ଗୁରୁବାର ରାଜ୍ୟ ସରକାର ପଞ୍ଜୀକରଣ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଡିଜିଟାଲାଇଜେସନ୍‌ ଦିଗରେ ଆଉ ଏକ ପଦକ୍ଷେପ ନେଇଛନ୍ତି। କାଗଜବିହୀନ ଜମି ପଞ୍ଜୀକରଣ ବ୍ୟବସ୍ଥା ପ୍ରଚଳନ ପାଇଁ ପଞ୍ଜୀକରଣ ଆଇନ ୧୯୦୮ରେ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।
ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ପଞ୍ଜୀକରଣ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ, ସରଳ, ଦ୍ରୁତ ଓ ନାଗରିକକୈନ୍ଦ୍ରିକ କରିବା ରାଜ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। କାଗଜବିହୀନ ଜମି ପଞ୍ଜୀକରଣ ବ୍ୟବସ୍ଥା ମାଧ୍ୟମରେ ନାଗରିକମାନେ ଅଧିକ ସୁବିଧାରେ ଜମି ପଞ୍ଜୀକରଣ ସେବା ପାଇପାରିବେ। ଭୂ-ରେକର୍ଡ ଓ ପଞ୍ଜୀକରଣ ରେକର୍ଡର ଡିଜିଟାଲ୍‌ ସମନ୍ୱୟ ଦ୍ୱାରା ସେବା ପ୍ରଦାନରେ ଦକ୍ଷତା ଓ ସ୍ୱଚ୍ଛତା ବୃଦ୍ଧି ପାଇବ। ପ୍ରସ୍ତାବିତ ସଂଶୋଧନ ମାଧ୍ୟମରେ ପଞ୍ଜୀକରଣ ପ୍ରକ୍ରିୟାକୁ ଡିଜିଟାଲ ପଞ୍ଜୀକରଣ ବ୍ୟବସ୍ଥାରେ ପରିଣତ କରାଯିବ। ଏଥିପାଇଁ ଆଇନରେ ବିଦ୍ୟମାନ ୮ଟି ଧାରାରେ ସଂଶୋଧନ ସହ ୯ଟି ନୂତନ ଧାରା ଯୋଡ଼ିବାର ପ୍ରସ୍ତାବ ରହିଛି। ଏହା ଅଧୀନରେ ଇଲେ‌େ‌କ୍ଟ୍ରାନିକ ବହି, ଇଲେ‌େ‌କ୍ଟ୍ରାନିକ ଦସ୍ତଖତ ଏବଂ ଇଲେ‌େ‌କ୍ଟ୍ରାନିକ ସିଲ୍‌କୁ ଆଇନଗତ ସ୍ୱୀକୃତି ଦିଆଯିବ। ପଞ୍ଜିକୃତ ଜମିର ଇଲେକ୍ଟ୍ରୋନିକ୍‌ ସଂରକ୍ଷଣ ଏବଂ ଇଲେକ୍ଟ୍ରୋନିକ୍‌ ପ୍ରତିଲିପି ତଥା ରେକର୍ଡକୁ ଆଇନଗତ ମାନ୍ୟତା ଦେବାର ବ୍ୟବସ୍ଥା ରହିଛି। ପଞ୍ଜୀକରଣ ପାଇଁ ଦଲିଲର ଇଲେକ୍ଟ୍ରୋନିକ୍‌ ଉପସ୍ଥାପନା, ନିର୍ଦିଷ୍ଟ ମାମଲାରେ ଇଲେକ୍ଟ୍ରୋନିକ୍‌ ଉପସ୍ଥିତି ଓ ତଦନ୍ତର ମଧ୍ୟ ବ୍ୟବସ୍ଥା କରାଯିବ। ପଞ୍ଜୀକରଣକୁ ସରକାରୀ ଭୂ-ରେକର୍ଡ ସହ ସଂଯୁକ୍ତ ପରିଚୟ ସଂଖ୍ୟା ସହ ଲିଙ୍କ୍‌ କରିବାର ବ୍ୟବସ୍ଥା ରହିବ। ନୂତନ ବ୍ୟବସ୍ଥାରେ ନାଗରିକଙ୍କ ସମ୍ମତିକ୍ରମେ ଆଧାର ମାଧ୍ୟମରେ ଇଲେକ୍ଟ୍ରୋନିକ୍‌ ପରିଚୟ ଯାଞ୍ଚର ସୁବିଧା ରହିବ। ଏ କ୍ଷେତ୍ରରେ ଆଧାରକୁ ବାଧ୍ୟତାମୂଳକ କରାଯିବ ନାହିଁ। ପ୍ରସ୍ତାବିତ ସଂଶୋଧନ ମାଧ୍ୟମରେ ପଞ୍ଜୀକରଣ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ, ନାଗରିକକୈନ୍ଦ୍ରିକ, ଦ୍ରୁତ, ସୁରକ୍ଷିତ ଓ ସମ୍ପୂର୍ଣ୍ଣ ଡିଜିଟାଲ କରିବା ସହ ଭୂ-ରେକର୍ଡ ଓ ଅନ୍ୟାନ୍ୟ ସରକାରୀ ତଥ୍ୟଭଣ୍ଡାର ମଧ୍ୟରେ ଉତ୍ତମ ସମନ୍ୱୟ ସ୍ଥାପନ କରିବା ଲକ୍ଷ୍ୟ ରହିଛି। ପ୍ରସ୍ତାବିତ ଆଇନଗତ ସଂଶୋଧନ ଲାଗୁ ମାଧ୍ୟମରେ ରାଜ୍ୟର ପଞ୍ଜୀକରଣ ବ୍ୟବସ୍ଥାକୁ ଅଧିକ ପ୍ରଯୁକ୍ତିସମ୍ପନ୍ନ, ପାରଦର୍ଶୀ, ସୁରକ୍ଷିତ, ସହଜ ଓ ଲୋକାଭିମୁଖୀ କରିବା ଦିଗରେ ରାଜସ୍ୱ ବିଭାଗ ପ୍ରତିଶ୍ରୁତିବଦ୍ଧର ସହ କାର୍ଯ୍ୟ କରୁଛି।
ଏହି ବ୍ୟବସ୍ଥା ଲାଗୁ ହେଲେ ଆଉ ପଞ୍ଜୀକରଣ କାର୍ଯ୍ୟାଳୟରେ ପୁଳାପୁଳା କାଗଜପତ୍ର ଓ ଦସ୍ତାବିଜ ଧରି ଲୋକଙ୍କୁ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ। ପ୍ରସ୍ତାବିତ ବ୍ୟବସ୍ଥାରେ ନାଗରିକମାନେ ଅନଲାଇନ ମାଧ୍ୟମରେ ଦସ୍ତାବିଜ ଦାଖଲ କରିପାରିବେ ଓ ନିର୍ଦିଷ୍ଟ କ୍ଷେତ୍ରରେ ଇଲେକ୍ଟ୍ରୋନିକ ଉପସ୍ଥିତି (ଇ-ଆପିଏରାନ୍ସ) ତଥା ଇଲେକ୍ଟ୍ରୋନିକ ଯାଞ୍ଚର ସୁବିଧା ପାଇବେ। ପ୍ରତ୍ୟେକ ସମ୍ପତ୍ତିକୁ ଏକ ସ୍ୱତନ୍ତ୍ର ପରିଚୟ ସଂଖ୍ୟା ବା ‘ୟୁନିକ୍ ପ୍ରପର୍ଟି ଆଇଡେଣ୍ଟିଫିକେସନ ନମ୍ବର’ (ୟୁପିଆଇଏନ) କିମ୍ବା ସରକାରୀ ଜମି ରେକର୍ଡ ସହ ଯୋଡ଼ାଯିବ। ପରିଚୟ ଯାଞ୍ଚ କ୍ଷେତ୍ରରେ ନାଗରିକଙ୍କ ସମ୍ମତିକ୍ରମେ ଆଧାର ପ୍ରମାଣୀକରଣ କରାଯାଇପାରିବ, କିନ୍ତୁ ଆଧାରକୁ ବାଧ୍ୟତାମୂଳକ କରାଯାଇନାହିଁ। ଆଧାର ବଦଳରେ ଅଫଲାଇନ ଯାଞ୍ଚ, ଅନ୍ୟାନ୍ୟ ବୈଧ ସରକାରୀ ପରିଚୟପତ୍ର କିମ୍ବା ଅନୁମୋଦିତ ଇ-ଡକ୍ୟୁମେଣ୍ଟ ମାଧ୍ୟମରେ ମଧ୍ୟ ପରିଚୟ ପ୍ରମାଣିତ ହୋଇପାରିବ। ଫଳରେ ଦଲିଲ ପଞ୍ଜୀକରଣ ହେବା ମାତ୍ରେ ଜମି ଖାରଜ ବା ମ୍ୟୁଟେସନ୍‌ ପ୍ରକ୍ରିୟା ସ୍ୱୟଂକ୍ରିୟ ଭାବେ ଆରମ୍ଭ ହୋଇ ଅତି କମ୍‌ ସମୟରେ ଶେଷ ହୋଇପାରିବ। ରାଜ୍ୟ ସରକାର ଏହି ପ୍ରସ୍ତାବିତ ସଂଶୋଧନ ସଂକ୍ରାନ୍ତ ବିଲ୍‌କୁ ଆଗାମୀ ମୌସୁମି ଅଧିବେଶନରେ ବିଧାନସଭାରେ ଉପସ୍ଥାପନ ନିମନ୍ତେ ଯୋଜନା କରୁଥିବା ଜଣାପଡ଼ିଛି।