ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ବିମାନବନ୍ଦରରୁ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ଏକ ଘରୋଇ ବିମାନର କାର୍ଗୋ ହୋଲ୍ଡରେ ଏକ ଜୀବନ୍ତ ସାପ ଦେଖାଯିବା ପରେ ହଇଚଇ ସୃଷ୍ଟି ହୋଇଥିଲା । ଏହି ଘଟଣା ମଙ୍ଗଳବାର ଦିନ ମେଲବୋର୍ଣ୍ଣରୁ ବ୍ରିସବେନ ଯାଉଥିବା ଭର୍ଜିନ୍ ଅଷ୍ଟ୍ରେଲିଆ ବିମାନ VA337 ରେ ଘଟିଥିଲା ।
ଯାତ୍ରୀମାନେ ବିମାନରେ ଚଢ଼ିବା ସମୟରେ, କ୍ର୍ୟୁ’ ମାନେ ବିମାନର ତଳ ଅଂଶ ଅର୍ଥାତ୍ କାର୍ଗୋ ହୋଲ୍ଡରେ କିଛି ସନ୍ଦେହଜନକ କାର୍ଯ୍ୟକଳାପ ଲକ୍ଷ୍ୟ କରିଥିଲେ । ଆଉ ବିମାନରେ ଏକ ସାପ ଥିବାର ଅନୁମାନ କରାଯାଇଥିଲା । ଯାହାପରେ ତୁରନ୍ତ ଜଣେ ସ୍ଥାନୀୟ ମାର୍କ ପେଲି ନାମକ ଜଣେ ସାପ ଧରାଳିଙ୍କୁ ଡକାଯାଇଥିଲା । ମାର୍କଙ୍କ ଅନୁସାରେ, ସାପଟି ଏକ ପ୍ୟାନେଲ୍ ପଛରେ ଅଧା ଲୁଚି ରହିଥିଲା ଏବଂ ଅନ୍ଧାରରେ ଏହା ବିଷାକ୍ତ କି ନାହିଁ ତାହା ଚିହ୍ନଟ କରିବା କଷ୍ଟକର ଥିଲା । ମାର୍କ କହିଥିଲେ, “ଯେତେବେଳେ ସେ ସାପକୁ ପ୍ରଥମେ ଦେଖିଲେ ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ ଦେଖାଯାଉଥିଲା । ଯଦି ସେ ପ୍ୟାନେଲ୍ ଭିତରେ କୁଆଡେ ଲୁଚି ଯାଇଥାନ୍ତା, ତେବେ ସମ୍ପୂର୍ଣ୍ଣ ବିମାନକୁ ଖାଲି କରିବାକୁ ପଡ଼ିଥାନ୍ତା ।” ସାପ ଧରାଳି କହିଛନ୍ତି ଯେ ସୌଭାଗ୍ୟବଶତଃ ସେ ପ୍ରଥମ ପ୍ରୟାସରେ ସାପଟିକୁ ଧରିବାରେ ସଫଳ ହୋଇଥିଲେ । ସାପଟି ପ୍ରାୟ ୬୦ ସେମି ଅର୍ଥାତ ପ୍ରାୟ ୨ ଫୁଟ ଲମ୍ବା ଥିଲା । ପରେ ଏହାକୁ ଏକ ଗ୍ରୀନ ଟ୍ରି ସାପ ଭାବରେ ଚିହ୍ନଟ କରାଯାଇଥିଲା, ଯାହା ବିଷାକ୍ତ ନୁହେଁ । ସାପଟି ମିଳିବା ପରେ, ସୁରକ୍ଷା କାରଣରୁ ବିମାନ ପ୍ରାୟ ୨ ଘଣ୍ଟା ବିଳମ୍ବ ହୋଇଥିଲା । ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ବିମାନ କମ୍ପାନୀ କ୍ଷମା ମଧ୍ୟ ମାଗିଛନ୍ତି । ସାପ ଧରାଳିଙ୍କ ଅନୁଯାୟୀ, ଯଦି ସେହି ସମୟରେ ସାପଟି ଧରାଯାଇ ନ ଥାନ୍ତା, ତେବେ ଇଞ୍ଜିନିୟରମାନଙ୍କୁ ସମ୍ପୂର୍ଣ୍ଣ ବିମାନର ପ୍ୟାନେଲ ଖୋଲି ସାପକୁ ଖୋଜିବାକୁ ପଡ଼ିଥାନ୍ତା । ଯାହା ଫଳରେ ବିମାନ ଆହୁରି ଅନେକ ଘଣ୍ଟା ବିଳମ୍ବ ହୋଇଥାନ୍ତା ।
ଏହି ସାପଟି ବ୍ରିସବେନ ଅଞ୍ଚଳର ବୋଲି କୁହାଯାଉଛି । ତେଣୁ ଏହା ଭୁଲବଶତଃ କୌଣସି ଯାତ୍ରୀଙ୍କ ବ୍ୟାଗ କିମ୍ବା ଲଗେଜ୍ ସହିତ ବିମାନରେ ପହଞ୍ଚିଥିବା ଅନୁମାନ କରାଯାଉଛି । କ୍ୱାରେଣ୍ଟାଇନ୍ ନିୟମ ଯୋଗୁଁ, ଏହି ସାପକୁ ଆଉ ଜଙ୍ଗଲରେ ଛାଡିହେବ ନାହିଁ । ଏହାକୁ ଏବେ ଜଣେ ଲାଇସେନ୍ସପ୍ରାପ୍ତ ସାପ ଧରାଳିଙ୍କୁ ହସ୍ତାନ୍ତର କରାଯାଇଛି । ଯଦିଓ ଏଥର ମିଳିଥିବା ସାପଟି ବିଷାକ୍ତ ନଥିଲା, କିନ୍ତୁ ବିମାନ ଭିତରେ ସାପ ମିଳିବା ଘଟଣା ଅତ୍ୟନ୍ତ ଭୟଙ୍କର । ଗତ କିଛି ମାସ ମଧ୍ୟରେ, ଲୋକଙ୍କ ମଧ୍ୟରେ ବିମାନ ପ୍ରତି ଭୟ ସୃଷ୍ଟି ହୋଇଛି । ଗୋଟିଏ ପରେ ଗୋଟିଏ ବିମାନ ଦୁର୍ଘଟଣା ଏବଂ ଯାନ୍ତ୍ରିକ ସମସ୍ୟାର ଖବର ପରେ ଏବେ ବିମାନ ଯାତ୍ରାକୁ ଭୟ କଲେଣି ଲୋକେ । ଅଷ୍ଟ୍ରେଲିଆରେ ମଧ୍ୟ ଏପରି କିଛି ଘଟିଥିଲା ଯାହାପରେ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।