ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍ ଏକବିଂଶ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଏହା ଭାରତର ଭବିଷ୍ୟତ ବଦଳାଇବ । ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ‘ନାରୀ ଶକ୍ତି ବନ୍ଦନ ସମ୍ମିଳନୀ’କୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଏକବିଂଶ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ନାରୀ ଶକ୍ତି ପାଇଁ ନୂଆ ଯୁଗର ଆରମ୍ଭ। ୨୦୨୯ ସୁଦ୍ଧା ମହିଳା ସଂରକ୍ଷଣ ଲାଗୁ ହେବ । ଏହା ସହ ମୋଦି କହିଛନ୍ତି , ସଂସଦ ଆଜି ଇତିହାସରେ ଏକ ନୂଆ ଅଧ୍ୟାୟ ଲେଖିବାକୁ ଯାଉଛି । ଏହି ନିଷ୍ପତ୍ତି ଅତୀତର ଅଧୁରା ସଂକଳ୍ପକୁ ପୂରଣ କରିବା ସହ ଆଗାମୀ ପିଢ଼ିର ଆଶା ଓ ଆକାଂକ୍ଷାକୁ ସାକାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।
ମହିଳା ସଂରକ୍ଷଣ ବିଲ୍ ଏକବିଂଶ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଏହା ଭାରତର ଭବିଷ୍ୟତ ବଦଳାଇବ । ସେହିପରି ଦଶନ୍ଧି ଦଶନ୍ଧି ଧରି ମହିଳାମାନେ ସଂସଦ ଓ ବିଧାନସଭାରେ ନିଜର ଅଧିକାର ପାଇଁ ଯେଉଁ ଅପେକ୍ଷା କରିଥିଲେ, ତାହାର ଏବେ ଅନ୍ତ ହେବାକୁ ଯାଉଛି ବୋଲି କହିଛନ୍ତି ମୋଦି । ଯେକୌଣସି ପରିସ୍ଥିତିରେ ବି ୨୦୨୯ ସୁଦ୍ଧା ଏହି ନିୟମ ଲାଗୁ କରାଯିବ । ଏପ୍ରିଲ୍ ୧୬ ରୁ ୧୮ ପର୍ଯ୍ୟନ୍ତ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ନାରୀ ଶକ୍ତି ପାଇଁ ଉତ୍ସର୍ଗୀକୃତ। ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନ ପାଇଁ ମହିଳାମାନେ ମୁଖ୍ୟ ସ୍ତମ୍ଭ ହେବେ କହିଛନ୍ତି ମୋଦି । ୨୦୧୪ ପରଠାରୁ ‘ବେଟି ବଚାଓ ବେଟି ପଢ଼ାଓ’, ‘ମାତୃ ବନ୍ଦନା ଯୋଜନା’ ଏବଂ ‘ସୁକନ୍ୟା ସମୃଦ୍ଧି’ ଭଳି ଯୋଜନା ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରାଯାଉଛି । ପୂର୍ବରୁ ସବୁ ସମ୍ପତ୍ତି ପୁରୁଷଙ୍କ ନାମରେ ରହୁଥିଲା । ଏବେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ରେ ଘରଗୁଡ଼ିକ ମହିଳାଙ୍କ ନାମରେ ପଞ୍ଜିକୃତ ହେଉଛି ।
ବିଦ୍ୟାଳୟ ଏବଂ ସରକାରୀ କାଗଜପତ୍ରରେ ପୂର୍ବରୁ କେବଳ ବାପାଙ୍କ ନାମ ଲେଖା ହେଉଥିଲା, କିନ୍ତୁ ଏବେ ମା’ଙ୍କ ନାମ ଲେଖିବା ବାଧ୍ୟତାମୂଳକ କରାଯାଇଛି ବୋଲି ସମ୍ବୋଧନରେ କହିଛନ୍ତି ମୋଦି । ମହିଳାମାନଙ୍କ ପାଇଁ ସୈନିକ ସ୍କୁଲ୍ ଓ ଏନ୍.ଡି.ଏ. (NDA) ର ଦ୍ୱାର ଖୋଲାଯାଇଛି। କ୍ରୀଡ଼ା କ୍ଷେତ୍ରରେ ଝିଅମାନଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କାର ତାଲିମ ସହାୟତା ମିଳୁଛି। ସେହିପରି ମହିଳାଙ୍କୁ ରୋଷେଇ ଘରର ଧୁଆଁରୁ ମୁକ୍ତି ଦେବା ପାଇଁ କୋଟି କୋଟି ମାଗଣା ଗ୍ୟାସ ସଂଯୋଗ ଦିଆଯାଇଛି । କନ୍ୟା ଭ୍ରୂଣ ହତ୍ୟା ରୋକିବା ପାଇଁ ମଧ୍ୟ କଠୋର ପଦକ୍ଷେପ ନିଆଯାଇଛି । ସମ୍ବୋଧନ ଶେଷରେ ସମସ୍ତଙ୍କ ସହଯୋଗ ପାଇଁ ଆହ୍ୱାନ କରିଛନ୍ତି ମୋଦି । ରାଜନୀତିରୁ ଉର୍ଦ୍ଧ୍ୱକୁ ଉଠି ସମସ୍ତ ଦଳ ଏହି ବିଲ୍ କୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି ।
