ନରୱେ : ଭାରତୀୟ ଭାରୋତ୍ତୋଳକାରୀ ତଥା ଅଲମ୍ପିକ୍ସ ପଦକ ବିଜେତା ମୀରାବାଇ ଚାନୁ ପୁଣିଥରେ ଦେଶ ପାଇଁ ଗୌରବ ଆଣିଛନ୍ତି । ନରୱେରେ ଚାଲିଥିବା ୨୦୨୫ ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଛନ୍ତି । ବିଶ୍ବ ଭାରୋତ୍ତୋଳନ ଚାମ୍ପିଅନସିପରେ ୪୮ କିଲୋଗ୍ରାମ ଓଜନ ବର୍ଗରେ ଅଂଶଗ୍ରହଣ କରି ସିଲଭର ସଫଳତା ହାସଲ କରିଛନ୍ତି । ୩ ବର୍ଷ ପରେ ଏହି ବଡ଼ ଟୁର୍ଣ୍ଣାମେଣ୍ଟରେ ପଦକ ଜିତିଛନ୍ତି ।
ମୀରାବାଇ ସ୍ନାଚ୍ ବର୍ଗରେ ମୋଟ ୮୪ କିଲୋଗ୍ରାମ ଓଜନ ଉଠାଇଥିଲେ । ତା’ପରେ ସେ କ୍ଲିନ୍ ଆଣ୍ଡ୍ ଜର୍କରେ ୧୧୫ କିଲୋଗ୍ରାମ ଓଜନ ଉଠାଇଥିଲେ । ମୋଟ୍ ୧୯୯ କିଲୋଗ୍ରାମ ଓଜନ ଉଠାଇ ସେ ରୌପ୍ୟ ପଦକ ଜିତିଛନ୍ତି । ଉତ୍ତର କୋରିଆର ରି ସଙ୍ଗ ଗମ୍ ବିଶ୍ୱ ରେକର୍ଡ ପ୍ରଦର୍ଶନ ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ଥାଇଲ୍ୟାଣ୍ଡର ଥାନ୍ୟାଥନ୍ ସୁକ୍ଚାରୋଏନ୍ ବ୍ରୋଞ୍ଜ ପଦକ ଜିତିଛନ୍ତି ।ମୀରାବାଇ ଚାନୁ ବିଶ୍ୱ ଚାମ୍ପିଅନସିପରେ ଦମଦାର ଆରମ୍ଭ କରିଥିଲେ । ସ୍ନାଚ୍ ବର୍ଗରେ ତାଙ୍କର ପ୍ରଥମ ପ୍ରୟାସରେ ୮୪ କିଲୋଗ୍ରାମ ଉଠାଇଥିଲେ । ସ୍ୱର୍ଣ୍ଣ ପଦକ ବିଜେତା କୋରିଆର ରି ସଙ୍ଗ୍ ଗମ୍ ମୋଟ୍ ୨୧୩ କିଲୋଗ୍ରାମ ଉଠାଇଥିଲେ । ସେ କ୍ଲିନ୍ ଆଣ୍ଡ ଜର୍କରେ ୧୨୨ କିଲୋଗ୍ରାମ ଓଜନ ଉଠାଇ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ରୌପ୍ୟ ପଦକ ସହ ବିଶ୍ୱ ଚାମ୍ପିଅନସିପରେ ଭାରୋତ୍ତୋଳନରେ ମୀରାବାଇ ଚାନୁଙ୍କର ଏହା ତୃତୀୟ ପଦକ । ପୂର୍ବରୁ ସେ ୨୦୧୭ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଏବଂ ୨୦୨୦ରେ ରୌପ୍ୟ ପଦକ ଜିତିଥିଲେ । ସେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ ।
ବିଜୟ ପାଇବା ପରେ ମୀରାବାଇ ସିଧାସଳଖ କୋଚଙ୍କ ପାଖକୁ ଯାଇ ଧନ୍ୟବାଦ ଜଣାଇଥିଲେ । ଆହତଜନିତ କାରଣ ଯୋଗୁଁ ମୀରାବାଇ ଗତ କିଛି ବର୍ଷ ହେଲାଣି ମୁସ୍କିଲରେ ରହିଥିଲେ ।
ମୀରାବାଇ ଚାନୁ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ କୌଣସି ପଦକ ଜିତି ନଥିଲେ । ଚତୁର୍ଥ ସ୍ଥାନରେ ରହିଥିଲେ । ଏହା ପରେ, ବିଶ୍ୱ ଚାମ୍ପିଅନସିପରେ ଭଲ ପ୍ରଦର୍ଶନ କରିବା ତାଙ୍କର ଲକ୍ଷ୍ୟ ରହିଥିଲା ।