। ଆର୍ଟେମିସ୍‌ ୨ ଅନେକ କାରଣରୁ ଐତିହାସିକ ରହିଛି । ଚନ୍ଦ୍ରକୁ ଯିବାରେ କ୍ରିଷ୍ଟିନା କୋଚ୍‌ ପ୍ରଥମ ମହିଳା ମହାକାଶଚାରୀ ହୋଇଥିବାବେଳେ ଭିକ୍ଟର ଗ୍ଲୋଭର ପ୍ରଥମ ଅଣଶ୍ବେତ ମହାକାଶଚାରୀ ଓ ଜେରେମି ହାନ୍‌ସେନ୍‌ ପ୍ରଥମ କାନାଡା ମହାକାଶଚାରୀ ଭାବେ ମିଶନରେ ସାମିଲ ହୋଇଛନ୍ତି ।
    ଆର୍ଟେମିସ୍‌ ୨ର ଉତକ୍ଷେପଣ ବିଭିନ୍ନ କାରଣରୁ ବିଳମ୍ବିତ ହୋଇଥିଲା । ରକେଟ୍‌ ଶେଷ ମୁହୂର୍ତ୍ତରେ ପୁନର୍ବାର ରୋଲ୍‌ବ୍ୟାକ୍ କରିବା ଏବଂ ହିଲିୟମ୍ ଲିକ୍ ଭଳି ସମସ୍ୟା ପରି ତ୍ରୁଟି ଦେଖାଯାଇଥିଲା । ପ୍ରଥମ ଦିନ କ୍ରୁ ସଦସ୍ୟ ପୃଥିବୀ କକ୍ଷପଥରେ ରହି ଗୁରୁତ୍ୱପୂର୍ଣ୍ଣ ସିଷ୍ଟମ ଯାଞ୍ଚ ଏବଂ ଚନ୍ଦ୍ର ଅଭିମୁଖୀ ଯାତ୍ରା ପାଇଁ ପ୍ରସ୍ତୁତି ଉପରେ ଧ୍ୟାନ କେନ୍ଦ୍ରିତ କରିବେ । ଚାରି ଦିନ ପରେ ଆର୍ଟେମିସ୍‌-୨ ଚନ୍ଦ୍ରରେ ପହଞ୍ଚିବ। ଏହି କ୍ରୁ ମିଶନରେ ସାମିଲ ଚାରି ଜଣ ମହାକାଶଚାରୀ ଚନ୍ଦ୍ର ଚାରିପାଖରେ ମୁକ୍ତ-ପ୍ରତ୍ୟାବର୍ତ୍ତନ ପଥରେ ଉଡ଼ିବେ ଏବଂ ଏପ୍ରିଲ ୧୧ ତାରିଖରେ ପ୍ରଶାନ୍ତ ମହାସାଗରରେ ଓହ୍ଲାଇବେ । ୧୯୭୨ ମସିହା ଡିସେମ୍ବରରେ ଯାଇଥିବା ଆପୋଲୋ ୧୭ ଶେଷ କ୍ରୁ ମିଶନ ଥିଲା। ଆର୍ଟେମିସ୍‌ ଦ୍ବିତୀୟ ପୂର୍ବରୁ ୨୪ ଜଣ ମହାକାଶଚାରୀ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୧୨ ଜଣ ମହାକାଶଚାରୀ ଚନ୍ଦ୍ରପୃଷ୍ଠରେ ପାଦ ରଖି ପାରିଛନ୍ତି ।
    ଆପୋଲୋ ୮ ଚନ୍ଦ୍ରରେ ପହଞ୍ଚିବା ପାଇଁ ପ୍ରଥମ ମାନବ ମହାକାଶ ଯାତ୍ରା ଥିଲା। ୧୯୬୯ ମସିହା ଜୁଲାଇ ୧୬ ତାରିଖରେ ଆପୋଲୋ ୧୧ ମିଶନ ମାଧ୍ୟମରେ ମାନବଜାତି ଚନ୍ଦ୍ରରେ ଅବତରଣ କରିଥିଲା । ନିଲ ଆର୍ମ‌ଷ୍ଟ୍ରଙ୍ଗ ପ୍ରଥମ ଥର ଚନ୍ଦ୍ରପୃଷ୍ଠରେ ପାଦ ରଖିଥିଲେ । ଏହାକୁ ଆର୍ମଷ୍ଟ୍ରଙ୍ଗ ‘ମଣିଷ ପାଇଁ ଗୋଟିଏ ଛୋଟ ପଦକ୍ଷେପ, ମାନବଜାତି ପାଇଁ ଗୋଟିଏ ବିରାଟ ପଦକ୍ଷେପ’ ବୋଲି କହିଥିଲେ। ତେବେ ଆର୍ଟେମିସ୍‌ ୨ର ମହାକାଶଚାରୀ ମଧ୍ୟ ଚନ୍ଦ୍ରପୃଷ୍ଠରେ ଅବତରଣ କରିବେ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.5 ° C
    38.5 °
    38.5 °
    17 %
    3.1kmh
    51 %
    Thu
    38 °
    Fri
    41 °
    Sat
    39 °
    Sun
    38 °
    Mon
    41 °

    ସମ୍ବନ୍ଧିତ