ସତ୍ୟଯୁଗରେ ମାଣ୍ଡବ୍ୟ ନାମକ ଜନୈକ ବ୍ରହ୍ମର୍ଷି ଥିଲେ । ସେ ଯେପରି ଜ୍ଞାନୀ ସେପରି ବେଦଜ୍ଞ ଓ ପଣ୍ଡିତ ପ୍ରବର । ତତସହିତ ଜଣେ ତେଜସ୍ଵୀ ତପସ୍ଵୀ ଭାବରେ ତାଙ୍କର ଅନେକ ବର୍ଷ ତପସାଧନାରେ ଅତିବାହିତ ହୋଇଥିଲା । ସେ ସଦାସର୍ବଦା ତପସ୍ୟାରେ ମଗ୍ନ ଥା’ନ୍ତି । ତାଙ୍କ ଆଶ୍ରମରେ ଅନେକ ଶିଷ୍ୟ ତାଙ୍କ ପାଖରୁ ଗୁରୁଜ୍ଞାନ,ମନ୍ତ୍ର ଓ ବେଦ ଉପନିଷଦର ଜ୍ଞାନ ଆହରଣ କରୁଥାଆନ୍ତି । ସେହି ଆଶ୍ରମରେ ସଦାସର୍ବଦା ଶାନ୍ତି ବିରାଜମାନ କରୁଥାଏ । ହିଂସା,କଳହ,ଚୋରି,ଡକାୟତିର ଭୟ ସେଠାରେ ଲେଶମାତ୍ର ନଥାଏ । ଏକଦା କେତେକ ଡକାୟତ ରାଜଉଆସରୁ ଓ ଅନ୍ୟଆଡ଼ୁ ଅନେକ ମୂଲ୍ୟବାନ ହୀରା,ନୀଳା,ସୁନା ନେଇ ମାଣ୍ଡବ୍ୟଙ୍କ ଆଶ୍ରମରେ ଥିବା ଖାତ ଭିତରେ ସେସବୁ ଲୁଚାଇ ଦେଲେ । ଋଷି କିମ୍ବା ତାଙ୍କ ଶିଷ୍ୟମାନେ ଏକଥାର ବିନ୍ଦୁ ବିସର୍ଗ ହେଲେ ଜାଣିପାରିଲେ ନାହିଁ ।
ଗୁପ୍ତଚରଠାରୁ ଖବର ପାଇ ରାଜାଙ୍କ ସୈନ୍ୟମାନେ ଜଙ୍ଗଲ ସାରା ଖେଦି ଗଲେ । ଏଇ ଆଶ୍ରମ ନିକଟସ୍ଥ କୌଣସି ସ୍ଥାନରେ ଚୋରାଦ୍ରବ୍ୟ ଥିବାର ଖବର ମିଳିଲା । ସୈନ୍ୟମାନେ ତନ୍ନତନ୍ନ କରି ଖୋଜିଖୋଜି ଆଶ୍ରମସ୍ଥ ଖାତ ଭିତରେ ଚୋରାଦ୍ରବ୍ୟ ଥିବା ଜାଣିପାରି ତାହା ଉଦ୍ଧାର କଲେ | ସେତେବେଳେ ଋଷି ମାଣ୍ଡବ୍ୟ ତପସ୍ୟାରତ ଥା’ନ୍ତି । ଚୋର ମାନଙ୍କୁ ଜଙ୍ଗଲରୁ ଧରାଗଲା । ଚୋରମାନଙ୍କ ସହ ଋଷିଙ୍କୁ ମଧ୍ୟ ଦୋଷୀ ଭାବରେ ବାନ୍ଧି ଅଣାଗଲା ।
ବିଚାର ପରେ ଚୋର,ଡକାୟତମାନଙ୍କୁ ଶୂଳୀଦଣ୍ଡରେ ଦଣ୍ଡିତ କରାଗଲା । ଋଷି ମାଣ୍ଡବ୍ୟଙ୍କୁ ମଧ୍ୟ ସମାନ ଦଣ୍ଡରେ ଦଣ୍ଡିତ କରାଯିବାର ବିଚାର ହୋଇଥିଲା । ମାତ୍ର କି ଆଶ୍ଚର୍ଯ୍ୟ ! ବ୍ରହ୍ମର୍ଷି ମାଣ୍ଡବ୍ୟଙ୍କୁ ଶୂଳୀରେ ବସାଇ ଦିଆଗଲେ ମଧ୍ୟ ତାଙ୍କୁ ମୃତ୍ୟୁ ତ ମୃତ୍ୟୁ, ତିଳେମାତ୍ର କଷ୍ଟବୋଧ ହେବାର ଜଣାଗଲାନାହିଁ । ସ୍ୱୟଂ ରାଜା,ମନ୍ତ୍ରୀ ଓ ପାରିଷଦବର୍ଗ ବିସ୍ମିତ ହୋଇଗଲେ । ଏହି ସବୁ ଋଷିଙ୍କ ତପସାଧନାର ପ୍ରଭାବ ଓ ସୁଫଳ ବୋଲି ଜାଣିବାକୁ ବାକି ରହିଲା ନାହିଁ । ତାଙ୍କୁ ଶୂଳୀରୁ ଉଦ୍ଧାର କରି ବାହାରକୁ ଅଣାଗଲା । ରାଜା ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିଚାର ପାଇଁ କ୍ଷମା ମାଗିଲେ | କହିଲେ- ଆପଣ ଚୋରମାନଙ୍କୁ ପ୍ରଶ୍ରୟ ଦେଇଥିବାର ଅନୁମାନ କରି ଆମ୍ଭେ ଆପଣଙ୍କ ପରି ପୁଣ୍ୟାତ୍ମା ବ୍ରହ୍ମର୍ଷିଙ୍କୁ ଏତେ କଷ୍ଟ ଦେଲୁ ।
ମାଣ୍ଡବ୍ୟ ତାଙ୍କ ପ୍ରତି ହୋଇଥିବା ଅବିଚାରରେ କ୍ରୋଧାନ୍ଵିତ ହୋଇ ଧର୍ମ ଦେବତାଙ୍କୁ ଏହାର କାରଣ ପୁଛା କଲେ ଯେ,‘ମୁଁ ତ କାହାର କିଛି କ୍ଷତିସାଧନ କରିନାହିଁ ବା ପାପକର୍ମ କରିନାହିଁ । ମୋତେ ଏପରି ଦଣ୍ଡ ମିଳିଲା କାହିଁକି ?’ ଧର୍ମ ଦେବତା ଉତ୍ତର ଦେଲେ,”ଆପଣ ପିଲାଦିନେ ମଜା କରିବା ପାଇଁ ଗୋଟିଏ କଙ୍କି ଦେହରେ କଣ୍ଟା ଫୋଡ଼ି ତାକୁ ଯନ୍ତ୍ରଣା ଦେଇଥିଲେ । ସେହି କର୍ମଫଳ ପାଇଁ ଆପଣଙ୍କୁ ଶୂଳୀଖୁଣ୍ଟରେ ବସି ସମପ୍ରକାର ଯନ୍ତ୍ରଣା ଭୋଗ କରିବାକୁ ପଡ଼ିଲା ।” ମାଣ୍ଡବ୍ୟଋଷି ଜାଣିପାରିଲେ ଯେ,କର୍ମଫଳ ସମସ୍ତଙ୍କୁ ଭୋଗ କରିବାକୁ ପଡିବ । ମାତ୍ର ତାଙ୍କ ଜପତପ କାରଣରୁ ସେ ମୃତ୍ୟୁ ପାଇ ମଧ୍ୟ ଉଦ୍ଧାର ହୋଇଗଲେ । ଏହା ହିଁ କର୍ମଫଳର ରହସ୍ୟ ।
କାହାଣୀ- ନିରଞ୍ଜନ ପତି