Saturday, October 10, 2026
24.4 C
Odisha

    ଏଆଇ ଦେବ ଅଲ୍‌ଜାଇମର୍‌ର ପ୍ରାକ୍ ସୂଚନା

    ଆଗକୁ ପଢନ୍ତୁ

    ଆଜିକାଲି ପ୍ରତ୍ୟେକ କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସର ବହୁଳ ବ୍ୟବହାର କରାଯାଉଛି। କାରଣ ଏହା ଜଟିଳ କାର୍ଯ୍ୟଗୁଡ଼ିକୁ କମ୍ ସମୟ ମଧ୍ୟରେ ସମ୍ପାଦନ କରିବାର କ୍ଷମତା ରଖେ। ଏଭଳି ସ୍ଥିତିରେ ଏଅ‌ାଇ ଏବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ନିଜର ପ୍ରଭାବ ଦେଖାଇଲାଣି। ବୈଜ୍ଞାନିକମାନେ ଏବେ ଏପରି ଏକ ପ୍ରଯୁକ୍ତିବିଦ୍ୟା ବିକଶିତ କରିଛନ୍ତି, ଯାହା ଦ୍ୱାରା ଅଲ୍‌ଜାଇମର୍‌ ବା ଭୁଲା ରୋଗ ବିଷୟରେ ବହୁ ପୂର୍ବରୁ ଏବଂ ଅତି ସହଜରେ ଜଣାପଡ଼ିପାରିବ। ଏହା ଫଳରେ ରୋଗୀଙ୍କୁ ମହଙ୍ଗା ମେଡିକାଲ୍ ସ୍କାନ୍ ଓ କଷ୍ଟଦାୟକ ପରୀକ୍ଷାରୁ ବଡ଼ ଆଶ୍ୱସ୍ତି ମିଳିବ।

    ଅଲ୍‌ଜାଇମର୍‌ ହେଉଛି ମସ୍ତିଷ୍କ ସହ ଜଡ଼ିତ ଏକ ଗମ୍ଭୀର ରୋଗ, ଯେଉଁଥିରେ ମଣିଷର ସ୍ମରଣଶକ୍ତି ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗେ। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ସାଧାରଣ କଥା, ଯେପରିକି ଲୋକଙ୍କ ନାମ, ରାସ୍ତା କିମ୍ବା ଦୈନନ୍ଦିନ କାମ ସବୁ ଭୁଲିଯାନ୍ତି ଓ ବୟସ ବଢ଼ିବା ସହ ସମସ୍ୟା ଆହୁରି ଗମ୍ଭୀର ହୋଇଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗ ଶୀଘ୍ର ଚିହ୍ନଟ କରିବା ଅତ୍ୟନ୍ତ କଷ୍ଟକର ଥିଲା, କାରଣ ରୋଗୀଙ୍କଠାରେ ଲକ୍ଷଣ ଗୁରୁତର ନ ହେବା ପର୍ଯ୍ୟନ୍ତ ରୋଗକୁ ଚିହ୍ନି ହେଉ ନଥିଲା। ଏଥିପାଇଁ ରୋଗୀଙ୍କୁ ପିଇଟି ସ୍କାନ୍ କିମ୍ବା ମେରୁଦଣ୍ଡର ପରୀକ୍ଷା କରିବାକୁ ପଡ଼ୁଥିଲା। ଏହି ପରୀକ୍ଷା କେବଳ ମହଙ୍ଗା ନୁହେଁ, ବରଂ ଛୋଟ ସହର କିମ୍ବା ସାଧାରଣ ଡାକ୍ତରଖାନାରେ ସହଜରେ ଉପଲବ୍‌ଧ ନୁହେଁ।

    ବୈଜ୍ଞାନିକମାନେ ପ୍ରସ୍ତୁତ କରିଥିବା ନୂତନ ଏଆଇ ମଡେଲ୍‌ଟି ଅତ୍ୟନ୍ତ ଉନ୍ନତ ଏବଂ ଏହି ପରୀକ୍ଷା ମୁଖ୍ୟତଃ ଦୁଇଟି ଉପାୟରେ କାର୍ଯ୍ୟ କରିଥାଏ। ପ୍ରଥମଟି ହେଲା, ଏହି ଏଆଇ ସିଷ୍ଟମ୍ ରୋଗୀଙ୍କ ସାଧାରଣ ସ୍ୱାସ୍ଥ୍ୟ ରେକର୍ଡ, ଯେପରିକି ବ୍ଲଡ୍ ଟେଷ୍ଟ୍ ରିପୋର୍ଟ, ବୟସ ଓ କାର୍ଯ୍ୟ ସମ୍ବନ୍ଧୀୟ ଡାଟାର ବିଶ୍ଳେଷଣ କରେ। ଦ୍ବିତୀୟଟି, ଏଆଇ ମସ୍ତିଷ୍କର ପ୍ରାରମ୍ଭିକ ପରିବର୍ତ୍ତନଗୁଡ଼ିକୁ ଅତି ସୂକ୍ଷ୍ମ ଭାବେ ଚିହ୍ନଟ କରିପାରେ, ଯାହାକୁ ଡାକ୍ତରମାନେ ସାଧାରଣ ସ୍କାନ୍‌ରେ ସହଜରେ ଦେଖିପାରନ୍ତି ନାହିଁ। ତେବେ ଏଆଇ ସିଷ୍ଟମ୍ ମାତ୍ର କିଛି ମିନିଟ୍ ମଧ୍ୟରେ କହିଦେଇପାରିବ ଯେ, ଆଗାମୀ ସମୟରେ ଜଣେ ବ୍ୟକ୍ତିଙ୍କୁ ଅଲ୍‌ଜାଇମର୍‌ ହେବାର କେତେ ଆଶଙ୍କା ରହିଛି। ଭାରତରେ ସାଧାରଣତଃ ଏହି ସ୍କାନ୍‌ର ଖର୍ଚ୍ଚ ପ୍ରାୟ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ହେଲେ ଏବେ ମାତ୍ର ୭ ହଜାରରୁ ୧୦ ହଜାର ଟଙ୍କା ମଧ୍ୟରେ ହୋଇପାରିବ।  କେବଳ ସେତିକି ନୁହେଁ, ଏହି ପରୀକ୍ଷା ମାତ୍ର ୧୮ ମିନିଟ୍‌ ମଧ୍ୟରେ ସଂପନ୍ନ ହୋଇପାରିବ ବୋଲି କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ