ଆଠଗଡ଼ : ଗୋ ଚାଲାଣ ଓ ସଂଗଠିତ ଅପରାଧ ନେଇ କୋର୍ଟ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ଆଠଗଡ଼ର ଅତିରିକ୍ତ ଜିଲ୍ଲା ଦୌରାଜଜ ରାଜକୁମାର ଦାସ ଗୋ ଚାଲଣ ଘଟଣାର ବିଚାର କରି ଆସାମୀ ବାବୁ ନାଏକଙ୍କୁ ଆଜୀବନ କାରାଦଣ୍ଡ ଓ ୫ ଲକ୍ଷ ଟଙ୍କା ଜରିମାନା ଆଦେଶ ପ୍ରଦାନ କରିଛନ୍ତି।
ଘଟଣାରୁ ପ୍ରକାଶ ଯେ ତିଗିରିଆ ପୁଲିସ ଗତ ୨୦୨୫ ମସିହା ଅକ୍ଟୋବର ମାସ ୨୧ ତାରିଖ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଗୋହତ୍ୟା ଓ ମାଂସ ରପ୍ତାନୀ ପାଇଁ କରଡାପଲ୍ଲୀ ନିକଟସ୍ଥ ବାରମାଣିଆ ଜଙ୍ଗଲ ନିକଟରେ ଗୋ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ସେକ୍ ସୋଲେମନ୍, ସେକ୍ ରହେମାନ, ତାରିଫ୍ ମହମ୍ମଦ, ଖରିଫ ମହମ୍ମଦ, ବାବୁ ନାୟକ ଆଦି ୯ଟି ଗାଈଙ୍କୁ ବାନ୍ଧି ରଖିଥିଲେ। ପୁଲିସକୁ ଦେଖି ଦୁର୍ବୃତ୍ତମାନେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଘଟଣାର ଅନ୍ୟତମ ଅଭିଯୁକ୍ତ ଆରିଫ ମହମ୍ମଦ ପୁଲିସ ଏସ୍ ଆଇ ଅରୁଣ ବେହେରା ଓ ଅନ୍ୟାନ୍ୟ ପୁଲିସ କର୍ମଚାରୀମାନଙ୍କୁ ଏକ ଲୁହା ଚାପଡରେ ଆକ୍ରମଣ କରିଥିଲେ। ପୁଲିସ ଆରିଫ୍ ଏବଂ ବାବୁକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ। ପୁଲିସ ପଚରାଉଚରା କରିବା ପରେ ଅଭିଯୁକ୍ତମାନେ ଗୋ ଚାଲାଣ ଆଦି ସ୍ଵୀକାର କରିଥିଲେ। ଏ ନେଇ ତିଗିରିଆ ଥାନା ପକ୍ଷରୁ ମାମଲା ରୁଜୁ ହୋଇ ଅଭିଯୁକ୍ତ ଫର୍ଦ୍ଦ ଦାଖଲ କରାଯାଇଥିଲା।
ଶୁକ୍ରବାର ପ୍ରକାଶିତ ରାୟ ଅନୁଯାୟୀ ଅଭିଯୁକ୍ତ ବାବୁ ନାୟକକୁ ଗୋରୁ ଚୋରି ଓ ଚାଲାଣ ଅଭିଯୋଗରେ ଭାରତୀୟ ନ୍ୟାୟ ସଂହିତା ଧାରା ୩୦୩(୨) ଅନୁଯାୟୀ ୩ଵର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଓ ଧାରା୧୧୧(୩) ସଂଗଠିତ ଅପରାଧ ମାମଲାରେ ଆଜୀବନ କାରାଦଣ୍ଡ ଓ ୫ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୬ମାସ ଜେଲଦଣ୍ଡ ଦେଇଛନ୍ତି। ସରକାର ତରଫରୁ ସରକାରୀ ଓକିଲ ସୁଶାନ୍ତ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ।
