Friday, October 2, 2026
23.8 C
Odisha

    ଐତିହାସିକ ବାଲିଯାତ୍ରା ପୂର୍ବ ଭାରତର ସର୍ବବୃହତ୍‌ ବାଣିଜ୍ୟିକ ଓ ସାଂସ୍କୃତିକ ମେଳା : ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    କଟକ   :   ଓଡ଼ିଶାର ଗୌରବମୟ ଇତିହାସର ସୁନ୍ଦର ପରିଚୟ ଐତିହାସିକ ବାଲିଯାତ୍ରା। ଏହା କେବଳ ମେଳା ନୁହେଁ; ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଓ ଓଡ଼ିଆ ସାଧବ ପୁଅଙ୍କ ସାହସ ଆଉ ବାଣିଜ୍ୟର ଜୀବନ ସ୍ମୃତି। ବାଲିଯାତ୍ରା ପୂର୍ବ ଭାରତର ସବୁଠାରୁ ବଡ଼ ସାଂସ୍କୃତିକ ମୁକ୍ତାକାଶ ବାଣିଜ୍ୟିକ ମେଳା। ବାଲିଯାତ୍ରା ଆୟୋଜନ ପାଇଁ ପୂର୍ବରୁ ୨ କୋଟି ଟଙ୍କା ସରକାରୀ ଅନୁଦାନ ମିଳୁଥିବା ବେଳେ ଚଳିତ ବର୍ଷ ଐତିହାସିକ ଉତ୍ସବ ପାଇଁ ୧୦ କୋଟି ଟଙ୍କା ସରକାରୀ ଅନୁଦାନ ପ୍ରଦାନ କରାଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏଥିସହିତ ରୌପ୍ୟ ନଗରୀ ଭାବେ ଖ୍ୟାତି ଅର୍ଜନ କରିଥିବା କଟକ ସହରକୁ ତାରକସି ହବ୍‌ରେ ପରିଣତ କରାଯିବ। ଏବେର ନୌଯାତ୍ରା ସେବେର ନୌଯାତ୍ରା ଭଳି ହୋଇନାହିଁ। ଟେକ୍ନୋଲୋଜିର ବିକାଶ ଦ୍ବାରା ସୁଦୂର ଏବଂ ସହଜ ସାଧ୍ୟ ହୋଇପାରିଛି। ଓଡ଼ିଆ ସାଧବ ପୁଅଙ୍କ ବୀର

    ଗାଥାକୁ ବଖାଣୁଥିବା ଐତିହାସିକ ବାଲିଯାତ୍ରା ସାମୁଦ୍ରିକ ସଂସ୍କୃତିର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତିି।

    କଟକର ଐତିହାସିକ ବାଲିଯାତ୍ରା କାର୍ତ୍ତିକ ପୂର୍ଣ୍ଣିମାର ଶୀତୁଆ ସନ୍ଧ୍ୟାରେ ମହାନଦୀ ଅବବାହିକାରେ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ସବକୁ ଉଦ୍‌ଘାଟନ କରି କହିଲେ, ରାଜ୍ୟରେ ହର୍ଷ ଉଲ୍ଲାସରେ ବୋଇତ ବନ୍ଦାଣ ହେଉଛି। ଐତିହାସିକ ବାଲିଯାତ୍ରା ଓଡ଼ିଆ ସାହିତ୍ୟ, ଲୋକ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ। ରିଭର ଫ୍ରଣ୍ଟ ଯୋଜନାରେ କଟକ ମହାନଦୀ ତଟର ସୋନ୍ଦର୍ଯ୍ୟକରଣ ପାଇଁ ୨୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଐତିହାସିକ ବାଲିଯାତ୍ରାକୁ ୟୁନେସ୍କୋ ୱାଲ୍ଡ ହେରିଟେଜ୍ ସାଇଟ ମାନ୍ୟତା ପ୍ରଦାନ ପାଇଁ ଉଦ୍ୟମ ଜାରିରହିଛି। ଆଗମୀ ଦିନରେ ମହାନଦୀ ପଠାରେ ଥିବା ଧବଳେଶ୍ବର ପୀଠ ଓ ନନ୍ଦୀକେଶ୍ବର ପଠାର ବିକାଶ କାର୍ଯ୍ୟ ହାତକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିସହ ପାରାଦ୍ବୀପ, ଧାମରା, ଗୋପାଳପୁର ବ୍ୟତୀତ ରାଜ୍ୟ ରେ ଆଗାମୀ ଦିନରେ ୧୪ଟି ଛୋଟ ଛୋଟ ବନ୍ଦର ନିର୍ମାଣ ହେବ। ସୁବର୍ଣ୍ଣରେଖା, ଅସ୍ତରଙ୍ଗ, ଜଟାଧାରୀ ମୁହାଣରେ ବନ୍ଦର ବିକାଶ ଯୋଜନା କାର୍ଯ୍ୟକାରୀ ହେଉଛି। ବାହୁଦା ବନ୍ଦରର ବିକାଶ ପାଇଁ ୨୧ ହଜାର ୫୦୦ କୋଟି ଟଙ୍କାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି।

    ପାରାଦ୍ବୀପ ପରେ ବାହୁଦା ହେବ ଓଡିଶାର ଦ୍ୱିତୀୟ ବୃହତ୍ତମ ବନ୍ଦର। ୨୪ ହଜାର ୭୦୦ କୋଟି ଟଙ୍କାରେ ପାରାଦ୍ବୀପ ନିକଟରେ ମହାନଦୀ ମୁହାଣରେ ଜାହାଜ ନିର୍ମାଣ ଓ ମରାମତି କେନ୍ଦ୍ର ସ୍ଥାପନ ହେବା ପାଇଁ ଯୋଜନା ରହିଛି। ଆଗମୀ ଦିନରେ ନୌବାଣିଜ୍ୟ କ୍ଷେତ୍ରରେ ଓଡ଼ିଶା ହେବ ପୂର୍ବ ଭାରତର ଗେଟ୍ ୱେ ବୋଲି ସେ କହିଥିଲେ। ଏଥିସହ ବାରବାଟୀ ଦୁର୍ଗ ଓ ଗଡ଼ଖାଇର ଉନ୍ନତି ପାଇଁ ଡିପିଆର ପ୍ରସ୍ତୁତ ହେଉଛି। ସେହିପରି ଐତିହାସିକ ସହରର ୧୦୦ ବର୍ଷରୁ ପୁରୁଣା ୫ଟି ବିଦ୍ୟାଳୟକୁ ଐତିହ୍ୟ ମାନ୍ୟତା ପ୍ରଦାନ କରାଯାଇ ବିକାଶ କରାଯାଉଛି। ସିଆରଆର (କ୍ୟାପିଟାଲ ରିଜିଅନ୍‌ ରିଙ୍ଗ ରୋଡ)ପ୍ରକଳ୍ପରେ ୧୧୧ କିଲୋମିଟର ୬ ଲେନ୍‌ ବିଶିଷ୍ଟ ରିଂ ବନ୍ଧ ନିର୍ମାଣ କରାଯାଉଛି। ଯାହା ବାଣିଜ୍ୟିକ କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।

    ସମ୍ମାନିତ ଅତିଥିଭାବେ ଉଚ୍ଚଶିକ୍ଷା ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଲେ, ଐତିହାସିକ ବାଲିଯାତ୍ରା ଏ ଜାତି ଗରିମାକୁ ମନେ ପକାଇଦିଏ। ଉତ୍ତରପିଢ଼ିଙ୍କୁ ଜଣାଇବାକୁ ଓଡ଼ିଆ ପୁଅଙ୍କ ବୀରତ୍ବର ଛାପା ଦେଶ ବିଦେଶରେ ଏବେ ବି ରହିଛି। ପୂର୍ବପୁରୁଷଙ୍କ ସମ୍ମାନ ଦେଇ ସ୍ବଦେଶୀକୁ ଆପଣେଇବା ଉପରେ ମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ଅତିଥିଭାବେ ସାଂସଦ ଭର୍ତ୍ତୃହରି ମହତାବ କହିଲେ, ବାରବାଟୀ ଦୁର୍ଗର ଅନେକ ଇତିହାସ ଏବେବି ଲୁକ୍କାୟିତ ରହିଛି। ଏହାକୁ ସମ୍ପୂର୍ଣ୍ଣ ଭାବେ ଖୋଳାଯାଇ ନାହିଁ। ରାଜ୍ୟ ସରକାର ଏହା ଉପରେ ଗୁରୁତ୍ବ ଦିଅନ୍ତୁ। ବାରବାଟୀ ଦୁର୍ଗ ପରିସରସ୍ଥ ସତ୍ୟବ୍ରତ ଷ୍ଟାଡିୟମର ଉନ୍ନତି କରାଯିବା ଆବଶ୍ୟକ। ବାଲିଯାତ୍ରା ପଥରରେ ଖୋଦିତ ଐତିହ୍ୟ ନୁହେଁ, ଏଥିରେ ବର୍ଷ ପରେ ବର୍ଷ ପୃଷ୍ଠା ଯୋଡ଼ି ହୋଇ ଚାଲିଥିବା ସେ କହିଛନ୍ତି। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ କହିଲେ, ପୂର୍ବ ସରକାର ବାଲିଯାତ୍ରାର ପରିଧି ବଢ଼ାଇଥିଲେ ,, ଏବେର ସରକାର ଯାତ୍ରାକୁ ବିସ୍ତାର କରିଥିବାରୁ ଉଭୟ ଧନ୍ୟବାଦର ପାତ୍ର। ଏ ଯାତ୍ରା କେବଳ ଓଡ଼ିଶାର ନୁହେଁ, ଏହା ଆନ୍ତର୍ଜାତିକ ସ୍ତରରେ ପହଞ୍ଚିଛି। ଏହା ଉପରେ ଆହୁରି ଅଧିକ ଗୁରୁତ୍ବ ଦିଆଯାଉ। ବିଶେଷ ଅତିଥିଭାବେ ଯୋଗଦେଇ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା ଏଚ. କ୍ରିଷ୍ଣମୂର୍ତ୍ତି କହିଲେ ଭାରତ- ଇଣ୍ଡୋନେସିଆ ମଧ୍ୟରେ ନୌବାଣିଜ୍ୟ ସମ୍ପର୍କର ପ୍ରମାଣ ବାଲିଯାତ୍ରା। ଏହା ମଧ୍ୟ ଇଣ୍ଡୋନେସିଆର ଇତିହାସ। ବିବିଧତା ମଧ୍ୟରେ ଏକତା ହିଁ ଭାରତର ବଳ। ଏଥିସହ ସେ ବସୁଧୈବ କୁଟୁମ୍ବକମ୍‌ ଉକ୍ତିକୁ ଦୋହରାଇଥିଲେ।

    ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କ୍ରିଷ୍ଣମୂର୍ତ୍ତିଙ୍କୁ ରୌପ୍ୟ ତାରକସି ବୋଇତର ଉପହାର ପ୍ରଦାନ କରିଥିଲେ। ବିଧାୟିକା ସୋଫିଆ ଫିର୍ଦୋସ କହିଲେ ବାଲିଯାତ୍ରା ଆମ ଐତିହ୍ୟ, କଟକ ମାଟି ଉଦ୍ୟୋଗୀ ମାଟି ବୋଲି ଏହା ଜ୍ୱଳନ୍ତ ପ୍ରମାଣ। କଟକରେ ଯେପରି ବର୍ଷ ସାରା ଲୋକଙ୍କ ବାଣିଜ୍ୟିକ କାରବାର ବୃଦ୍ଧି ପାଇବ ସେ ନେଇ ସରକାର ଯୋଜନା ପ୍ରସ୍ତୁତ କରିବ​‌ାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ବିଧାୟକ ସୌଭିକ ବିଶ୍ବାଳ କହିଲେ ଅଦମ୍ୟ ସାହସୀ ସାଧବ ପୁଅମାନଙ୍କ ଆମେ ହେବା। ସାଧବ ପୁଅମାନଙ୍କ ଏକତାକୁ ଉଜ୍ଜୀବିତ କରିବାର ସମୟ ଉପନୀତ। ବିଧାୟକ ପ୍ରକାଶ ସେଠୀ କହିଲେ ବାଲି ଦ୍ବୀପକୁ ଯାତ୍ରାର ସ୍ମାରକୀ ଭାବେ କଟକ ବାଲିଯାତ୍ରା ପ୍ରତିବର୍ଷ ପାଳିତ ହେଉଛି। ବାଲିଯାତ୍ରା ସମସ୍ତଙ୍କ ଲାଗି ପ୍ରେରଣାର ଉତ୍ସ ହେଉ। କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ବାଲିଯାତ୍ରାର ରୂପାୟନ ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ରଖିଥିଲେ। ଅନ୍ୟତମ ଅତିଥିଭାବେ ଉନ୍ନୟନ କମିସନର ଅନୁ ଗର୍ଗ, କେନ୍ଦ୍ରାଞ୍ଚଳ ଆରଡିସି ଗୁହା ପୁନମ୍‌ ତାପସ କୁମାର, ପୁଲିସ କମିସନର ଏସ ଦେବଦତ୍ତ ସିଂ ଯୋଗଦେଇଥିଲେ। ପ୍ରାରମ୍ଭରେ ସିଲଭରସିଟି ବୋଟ୍‌ କ୍ଲବ ପରିସରରୁ ଅତିଥିମାନଙ୍କୁ କଟକ ଇନ୍‌ କଟକ ଗେଟ୍‌ ପର୍ଯ୍ୟନ୍ତ ସୁସଜ୍ଜିତ ବୋଇତରେ ଅଣାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓରମାସ ଷ୍ଟଲ ଉଦ୍‌ଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏବଂ ଅନ୍ୟ ଅତିଥିମାନେ ମଧ୍ୟ ମହାନଦୀରେ ଶାଳପତ୍ରରେ ପ୍ରସ୍ତୁତ ଡଙ୍ଗା ଭସାଇଥିଲେ। ମଞ୍ଚରେ ଅତିଥି ମାନଙ୍କ ଦ୍ବାରା ବାଲିଯାତ୍ରା ସ୍ମରଣିକା ଉନ୍ମୋଚନ ହୋଇଥିଲା। କଟକ ନାଟ୍ୟୋତ୍ସବରେ ମୋହନ ସୁବୁଦ୍ଧି ମହାବିଦ୍ୟାଳୟର ନାଟକ ‘କଳା ନନ୍ଦିନୀ’ ଶ୍ରେଷ୍ଠ ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ଏଥିସହ ପ୍ରଶାସନ ପକ୍ଷରୁ ୧ଲକ୍ଷ ମାଗଣା ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ଅତିରିକ୍ତ ଜିଲାପାଳ ଶିବ ଟପ୍ପୋ ଧନ୍ୟବାଦ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ