ନୂଆଦିଲ୍ଲୀ : ଆମେରିକା ଓ ଇସ୍ରାଏଲ ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିଛନ୍ତି । ଆଜି ଏହି ଦୁଇଟି ଦେଶ ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଏୟାରଷ୍ଟ୍ରାଇକ୍ କରିଛନ୍ତି । ଏହି ଆକ୍ରମଣରେ ଏପର୍ଯ୍ୟନ୍ତ କୌଣସି ପ୍ରକାର ରେଡିଓ ଆକ୍ଟିଭ ଲିକ୍ ହୋଇନାହିଁ । ଏହି ଅଞ୍ଚଳ ଓ ଆଖପାଖର ଲୋକଙ୍କ ପାଇଁ କୌଣସି ବିପଦ ନାହିଁ ବୋଲି କୁହାଯାଇଛି । ବୋମାମାଡ଼ ଯୋଗୁଁ ସ୍ଥାନୀୟ ଲୋକ ଭୟଭୀତ ହୋଇ ରହିଛନ୍ତି ।
ଆକ୍ରମଣ ପରେ ମଧ୍ୟ ସ୍ଥାନୀୟ ଲୋକ ସୁରକ୍ଷିତ ରହିଛନ୍ତି । ତେବେ ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ବାରମ୍ବାର ଟାର୍ଗେଟ ହେଉଛି । ଆମେରିକା ଓ ଇସ୍ରାଏଲ ଗତବର୍ଷ ଜୁନରେ ମଧ୍ୟ ଏହି ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିଥିଲେ । ଗତବର୍ଷ ଜୁନରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ୧୨ ଦିନ ଯୁଦ୍ଧ ଚାଲିଥିଲା । ଏଥିରେ ନତାଞ୍ଜ ପରମାଣୁ କେନ୍ଦ୍ର ମୁଖ୍ୟ ଟାର୍ଗେଟ ଥିଲା ।
ଅନ୍ୟପଟେ ହର୍ମୁଜ ପ୍ରଣାଳୀ ବନ୍ଦ ହୋଇନଥିବା ଇରାନ ବିଦେଶ ମନ୍ତ୍ରୀ ଅବାସ ଅରାଘଚି କହିଛନ୍ତି । ଅରାଘଚି କହିଛନ୍ତି, ଏହି ମାର୍ଗ ବନ୍ଦ ନାହିଁ । ହର୍ମୁଜ ପ୍ରଣାଳୀ ଯେଉଁ ଦେଶ ଆମ ଉପରେ ଆକ୍ରମଣ କରୁଛନ୍ତି ସେମାନଙ୍କ ପାଇଁ ବନ୍ଦ ରହିଛି । ଅନ୍ୟ ଦେଶର ଜାହାଜ ସାଧାରଣ ଭାବେ ଯାତାୟାତ କରୁଛି । କିନ୍ତୁ ସେଥିପାଇଁ ସେମାନଙ୍କୁ ତେହେରାନ ସହିତ କଥାବାର୍ତ୍ତା କରିବାକୁ ପଡ଼ୁଛି । ଆମେରିକା ଓ ଇସ୍ରାଏଲ ସହିତ ଯୁଦ୍ଧ ଶେଷ କରିବାକୁ ଅସ୍ତ୍ରବିରତି ନୁହେଁ, ଏହା ପୂରା ଶେଷ ହେବାର ଆବଶ୍ୟକତା ରହିଛି ।
