ଭୁବନେଶ୍ୱର : ଉତ୍ତର ଓଡ଼ିଶାରେ ବନ୍ୟା ଚିନ୍ତା ଜାରି ରହିଛି । ବାଲେଶ୍ୱର ତଳିଆ ଅଞ୍ଚଳ ପାଇଁ ବଢ଼ିଲା ସତର୍କତା । ଉତ୍ତର ଓଡ଼ିଶାର ଏକାଧିକ ନଦୀରେ ବନ୍ୟା ସ୍ଥିତି ଲାଗି ରହିଛି । ଏବେ ସବୁଠୁ ଅଧିକ ନଜର ସୁବର୍ଣ୍ଣରେଖା ଉପରେ ରହିଛି । ଝାଡ଼ଖଣ୍ଡର ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ଆସୁଥିବା ବନ୍ୟାଜଳ ଆଜି ବାଲେଶ୍ୱର ତଳିଆ ଅଞ୍ଚଳରେ ପହଞ୍ଚିବା ଆଶଙ୍କା ରହିଛି । ଫଳରେ ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତା ବ୍ଲକ୍ ରେ ଜଳସ୍ତର ବଢ଼ିପାରେ । ଏହି ଅଞ୍ଚଳଗୁଡ଼ିକ ଉପରେ ପ୍ରଶାସନ ବିଶେଷ ନଜର ରଖିଛି । ଜଳକା ନଦୀରେ ମଧ୍ୟ ଚିନ୍ତା ଜାରି ରହିଛି । ମଥାନୀଠାରେ ନଦୀର ଜଳସ୍ତର ବିପଦ ସଙ୍କେତ ୬.୫୦ ମିଟର ଉପରେ ରହିଛି । ଏହାର ପ୍ରଭାବରେ ବସ୍ତା ଓ ସଦର ବ୍ଲକ୍ ର ବିଭିନ୍ନ ତଳିଆ ଅଞ୍ଚଳରେ ଚାଷଜମି ଓ ରାସ୍ତାଘାଟ ଏବେ ବି ପାଣି ଘେରରେ ରହିଛି । ପାଣି ନଖସିବା ପର୍ଯ୍ୟନ୍ତ ଏହି ଅଞ୍ଚଳରେ ସ୍ଥିତି ଉପରେ ନଜର ରଖାଯାଉଛି ।
ସେପଟେ ବୈତରଣୀ ଓ ବ୍ରାହ୍ମଣୀ ଅବବାହିକାରେ ବନ୍ୟା ପ୍ରଭାବ ସମ୍ପୂର୍ଣ୍ଣ କମିନାହିଁ । ଭଦ୍ରକର ଆଖୁଆପଦାଠାରେ ବୈତରଣୀର ଜଳସ୍ତର ସ୍ଥିର ରହିଥିଲେ ମଧ୍ୟ ବିପଦ ସଙ୍କେତ ଉପରେ ରହିଛି। ତେବେ ବୁଢ଼ାବଳଙ୍ଗକୁ ନେଇ କିଛିଟା ଆଶ୍ୱସ୍ତି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ତେବେ ଆଜିଠୁ ବର୍ଷା କମିବ। ଫଳରେ ବନ୍ୟା ପ୍ରକୋପ ମଧ୍ୟ ଧୀରେ ଧୀରେ କମିବ। ଅବପାତ ଓଡ଼ିଶା ଅତିକ୍ରମ କରିସାରିଥିବାରୁ ଉତ୍ତର ଓଡ଼ିଶା ପାଇଁ ଅତି ପ୍ରବଳ ବର୍ଷାର କୌଣସି ବଡ଼ ଚେତାବନୀ ନାହିଁ ।
ଏଣେ ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ସମେତ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି । ପ୍ରଭାବିତଙ୍କ ଉଦ୍ଧାର ପାଇଁ ମୈଦାନରେ ୧୦୬ ଉଦ୍ଧାରକାରୀ ଟିମ୍ । ୪୫ଟି ODRAF, ୮ଟି NDRF ଏବଂ ୫୩ଟି ଅଗ୍ନିଶମ ବାହିନୀ ଟିମ୍ କାମ କରୁଛନ୍ତି ।
