ସାଲେପୁର: ଯୁଗେ ଯୁଗେ ଭକ୍ତର ଭାବରେ ବନ୍ଧା ଭଗବାନ । ଭକ୍ତର କଷ୍ଟକୁ ଲାଘବ କରିବା ପାଇଁ ଦର୍ଶନ ଦେଇଥିଲେ ପ୍ରଭୁ । ମାଘ ମାସ କୃଷ୍ଣପକ୍ଷ ଏକାଦଶୀରେ ଭକ୍ତ ଟିଏ ନିଷ୍ଠାର ସହ ଘରୁ ପୋଡପିଠା ପ୍ରସ୍ତୁତ କରି ଚାଲି ଚାଲି ଦୀର୍ଘ ୩୫ ରୁ ୪୦ କିଲୋମିଟର ବାଟ ଯାଇ ପ୍ରଭୁଙ୍କୁ ସମର୍ପିତ କରୁଥିଲା । ହେଲେ ପ୍ରଭୁ ଭକ୍ତର ଯାତ୍ରା କଷ୍ଟ ଲାଘବ ପାଇଁ ବର ଦେଇଥିଲେ । ଆଉ କହିଥିଲେ ମାଘ ମାସ କୃଷ୍ଣ ପକ୍ଷ ଏକାଦଶୀରେ ମୁଁ ତୁମର ଘର ପାଖରେ ଦର୍ଶନ ଦେବି । ଏତେ କଷ୍ଟ ସହି ଏତେ ବାଟ ଆଉ ଆସିବା ଦରକାର ନାହିଁ । ପ୍ରାୟ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏଠାରେ ଆଜିର ଦିନରେ ପ୍ରଭୁ ଅପେକ୍ଷା କରିଥାଆନ୍ତି ଭକ୍ତର ସେହି ପୋଡପିଠା ଖାଇବାକୁ ।
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ପଂଚାୟତ ପଞ୍ଚସରଙ୍ଗ ବଳରାମପୁର ଗାଁର ବେଲଗୁମ୍ପା । ଯେଉଁଠି ପୂଜା ପାଉଛନ୍ତି ମହାପୁରୁଷ ମଲ୍ଲିକା ନାଥ । ଏହି ଏକାଦଶୀ ତିଥିରେ ଏହି ଗାଁର ଭକ୍ତ ସୁତମ ମିଶ୍ର ସୁଦ୍ଧ, ପବିତ୍ରତା ସହ ଘରୁ ପୋଡପିଠା ପ୍ରସ୍ତୁତ କରି ଦୀର୍ଘ ରାସ୍ତା ଅତିକ୍ରମ କରି ଯାଉଥିଲେ ଯାଜପୁର ଓ କଟକ ଜିଲ୍ଲାର ସଂଗମ ସ୍ଥଳ ଓଳାଶୁଣୀ ଗୁମ୍ଫାକୁ । ଆଉ ସେଠାରେ ନିଜକୁ ସମର୍ପିତ କରୁଥିଲେ ପୀଠାଧୀଶ ମହାପୁରୁଷ ଅରକ୍ଷିତ ଦାସଙ୍କ ପାଦପଦ୍ମରେ । ହେଲେ ଭକ୍ତର କଷ୍ଟ ଦେଖି ଭକ୍ତର ଘର ପାଖରେ ଦର୍ଶନ ଦେବାକୁ ପ୍ରଭୁ ବର ଦେଇଥିଲେ । ଆଉ ସେହି ଦିନଠାରୁ ଏହି ସ୍ଥାନଟି ଓଳାଶୁଣୀ ପୀଠର ଭ୍ରମ ସୃଷ୍ଟି କରେ । ସତେ ଯେମିତି ପ୍ରଭୁ ନିଜର ପୀଠ ସହ ବିଜେ କରିଛନ୍ତି ଏଠାରେ ।
ଓଳାଶୁଣୀ ପୀଠରେ ଯେପରି ପୂଜା ବିଧି, ଭୋଗ ନୈବେଦ୍ୟ ଅର୍ପଣ କରାଯାଏ ସେହିପରି ଏଠାରେ ବି ପୋଡପିଠା ସହ ଶୁଖୁଆ ଭୋଗ ଆଜିର ଦିନରେ କରାଯାଏ । ଯେପରି ଓଳାଶୁଣୀ ପୀଠକୁ ମାଆ ଓଳାଶୁଣୀ ଦେବୀ ସୁରକ୍ଷା ଓ ଅଭୟ ଦେଇ ରଖିଛନ୍ତି ସେହିପରି ଏହି ବେଲଗୁମ୍ଫା ପୀଠକୁ ମାଆ ଗ୍ରାମ ଦେବତୀ ଇଶାଣିଶ୍ୱରୀ ଅଭୟ ଓ ସୁରକ୍ଷା ଦେଉଛନ୍ତି । ତେଣୁ ଆଜିର ଦିନରେ ଏହି ପୀଠକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ ।
କଥାରେ ଅଛି “ଭାବ କୁ ନିକଟ ଅଭାବେ ଦୂର” । ତେଣୁ ଭଗବାନ ଓ ଭକ୍ତଙ୍କ ଭାବରେ ବନ୍ଧା ଏ ସଂସାର । ୧୦୦ ବର୍ଷ ତଳେ ଭକ୍ତକୁ ଦେଇଥିବା ବର ଆଜି ବି ରକ୍ଷା କରୁଛନ୍ତି ଭଗବାନ । ଆଉ ଭକ୍ତ ଭୁଲିବେ ବା କେମିତି । ତେଣୁ ଏହି ବେଲଗୁମ୍ଫା ପୀଠ ଆଜି ବି ଚଳଚଞ୍ଚଳ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି ସମଗ୍ର କଟକ ଜିଲ୍ଲାରେ ।